ଲକ୍ଷ୍ନୌ: ଦେଶରେ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ବିସ୍ତାର ବାତାବରଣରେ ଡିସେମ୍ବର ୨୫ ତାରିଖ ବଡ଼ଦିନ ଠାରୁ ରାତ୍ରକାଳୀନ କର୍ଫ୍ୟୁ ଜାରି କରିବା ଲାଗି ଉତ୍ତର ପ୍ରଦେଶ ସରକାର ସ୍ଥିର କରିଛନ୍ତି।
ଉକ୍ତ ରାତ୍ରକାଳୀନ କର୍ଫ୍ୟୁର ସମୟ ଅବଧି ହେଉଛି ରାତ୍ର ୧୧ଟାରୁ ଭୋର୍ ୫ଟା। ଏହା ବ୍ୟତିରେକେ, କୌଣସି ବୈବାହିକ ଅନୁଷ୍ଠାନରେ ୨୦୦ରୁ ଅଧିକ ଜନସମାଗମ ପାଇଁ ମଧ୍ୟ ଅନୁମତି ମିଳିବ ନାହିଁ।
କର୍ଫ୍ୟୁ ସମୟରେ ସର୍ବସାଧାରଣଙ୍କ ଚଳାଚଳ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି।
ସୂଚନାଯୋଗ୍ୟ, ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏବେ ସୁଦ୍ଧା ୩୫୮ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ସଂକ୍ରମଣ ମାମଲା ଚିହ୍ନଟ କରାଯାଇଛି। ସେଥିରୁ ମହାରାଷ୍ଟ୍ର ୮୮ଟି ସଂକ୍ରମଣ ମାମଲା ରିପୋର୍ଟ କରି ସର୍ବାଗ୍ରେ ରହିଛି। ଏହାଛଡ଼ା, ଦିଲ୍ଲୀ ୬୭, ତେଲେଙ୍ଗାନାରେ ୩୮, ତାମିଲନାଡୁରେ ୩୪, କର୍ଣ୍ଣାଟକରେ ୩୧ ଏବଂ ଗୁଜରାଟରେ ୩୦ଟି ଓମିକ୍ରନ୍ ମାମଲା ରେକର୍ଡ କରାଯାଇଛି।
କୋଭିଡ୍-୧୯ ସଂକ୍ରମଣ ରୋକିବାକୁ ପୂର୍ବରୁ ମଧ୍ୟପ୍ରଦେଶ ସରକାର ମଧ୍ୟ ରାତ୍ରକାଳୀନ କର୍ଫ୍ୟୁ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଆମେ ରାତି ୧୧ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରୁଛୁ। ଆବଶ୍ୟକ ହେଲେ ଅଧିକ କଟକଣା ଲାଗୁ କରାଯିବ।
ସେହିପରି, ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ସଂକ୍ରମଣ ରୋକିବାକୁ ସଦ୍ୟ କଟକଣା ଜାରି କରିବା ଲାଗି ମହାରାଷ୍ଟ୍ର ସରକାର ମଧ୍ୟ ସ୍ଥିର କରିଛନ୍ତି।
The post ଓମିକ୍ରନ୍ ଭୟ: ଡିସେମ୍ବର ୨୫ରୁ ଉତ୍ତର ପ୍ରଦେଶରେ ରାତି ୧୧ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି first appeared on Sambad.from କରୋନା | Sambad https://ift.tt/32hdqC7
0 Comments