ମୁମ୍ବାଇ: ଦ୍ରୁତ ସଂକ୍ରମଣଶୀଳ ‘ଓମିକ୍ରନ୍‌ କରୋନାଭାଇରସ୍‌ ଷ୍ଟ୍ରେନ୍‌’ ସମେତ  ସେଭଳି ସମ୍ଭାବ୍ୟ ବିପଦ ଥିବା ରାଷ୍ଟ୍ରମାନଙ୍କରୁ ୬ଜଣ ଆନ୍ତର୍ଜାତିକ ଯାତ୍ରୀ କୋଭିଡ୍‌ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଥିବା କଥା ଆଜି ସକାଳେ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ କହିଛି।

ପଜିଟିଭ୍ ଚିହ୍ନଟ ୬ଜଣଙ୍କ ଠାରେ ପ୍ରାୟ କୌଣସି ଲକ୍ଷଣ ନାହିଁ କିଂବା ଅତି ସାମାନ୍ୟ ଲକ୍ଷଣ ରହିଛି। ଗୁଣସୂତ୍ର ଅନୁକ୍ରମ ପାଇଁ ସେମାନଙ୍କ ନମୁନାଗୁଡ଼ିକୁ ପଠାଇ ଦିଆଯାଇଛି ଏବଂ ସେମାନଙ୍କର ‘କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍‌’ ଚାଲିଥିବା କଥା ସ୍ବାସ୍ଥ୍ୟ ବିଭାଗ କହିଛି।

୬ ପଜିଟିଭ୍ ଯାତ୍ରୀଙ୍କ ମଧ୍ୟରୁ ମୁମ୍ବାଇର ୩ଜଣଙ୍କୁ କଲ୍ୟାଣ-ଦୋମ୍ବିୱାଲି ଏବଂ ମୀରା-ଭୟାନ୍ଦର୍‌ ଅଞ୍ଚଳ, ୪ର୍ଥଜଣଙ୍କୁ ପୁଣେରୁ ଚିହ୍ନଟ କରାଯାଇଛି। ନାଇଜେରିଆରୁ ଆଗତ ଅନ୍ୟ ଦୁଇଜଣଙ୍କୁ ପମ୍ପିରି-ଚିନ୍‌ୱାଡ୍‌ରୁ ଚିହ୍ନଟ କରାଯାଇଛି।

Image Courtesy of Mint

ସୂଚନା‌ଯୋଗ୍ୟ, ‘ଓମିକ୍ରନ୍‌ କୋଭିଡ୍‌ ଷ୍ଟ୍ରେନ୍‌’ ସଂକ୍ରମଣ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଭାରତରେ ଥିବା ବିମାନ ବନ୍ଦରଗୁଡ଼ିକରେ ‘ସମ୍ଭାବ୍ୟ ବିପଦ ରାଷ୍ଟ୍ର’ମାନଙ୍କରୁ ଆଗତ ଯାତ୍ରୀମାନଙ୍କ ପାଇଁ କଠୋର କ୍ବାରେଣ୍ଟିନ୍‌ ଏବଂ ପରୀକ୍ଷା ନିୟମ ପ୍ରଣୟନ କରାଯାଇଛି।

‘ସମ୍ଭାବ୍ୟ ବିପଦ ରାଷ୍ଟ୍ର’ମାନଙ୍କରୁ ଆଗତ ଯାତ୍ରୀମାନଙ୍କର ନମୁନା ପରୀକ୍ଷା ଫଳାଫଳ ଘୋଷଣା ନ କରାଯିବା ପର୍ଯ୍ୟନ୍ତ ସେମାନେ ବିମାନ ବନ୍ଦରରୁ ବାହାରକୁ ଯାଇ ପାରିବେ ନାହିଁ। ନେଗେଟିଭ୍‌ ଆସିଥିବା ଯାତ୍ରୀମାନଙ୍କୁ ମଧ୍ୟ ୭ ଦିନ କ୍ବାରେଣ୍ଟିନ୍‌ରେ ରଖାଯିବ।

‘ସମ୍ଭାବ୍ୟ ବିପଦ ରାଷ୍ଟ୍ର’ ତାଲିକାରେ ଅଛନ୍ତି ଇଂଲଣ୍ଡ୍‌ ଏବଂ ମେନ୍‌ଲାଣ୍ଡ୍‌ ୟୁରୋପର ଦେଶସମୂହ, ଦକ୍ଷିଣ ଆଫ୍ରିକା, ବଟ୍‌ସ୍ବାନା, ବ୍ରାଜିଲ୍‌, ହଙ୍ଗ୍‌କଙ୍ଗ୍‌, ଇଜ୍ରାଏଲ୍‌ ଏବଂ ନିଉଜିଲାଣ୍ଡ୍‌।

The post ସମ୍ଭାବ୍ୟ ବିପଦ ଥିବା ରାଷ୍ଟ୍ରମାନଙ୍କରୁ ୬ଜଣ ଯାତ୍ରୀ ପଜିଟିଭ୍‌ ବାହାରିଛନ୍ତି: ମହାରାଷ୍ଟ୍ର first appeared on Sambad.

from କରୋନା | Sambad https://ift.tt/3loJTNc