ଦେଶର ଅନ୍ୟ ରାଜ୍ୟ ଭଳି ଓଡ଼ିଶା ମଧ୍ୟ କୋଭିଡ ମୃତ୍ୟୁ ବିବାଦରୁ ବାଦ୍ ପଡ଼ି ନ ଥିଲା। ରାଜ୍ୟରେ କରୋନାରେ ଯେତିକ ସଂଖ୍ୟକ ରାଜ୍ୟବ୍ୟାପୀ ବିଭିନ୍ନ ହସ୍ପିଟାଲରେ ପ୍ରାଣ ହରାଉଥିଲେ ତା’ଠାରୁ କମ୍ ସଂଖ୍ୟକ ମୃତକଙ୍କ ସଂଖ୍ୟା ସରକାର ଘୋଷଣା କରୁଥିଲେ। ଶ୍ମଶାନ ଗୋଟିଏ ଚିତ୍ର ବୟାନ କରୁଥିବା ବେଳେ ସରକାରୀ ଘୋଷଣା ଭିନ୍ନ ଚିତ୍ର ପ୍ରଦାନ କରୁଥିଲା। ଯାହାଫଳରେ ରାଜ୍ୟରେ ଦୈନିକ ସଂକ୍ରମଣ ଶୀର୍ଷରେ ଥିବା ବେଳେ ମୃତ୍ୟୁ ଘୋଷଣା କମ୍ ରହିଥିଲା। ହେଲେ ସଂକ୍ରମଣ ଖସୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିଥିଲା। ଯାହାକୁ ନେଇ ରାଜ୍ୟ ସରକାର ସମାଲୋଚନାର ଶିକାର ହୋଇଥିଲେ ହେଁ, ନିଜ ଜିଦ୍‌ରେ ଅଟଳ ରହିଥିଲେ। ବିହାର, ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟ ମଝିରେ ମଝିରେ ନିଜର କୋଭିଡ ମୃତ୍ୟୁର ସଂଶୋଧନ କରିଥିଲେ ହେଁ ଓଡ଼ିଶାରେ ଏଭଳି ଦେଖିବାକୁ ମିଳି ନ ଥିଲା। ସ୍ବାସ୍ଥ୍ୟ ବିଭାଗର ବରି‌ଷ୍ଠ ଅଧିକାରୀମାନେ କୋଭିଡ ମୃତ୍ୟୁର ଅଡିଟ୍‌ କରାଯାଇ ମୃତ୍ୟୁ ଘୋଷଣା କରାଯାଉଥିବା ନେଇ ବାରମ୍ବାର ସଫେଇ ରଖିଥିଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଏହା ଗ୍ରହଣୀୟ ହୋଇ ନ ଥିଲା। ନୟାଗଡ଼ର ସିଡିଏମ୍‌ଓ ଗଣମାଧ୍ୟମରେ ଯେଉଁ ବୟାନ ଦେଇଥିଲେ ତାହା ରାଜ୍ୟ ସରକାରଙ୍କ କୋଭିଡ ମୃତ୍ୟୁ ଜନିତ ସଂଖ୍ୟାର ମୁଖା ଖୋଲି ଦେଇଥିଲା।

vallartadaily.com

ଆକଳନଠୁ ଟପିଗଲା ଦୈନିକ ସଂକ୍ରମଣ
କରୋନାର ଦ୍ବିତୀୟ ଲହରରେ ରାଜ୍ୟରେ ଦୈନିକ ସଂକ୍ରମଣକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଯେଉଁ ଆକଳନ ଲଗାଇଥିଲେ ତାହା ଫେଲ୍ ମାରିଥିଲା। ଏପରିକି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଯେଉଁସବୁ ସଂକ୍ରମଣ ମଡେଲକୁ ଅନୁକରଣ କରୁଥିଲା ତାହାଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରାଜ୍ୟରେ ଦୈନିକ ସଂକ୍ରମଣ ୧୨ହଜାର ଟପି ଯାଇଥିଲା। ଯାହାକି ପ୍ରଥମ ଲହର ଅପେକ୍ଷା ୩ଗୁଣ ଅଧିକ। ମେ’ ୨୨ ତାରିଖରେ ରାଜ୍ୟରେ ୧୨,୮୫୨ ଦୈନିକ ମାମଲା ସାମ୍ନାକୁ ଆସିଥିଲା।

ସବୁ ଜିଲ୍ଲାରେ ଆର୍‌ଟି-ପିସିଆର ଲ୍ୟାବ୍‌
କରୋନାର ଦୁଇ ଲହର ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଥିବାକୁ ପଦାରେ ପକାଇ ଦେଇଥିଲା। କରୋନାର ପରୀକ୍ଷା ପାଇଁ ଆବଶ୍ୟକ ହେଉଥିବା ଆରଟି-ପିସିଆର ନମୁନା ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଘରୋଇ ଲ୍ୟାବ୍ ଉପରେ ନିର୍ଭର କରିବାକୁ ପଡ଼ିଥିଲା। ଏକାଧିକ ଜିଲ୍ଲାକୁ ନେଇ ଗୋଟିଏ ଗୋଟିଏ ମେଡିକାଲ କଲେଜରେ ପରୀକ୍ଷା ହୋଇଥିଲା। ଏହାସହ ଘରୋଇ ଲ୍ୟାବ୍‌କୁ ମଧ୍ୟ ଏଥିପାଇଁ ସରକାର ପରୀକ୍ଷା ବାବଦ ଅର୍ଥ ଦେଉଥିଲେ। ହେଲେ ପରୀକ୍ଷା ରିପୋର୍ଟ ବିଳମ୍ବ ହେବା ସହିତ ନମୁନା ସ୍ଥାନାନ୍ତରିତ ପାଇଁ ଲଜିଷ୍ଟିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ଏହାର ସମାଧାନ କରିବାକୁ ଯାଇ ରାଜ୍ୟ ସରକାର ସବୁ ଜିଲ୍ଲାରେ ଆରଟି-ପିସିଆର ଲ୍ୟାବ୍‌ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସବୁ ଜିଲ୍ଲାରେ ଏହା କାର୍ଯ୍ୟକ୍ଷମ ହୋଇପାରିଛି।

Image Courtesy of India Today

ଅକ୍ସିଜେନ୍ ଯୋଗାଇ ପ୍ରଶଂସା ସାଉଁଣ୍ଟିଲା ଓଡ଼ିଶା
କରୋନାର ଘାତକ ଦ୍ବିତୀୟ ଲହରରେ ଦେଶବ୍ୟାପୀ ଅକ୍ସିଜେନ୍‌ର ଅଭାବ ଦେଖିବାକୁ ମିଳିଥିଲା। ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଭଳି ବଡ଼ ବଡ଼ ସହରରେ ଅକ୍ସିଜେନ୍ ପାଇଁ ରୋଗୀମାନଙ୍କୁ ଡହଳ ବିକଳ ହେବାକୁ ପଡ଼ିଥିଲା। କେନ୍ଦ୍ର ସରକାର ଶିଳ୍ପ ପାଇଁ ବ୍ୟବହୃତ ହେଉଥିବା ଅକ୍ସିଜେନ୍‌କୁ ହସ୍ପିଟାଲରେ ବ୍ୟବହାର କରିବା ଲାଗି ଅନୁମତି ଦେବା ପରେ ଶିଳ୍ପ ସଂସ୍ଥାମାନଙ୍କରୁ ଅକ୍ସିଜେନ୍ ଯୋଗାଣ ଆରମ୍ଭ ହୋଇଥିଲା। ରାଜ୍ୟରେ ଅକ୍ସିଜେନ୍‌କୁ ନେଇ ସମସ୍ୟା ସୃଷ୍ଟି ହୋଇ ନ ଥିବା ବେଳେ ରାଜ୍ୟ ସରକାର ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ୍ ପହଞ୍ଚାଇବାକୁ ଆରମ୍ଭ କରିଥିଲେ। ଦେଶବ୍ୟାପୀ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ବେଶ୍‌ ପ୍ରଶଂସା କରାଯାଇଥିଲା। ଏପରିକି ଏହି ସମୟରେ ବାତ୍ୟା ଓଡ଼ିଶାରେ ମାଡ଼ ହୋଇଥିଲେ ମଧ୍ୟ ଅକ୍ସିଜେନ୍‌ ଯୋଗାଣରେ ଯେପରି କୌଣସି ସମସ୍ୟା ନ ଉପୁଜିବ ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ।

ବଦଳିଲେ ବରିଷ୍ଠ ଅଧିକାରୀ
ରାଜ୍ୟରେ କରୋନା ବିରୋଧରେ ଲଢ଼େଇ ଚାଲିଥିବା ବେଳେ ଦୁଇ ଲହରରେ ଦୁଇ ସ୍ବାସ୍ଥ୍ୟ ସଚିବଙ୍କ ବଦଳିକୁ ନେଇ ପାୱାର କରିଡରରେ ଚର୍ଚା ହୋଇଥିଲା। ପ୍ରଥମ ଲହରରେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ଦ୍ବିତୀୟ ଲହର ସମୟରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ବ୍ୟକ୍ତିଗତ କାରଣ ଦର୍ଶାଇ ମାସେ ଛୁଟିରେ ପଳାଇଥିଲେ। ଏହି ସମୟରେ ଆରକେ ଶର୍ମାଙ୍କୁ ଦାୟିତ୍ବ ଦିଆଯାଇଥିଲା। ଯଦିଓ ଛୁଟିରେ ଫେରିବା ପରେ ଶ୍ରୀ ମହାପାତ୍ର କାର୍ଯ୍ୟରେ ଯୋଗ ଦେଇଥିଲେ ହେଲେ ସେହିଦିନ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଥିଲା। ପୁଣିଥରେ ଆରକେ ଶର୍ମା ସ୍ବାସ୍ଥ୍ୟ ବିଭାଗର ଦାୟିତ୍ବ ଜାରି ରଖିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଥିଲା।

lifeboatquaymedicalcentre.nhs.uk

ରାଜ୍ୟକୁ ମିଳିଲେନି ଟିକା କମ୍ପାନି
ଏପ୍ରିଲ ମାସରେ ରାଜ୍ୟରେ ଦ୍ବିତୀୟ ଲହର ଆରମ୍ଭ ହେବା ପରେ ପୁଣିଥରେ ଟିକାକୁ ନେଇ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଦେଖା ଦେଇଥିଲା। ହେଲେ କେନ୍ଦ୍ର ସରକାର ରାଜ୍ୟକୁ ଆବଶ୍ୟକ ସଂଖ୍ୟକ ଟିକା ଯୋଗାଇବାରେ ବିଫଳ ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ଗୋଟିଏ ଗୋଟିଏ ଦିନ ଏକାଧିକ ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ବାଧ୍ୟ ହୋଇଥିଲେ। ତେଣୁ ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆବଶ୍ୟକ ଟିକା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ। ମୁଖ୍ୟମନ୍ତ୍ରୀ ଆଉ ଗୋଟିଏ ପାଦ ଆଗକୁ ଯାଇ ଖୋଲା ବଜାରରୁ କମ୍ପାନିଠାରୁ ସିଧାସଳଖ ଟିକା ଆଣିବା ଲାଗି ଏପ୍ରିଲ ମାସରେ କେନ୍ଦ୍ରର ଅନୁମତି ଲୋଡ଼ିଥିଲେ। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏଥିପାଇଁ ଅନୁମତି ଦେବା ପରେ ‌ରାଜ୍ୟ ସରକାର ବିଶ୍ବସ୍ତରରେ ଉପଲବ୍ଧ ହେଉଥିବା କମ୍ପାନିମାନଙ୍କଠାରୁ ସିଧାସଳଖ ଟିକା କିଣିବା ଲାଗି ମେ’ ମାସରେ ଟେଣ୍ଡର ଆହ୍ବାନ କରିଥିଲେ। ହେଲେ ଏହି ଟେଣ୍ଡରରେ କୌଣସି ଟିକା କମ୍ପାନି ସାମିଲ ହୋଇ ନ ଥିଲେ। ‌ଶେଷରେ ଜୁନ୍ ୨୧ତାରିଖ ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଟିକା ଯୋଗାଇଦେବା ଲାଗି ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କୁ ଆଶ୍ବସ୍ତି ମିଳିଥିଲା।

ଖୋଜା ପଡ଼ିଲା ଏକ୍‌ମୋ
କରୋନାର ଦ୍ବିତୀୟ ଲହରରେ ଘାତକ ଡେଲ୍‌ଟା ପ୍ରଜାତି ପାଇଁ ବହୁ ସଂଖ୍ୟାରେ ଆକ୍ରାନ୍ତ ଗୁରୁତର ହୋଇ ପଡ଼ିଥିଲେ। ସେମାନଙ୍କୁ ମଧ୍ୟରୁ ଅନେକଙ୍କ ଫୁସ୍‌ଫୁସ୍‌ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବା ଫଳରେ ସେମାନଙ୍କୁ ଏକ୍‌ମୋ(ଏକ୍ସଟ୍ରାକର୍ପୋରିଲ ମେ‌ମ୍ବ୍ରେନ୍ ଅକ୍ସି‌ଜିନେସନ୍) ଚିକିତ୍ସାର ଆବଶ୍ୟକତା ପଡ଼ିଥିଲା। ଜଣେ କଲେଜ ପଢ଼ୁଆ ଯୁବକ ଅମିତ ପ୍ରଧାନଙ୍କୁ ଏଭଳି ଚିକିତ୍ସା ବ୍ୟବସ୍ଥାର ଆବଶ୍ୟକତା ପଡ଼ିବା ପରେ କ୍ରାଉଡ୍‌ ଫଣ୍ଡିଂ ବା ଲୋକମାନଙ୍କ ସାହାଯ୍ୟ ବଳରେ ତାଙ୍କୁ ଚେନ୍ନାଇସ୍ଥିତି ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ପରବର୍ତୀ ସମୟରେ ବରିଷ୍ଠ ପୁଲିସ ଅଧିକାରୀ ଦେବାଶିଷ ପାଣିଗ୍ରାହୀଙ୍କୁ ମଧ୍ୟ ଏକ୍‌ମୋ ଚିକିତ୍ସା ପାଇଁ କଲିକତା ନିଆଯାଇଥିଲା। ମାତ୍ର ରାଜ୍ୟରେ ଏହି ଚିକିତ୍ସା ସୁବିଧା ନ ଥିବାରୁ ସରକାର ସାଧାରଣ ଆକ୍ରୋଶର ଶିକାର ହୋଇଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସ୍‌ସିବି ମେଡିକାଲ କଲେଜରେ ଏକ୍‌ମୋ ମେସିନ୍ କାର୍ଯ୍ୟକାରୀ କରାଯିବା ନେଇ ଘୋଷଣା ହୋଇଥିଲା। ଅଗଷ୍ଟ ଶେଷ ସପ୍ତାହରେ ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି। ଏହା ଭିତରେ କିଛି ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ମଧ୍ୟ ହୋଇସାରିଲାଣି

The post ଆଇନାରେ ୨୦୨୧: କୋଭିଡ ମୃତ୍ୟୁ ଘୋଷଣା ବିବାଦ first appeared on Sambad.

from କରୋନା | Sambad https://ift.tt/3Jd7NFB