
ନୂଆଦିଲ୍ଲୀ: ଆଫ୍ରିକାରେ ପ୍ରଥମେ ଚିହ୍ନଟ ହେବା ଦିନଠାରୁ ୧୪ ଦିନ ଭିତରେ କୋଭିଡ୍-୧୯ର ନୂତନ ଭାରିଆଣ୍ଟ ଓମିକ୍ରନ୍ ଭାରତ ସମେତ ୩୮ଟି ଦେଶରେ ବ୍ୟାପିସାରିଲାଣି। ଗୁରୁବାର କର୍ଣ୍ଣାଟକରେ ଦୁଇଟି ମାମଲା ଚିହ୍ନଟ ହେବା ପରେ ବିଭିନ୍ନ ରାଜ୍ୟରେ ସତର୍କତା ପଦକ୍ଷେପ ବଢ଼ାଇ ଦିଆଯାଇଥିଲା। କୋଭିଡ୍ ନିୟମ ମାନୁ ନ ଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦେଶ ସାରା କର୍ତ୍ତୃପକ୍ଷ ଆଦେଶ ଦେବା ଆରମ୍ଭ କରିଦେଇଛନ୍ତି। ତେବେ ସବୁଠି ଢିଲା ନୀତି ଏବଂ କୋଭିଡ୍ ନିୟମ ପାଳନ ପାଇଁ ଲୋକଙ୍କ ଅନାଗ୍ରହ ଆଗକୁ ସଙ୍କଟ ବଢ଼ାଇବ ବୋଲି ଆଶଙ୍କା କରାଯାଉଛି ।
ସିଏସ୍ଆଇଆର୍- ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ୍ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି ନିର୍ଦ୍ଦେଶକ ଡ. ଅନୁରାଗ ଅଗ୍ରୱାଲ ସାମ୍ବାଦିକମାନଙ୍କୁ କହିଛନ୍ତି, ତୃତୀୟ ଲହର ସୃଷ୍ଟି କରିପାରିବା ଭଳି ସବୁ ଗୁଣ ଓମିକ୍ରନ୍ଠାରେ ଅଛି। କିନ୍ତୁ ଡେଲ୍ଟାଠାରୁ ଏହା ଛଅଗୁଣ ସଂକ୍ରାମକ ବୋଲି ଯାହା କୁହାଯାଉଛି ତାହା ସମ୍ଭବତଃ ଭୁଲ୍। ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟରୁ ଜଣାପଡ଼ୁଛି, ଟିକାର ପ୍ରତିରୋଧକତାକୁ ଅତିକ୍ରମ କରିବାର କ୍ଷମତା ଏହାର ଅଛି। ଡେଲ୍ଟାଠାରୁ ଏହା ପ୍ରାୟ ଦେଢ଼ ବା ଦୁଇଗୁଣ ଅଧିକ ସଂକ୍ରାମକ ହୋଇପାରେ ବୋଲି ସେ କହିଛନ୍ତି
ଡ. ଅଗ୍ରୱାଲ କହିଛନ୍ତି, ଡେଲ୍ଟା କଥା ମନେପକାନ୍ତୁ, ଭାରତରେ ଦ୍ବିତୀୟ ଲହର ଏହା ଯୋଗୁ ସୃଷ୍ଟି ହୋଇଥିଲା। ତେଣୁ ତା’ଠୁ ଅଧିକ ସଂକ୍ରାମକ ଓମିକ୍ରନ୍ ପାଇଁ ତୃତୀୟ ଲହର କାହିଁକି ନ ହେବ? ଭାରତରେ ବର୍ତ୍ତମାନ ୧୦,୦୦୦ରୁ କମ୍ ଦୈନିକ ସଂକ୍ରମଣ ଦେଖିବାକୁ ମିଳୁଛି। ଭାରତରେ ଅଧିକାଂଶ ଲୋକଙ୍କଠାରେ ଡେଲ୍ଟା ଭାରିଆଣ୍ଟ ବିରୋଧରେ ଆଣ୍ଟିବଡି ତିଆରି ହୋଇ ସାରିଲାଣି। ତେଣୁ ଭାରତରେ ଆଉ ଅଧିକ ଦ୍ରୁତ ସଂକ୍ରମଣ ନ ହୋଇପାରେ। କିନ୍ତୁ ଅସାବଧାନ ହେବା ଆମପାଇଁ ସବୁଠାରୁ ବଡ଼ ମୂର୍ଖତା ହେବ ବୋଲି ଡ. ଅଗ୍ରୱାଲ କହିଥିଲେ। ପୂର୍ବ ପରି ସାମାଜିକ ଦୂରତା ରକ୍ଷା ଓ କୋଭିଡ୍ର ସବୁ ନିୟମ କଡ଼ାକଡ଼ି ପାଳନ କରିବା ଉଚିତ। ତା’ ନ ହେଲେ ତୃତୀୟ ଲହର ଆଶଙ୍କାକୁ ଏଡ଼ାଇ ହେବ ନାହିଁ ବୋଲି ସେ ଚେତାବନୀ ଦେଇଥିଲେ।
ଦକ୍ଷିଣ ଆଫ୍ରିକା ସ୍ଥିତି ସାଂଘାତିକ
ଦକ୍ଷିଣ ଆଫ୍ରିକାରେ ଅତି ସାଂଘାତିକ ସ୍ଥିତି ଉପୁଜିଛି। ଶିଶୁମାନଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବାରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଏବେ ଦୈନିକ ସଂକ୍ରମଣ ଦ୍ବିଗୁଣା ହେବା ସହ ଓମିକ୍ରନ ପ୍ରଜାତି ଯୋଗୁଁ ସବୁ ଅଂଚଳରେ ଦ୍ରୁତ ସଂକ୍ରମଣ ହେଉଛି। ଶୁକ୍ରବାର ଦକ୍ଷିଣ ଆଫ୍ରିକାରେ ୧୬,୦୫୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ଆଫ୍ରିକାରେ ପୂର୍ବରୁ ଶିଶୁମାନେ ଏତେ ପରିମାଣରେ ସଂକ୍ରମିତ ହୋଇନଥିଲେ। ତୃତୀୟ ଲହରରେ ୫ ବର୍ଷରୁ କମ୍ ବୟସର ଶିଶୁ ଏବଂ ୧୫ରୁ ୧୯ ବର୍ଷ ମଧ୍ୟରେ ବେଶୀ ସଂକ୍ରମଣ ହେଉଥିଲେ।
କିନ୍ତୁ ଚତୁର୍ଥ ଲହରରେ ସବୁ ବୟସରେ ସଂକ୍ରମଣ ବଢ଼ୁଛି ଏବଂ ବିଶେଷ କରି ୫ ବର୍ଷରୁ କମ୍ ବୟସର ଶିଶୁ ଅଧିକ ସଂକ୍ରମିତ ହେଉଛନ୍ତି। ତେବେ ଶିଶୁଙ୍କ ମଧ୍ୟରେ ସଂକ୍ରମଣ ଦେଶରେ ଦ୍ବିତୀୟ ସର୍ବାଧିକ। ଦକ୍ଷିଣ ଆଫ୍ରିକାରେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଅଧିକ ସଂକ୍ରମିତ ହେଉଛନ୍ତି। ୫ ବର୍ଷରୁ କମ୍ ବୟସର ଶିଶୁ ବେଶୀ ହସ୍ପିଟାଲ୍ରେ ଭର୍ତ୍ତି ହେଉଛନ୍ତି। ଶିଶୁଙ୍କ ସହିତ ଗର୍ଭବତୀମାନେ ମଧ୍ୟ ଅଧିକ ସଂକ୍ରମିତ ହେଉଛନ୍ତି। ଦକ୍ଷିଣ ଆଫ୍ରିକା ସ୍ବାସ୍ଥ୍ୟମନ୍ତ୍ରୀ ଜୋ ଫହଲା କହିଛନ୍ତି, ଦକ୍ଷିଣ ଆଫ୍ରିକାର ୯ ପ୍ରଦେଶ ମଧ୍ୟରୁ ୭ଟିରେ ସଂକ୍ରମଣ ଏବଂ ପଜିଟିଭ୍ ହାର ଅଧିକ ରହୁଛି। ତେବେ ଟିକା ନେଇନଥିବା ବ୍ୟକ୍ତି ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହେଉଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଦକ୍ଷିଣ ଆଫ୍ରିକାରେ ଦୈନିକ ସଂକ୍ରମଣ ଦିନକୁ ଦ୍ବିଗୁଣା ହେବା ଘଟଣା ସମଗ୍ର ବିଶ୍ବକୁ ଚିନ୍ତାରେ ପକାଇଛି।
The post ୧୪ ଦିନରେ ୩୮ଟି ଦେଶକୁ ବ୍ୟାପିଲାଣି କୋଭିଡ୍-୧୯ର ନୂତନ ଭାରିଆଣ୍ଟ ଓମିକ୍ରନ୍ first appeared on Sambad.from କରୋନା | Sambad https://ift.tt/3puVX0m
0 Comments