ନୂଆଦିଲ୍ଲୀ: ‘ଓମାଇକ୍ରନ୍‌’ ବା ‘ଓମିକ୍ରନ୍‌’ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନାମକରଣ କରିଥିବା ‘ବି.୧.୧.୫୨୯’ ପ୍ରଜାତି କରୋନାଭାଇରସ୍‌କୁ ପ୍ରଥମେ ଚିହ୍ନଟ କରିଥିବା ବୈଜ୍ଞାନିକା ହେଉଛନ୍ତି ଦକ୍ଷିଣ ଆଫ୍ରିକାସ୍ଥିତ ‘ଲାନ୍‌ସେଟ୍‌ ଲ୍ୟାବ୍‌’ର ବିଜ୍ଞାନ ମୁଖ୍ୟା ରାକ୍ବେଲ୍‌ ଭିଆନା।

ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ତାଙ୍କୁ ସାକ୍ଷାତ୍‌ କରିବା ବେଳେ ସେ କହିଥିଲେ ଯେ, ନଭେମ୍ବର ୧୯ ତାରିଖର ନମୁନା ପରୀକ୍ଷାର ବଡ଼ଧରଣର ପରିଣତି ସେ ଜାଣିପାରିଥିଲେ।

ସେ କହିଛନ୍ତି, ସେଦିନ ମୁଁ ଯାହା ଦେଖିଲି, ସେଥିରେ କାବା ହୋଇଗଲି। ଗୁଣସୂତ୍ର-କ୍ରମ ପରୀକ୍ଷା ପ୍ରକ୍ରିୟାରେ କିଛି ଭୁଲ୍‌ କରି ପକାଇଛି ବୋଲି ପ୍ରଥମେ ମୋର ମନେହୋଇଥିଲା। କିନ୍ତୁ, ପରୀକ୍ଷା କରିଥିବା ସେ ନମୁନାଟିରେ ଗୋଟିଏ ଜିନିଷ ସାଧାରଣ ଥିଲା। ତାହା ହେଉଛି ‘ଏସ୍‌’ ଜିନ୍‌ର ଅନୁପସ୍ଥିତି। ଏହି ଜିନ୍‌ ବା ଗୁଣସୂତ୍ରର ଅନୁପସ୍ଥିତି ହିଁ ‘ଓମିକ୍ରନ୍‌’କୁ ବିଶ୍ବରେ ପ୍ରାଧାନ୍ୟ ବିସ୍ତାର କରିଥିବା ‌‘ଡେଲ୍‌ଟା ଭେରିଏଣ୍ଟ୍‌’ ଠାରୁ ପୃଥକ୍‌ କରୁଛି।

Image Courtesy of PBS

ଏକଥା ଜାଣିବା ପରେ ସେ ଜୋହନେସ୍‌ବର୍ଗସ୍ଥିତ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କମ୍ୟୁନେକେବଲ୍‌ ଡିଜିଜେସ୍‌’କୁ (ଏନ୍‌ଆଇସିଡି) ସତର୍କ କରାଇଥିଲେ। ସୂଚନା ପାଇବା ପରେ ‘ଏନ୍‌ଆଇସିଡି’ ନଭେମ୍ବର ୨୦-୨୧ ସପ୍ତାହାନ୍ତରେ ଅଧିକ ନମୁନା ପରୀକ୍ଷା ଆରମ୍ଭ କରିଥିଲା। ଅସ୍ବାଭିକ ଗୁଣସୂତ୍ର-କ୍ରମ ବିବର୍ତ୍ତନ ଦେଖି ‘ଏନ୍‌ଆଇସିଡି’ର ବୈଜ୍ଞାନିକମାନେ କୋଭିଡ୍‌-୧୯ର ଆଉ ଏକ ନୂଆ ‘ଷ୍ଟ୍ରେନ୍‌’ ଉତ୍ପତ୍ତି ହୋଇଥିବା ଜାଣି ସନ୍ଦିହାନ ହୋଇପଡ଼ିଥିଲେ।

ନଭେମ୍ବର ୨୩ ତାରିଖ ସୁଦ୍ଧା ଜୋହନେସ୍‌ବର୍ଗ ଏବଂ ପ୍ରିଟୋରିଆ ଆଖପାଖରୁ ଆଉ ୩୨ଟି ନମୁନା ପରୀକ୍ଷା କରିବା ପରେ ‘ଏନ୍‌ଆଇସିଡି’ର ‘ଜିନ୍‌ ସି‌କ୍ବେନ୍‌ସର୍‌’ ଡାନିଏଲ୍‌ ଆମୋଆକୋ କହିଥିଲେ, ଭୂତଣୁ ଯେ, ଭୟାବହ ଏ କଥା ସ୍ପଷ୍ଟ।

ସେହିଦିନ ର୍ହି ‘ଏନ୍‌ଆଇସିଡି’ ଦକ୍ଷିଣ ଆଫ୍ରିକାରେ ଥିବା ସ୍ବାସ୍ଥ୍ୟ ବିଭାଗ ଏବଂ ପରୀକ୍ଷାଗାରଗୁଡ଼ିକୁ ‘ଜିନ୍‌ ଅନୁକ୍ରମ’ ପରୀକ୍ଷା କରିବାକୁ କହିଥିଲା ଏବଂ ସବୁଆଡ଼େ ଊଣାଅଧିକେ ସମାନ ଫଳାଫଳ ମିଳିଲା।

ପରୀକ୍ଷାରୁ ପ୍ରାପ୍ତ ତଥ୍ୟାବଳୀ ‘ଡାଟାବେସ୍‌’ରେ ଫିଡ୍‌ କରାଯିବା ପରେ ‘ଏନ୍‌ଆଇସିଡି’ ଜାଣିଲା ଯେ, ବଟ୍‌ସ୍‌ୱାନା ଏବଂ ହଙ୍ଗ୍‌କଙ୍ଗ୍‌ର ମଧ୍ୟ ସମାନ ଗୁଣସୂତ୍ର ଅନୁକ୍ରମର ମାମଲା ରିପୋର୍ଟ ହୋଇଛି। ଏହା ପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା।

The post ଓମିକ୍ରନ୍‌ ଭେରିଏଣ୍ଟ୍‌କୁ କେମିତି ପ୍ରଥମେ ଚିହ୍ନଟ କଲେ ଦକ୍ଷିଣ ଆଫ୍ରିକୀୟ ବୈଜ୍ଞାନିକ first appeared on Sambad.

from କରୋନା | Sambad https://ift.tt/3o8mBfX