ଭୁବନେଶ୍ୱର: ଉଠାଦୋକାନୀଙ୍କୁ କୋଭିଡ ସହାୟତା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୧ ଲକ୍ଷ ୧ ହଜାର ପଥପାର୍ଶ୍ୱର ଉଠାଦୋକାନୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କୋଭିଡ ସହାୟତା ଦିଆଯାଇଛି। ସମସ୍ତ ହିତାଧିକାରୀଙ୍କୁ ୩୦୦୦ ଟଙ୍କା ଲେଖାଏଁ କୋଭିଡ ସହାୟତା ଦିଆଯିବ। ଆଉ ଏଥିପାଇଁ ପ୍ରାୟ ୩୦ କୋଟିରୁ ଅଧିକ ଟଙ୍କା ସହରାଞ୍ଚଳରେ ଥିବା ଉଠାଦୋକାନୀମାନଙ୍କୁ ଦିଆଯିବ। ଏହାସହ ନବୀନ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ୭୦ଟି ସହରରେ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଉ ଏଥିପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି।
ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉଠାଦୋକାନୀଙ୍କ ଜୀବିକାର ସୁରକ୍ଷା ପାଇଁ ଏହି ସହାୟତା ରାଶି ସରକାରଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ଦିଆଯାଇଥିଲା। ସହରର ଅର୍ଥନୀତିରେ ପଥବିକାଳୀ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଅଂଶ। କୋଭିଡ ସମୟରେ ପଥବିକାଳୀଙ୍କ କଷ୍ଟ ଅନୁଭବ କରିଛି। ତେଣୁ ସେମାନଙ୍କ ଜୀବିକାର ସୁରକ୍ଷା ପାଇଁ ସରକାର ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ସରକାର ସବୁବେଳେ ଆପଣଙ୍କ ସହ ରହିଛନ୍ତି ବୋଲି ନବୀନ କହିଛନ୍ତି।
ଏହାପୂର୍ବରୁ ପଞ୍ଜିକୃତ ଉଠା ଦୋକାନୀମାନଙ୍କୁ ୩୦୦୦ ଟଙ୍କା ଲେଖାଏଁ ସହାୟତା ଦେଇଥିଲେ ରାଜ୍ୟ ସରକାର। ୪୫ କୋଟିରୁ ଅଧିକ ଟଙ୍କା ୨ଟି ପର୍ଯ୍ୟାୟରେ ୧୧୪ଟି ସହରାଞ୍ଚଳରେ ଥିବା ପଞ୍ଜିକୃତ ଉଠାଦୋକାନୀଙ୍କୁ ସହାୟତା ଦିଆଯାଇଥିଲା। ଗତ ୨୦୨୦ ମାର୍ଚ୍ଚ ୩୦ ତାରିଖରେ ୧୪ କୋଟି ଅର୍ଥରାଶି ୪୮ ହଜାରରୁ ଅଧିକ ପଥ ବିକାଳୀଙ୍କୁ ସହାୟତା ଆକାରରେ ଯୋଗାଇ ଦିଆଯାଇଥିଲା। ସେହିଭଳି ୨୦୨୧ରେ ୨୩ କୋଟିରୁ ଅଧିକ ଟଙ୍କା ୭୮ ହଜାରରୁ ଅଧିକ ପଥ ବିକାଳୀଙ୍କୁ ସହାୟତା ଆକାରରେ ଯୋଗାଇ ଦିଆଯାଇଥିଲା। ତେବେ ଚଳିତ ଥର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୩ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଅନଲାଇନରେ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଯିବ। ଯେଉଁମାନଙ୍କର ବ୍ୟାଙ୍କରେ ଆକାଉଣ୍ଟ ନଥିବ ସେମାନଙ୍କୁ ମଧ୍ୟ ଏହି ଆର୍ଥିକ ସହାୟତା ରାଶି ମିଳିବ।

The post ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ କୋଭିଡ ସହାୟତା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ first appeared on Sambad.

from କରୋନା | Sambad https://ift.tt/3mv4EqU