ଭୁବନେଶ୍ୱର : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ଗତ କିଛି ଦିନ ହେଲା ବିଶ୍ବ‌ରେ ଏକ ଅଜଣା ଆତଙ୍କ ଖେଳି ଯାଇଛି। କିନ୍ତୁ ଏଥିପ୍ରତି ରାଜଧାନୀବାସୀଙ୍କ ଯେମିତି ପରବାୟ ନାହିଁ। ଭୁବନେଶ୍ବରରେ ହାଟ, ବଜାର, ମଲ୍‌ଗୁଡ଼ିକରେ ଏମିତି ଅସମ୍ଭାଳ ଗହଳି ହେଉଛି, ଯେମିତି କରୋନା ଚାଲି ଯାଇଛି। ବିଭିନ୍ନ ସ୍ଥାନରେ ପ୍ରବଳ ଭିଡ଼ ହେବା ସହ କେହି ମାସ୍କ ଠିକ୍‌ ଢଙ୍ଗରେ ବ୍ୟବହାର କରୁନାହାନ୍ତି। ଏନ୍‌ଫୋର୍ସମେଣ୍ଟରେ ବିଏମ୍‌ସି ସହ କମିସନରେଟ୍‌ ପୁଲିସ ମଧ୍ୟ କୋହଳ କରି ଦେଇଛି। କଟକଣା ରହୁ ନଥିବାରୁ ଯିଏ ଯେମିତି ପାରୁଛି, କୋଭିଡ୍‌ କଟକଣା ଉଲ୍ଲଂଘନ କରୁଛି।

ହୋଟେଲ, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ଲୋକେ ପାଖାପାଖି ବସିବା ସହ ମାସ୍କ ବି ପିନ୍ଧୁ ନାହାନ୍ତି। ହାଟ ବଜାରରେ ମଧ୍ୟ କଟକଣାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚେତାଇ ଦେବା ପରେ ତନାଘନା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାର ୫୦ପ୍ରତିଶତ କେବଳ ବିଏମ୍‌ସି ଅଞ୍ଚଳରେ ଅଛନ୍ତି।

ଗତ ସପ୍ତାହ (ନଭେମ୍ବର ୨୭ରୁ ଡିସେମ୍ବର ୩ର ତଥ୍ୟ ମୁତାବକ, କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୭ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲାରେ ୨୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୫ ବଢ଼ି ୧୬୩୯ ହୋଇଥିଲା। ସେହିଭଳି ଭୁବନେଶ୍ବର(ବିଏମ୍‌ସି ଅଞ୍ଚଳ)ରେ ୨୭ ତାରିଖ ଦିନ ୯୬ ଜଣ ଚିହ୍ନଟ ହୋଇଥିବା ବେଳେ ୭ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪୫ ରହିଥିଲା। ଅର୍ଥାତ୍‌ ଜିଲ୍ଲାରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାର ଅଧାରୁ ବେଶି ଭୁବନେଶ୍ବରରୁ ଚିହ୍ନଟ ହେଉଛନ୍ତି। କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପୁଣି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ତେବେ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିବା ଆଶ୍ବସ୍ତିକର ବିଷୟ ବୋଲି କୁହାଯାଉଛି। ୨୭ତାରିଖରେ ୧୦୫ଜଣ ସୁସ୍ଥ ହୋଇଥିବା ବେଳେ ୨୮ରେ ୧୧୩, ୨୯ରେ ୧୧୫, ୩୦ରେ ୯୦, ୧ ରେ ୧୧୨, ୨ରେ ୧୧୮ ଓ ୩ରେ ୧୧୨ଜଣ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବାରୁ ଚିନ୍ତା ବଢ଼ିଛି।

The post ରାଜଧାନୀ ଭୁବନେଶ୍ୱରରେ ପୁଣି ଶହେମୁହାଁ ହେଲାଣି କରୋନା first appeared on Sambad.

from କରୋନା | Sambad https://ift.tt/3Gif58u