ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ନୂଆ ପ୍ରଜାତିର କରୋନା ଭୂତାଣୁ ‌ଠାବ ହେବା ପରେ ଭାରତରେ ସବୁ ଲୋକଙ୍କୁ ଦୁଇ ଡୋଜ୍ ଟିକା ପ୍ରଦାନ ଉପରେ ସର୍ବାଧିକ ଗୁରୁତ୍ବ ଦେବାକୁ ଭୂତାଣୁ ବିଜ୍ଞାନୀ ଡାକ୍ତର ଗଗନଦୀପ କାଙ୍ଗ୍ ପରାମର୍ଶ ଦେଇଛନ୍ତି। ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଏହି ନୂଆ ଭୂତାଣୁ ବି.୧.୧.୫୨୯ ବିଶ୍ବରେ ଚହଳ ପକାଇଛି। ଡେଲ୍‌ଟା ଷ୍ଟ୍ରେନ ଠାରୁ ଏହା ଅଧିକ ସଂକ୍ରାମକ। ଅନେକ ଭାରତୀୟ ଏବେ ବି ଟିକା ନେଇ ନଥିବାରୁ ସେ ଏଭଳି ପରାମର୍ଶ ଦେଇଛନ୍ତି। ବିଶେଷକରି ବୟସ୍କ ଲୋକ, ବିଭିନ୍ନ ପ୍ରକାର ଜଟିଳ ରୋଗ ଥିବା ବ୍ୟକ୍ତିମାନଙ୍କୁ ଟିକା ଦେବା ଉପରେ ଅଧିକ ପ୍ରଧାନ୍ୟ ଦେବାକୁ ସେ କହିଛନ୍ତି। ବୈଜ୍ଞାନିକମାନେ ଏହା ଆଶଙ୍କା କରୁଛନ୍ତି ଯେ ନୂଆ କରୋନା ଷ୍ଟ୍ରେନ ‌ଶରୀରର ପ୍ରତିରୋଧ ବ୍ୟବସ୍ଥାକୁ ଭେଦ କରିପାରେ। ଏଥିସହିତ ଏହା ମଧ୍ୟ ଅଧିକ ସଂକ୍ରାମକ ହୋଇପାରେ। କୋଭିଡ ଟିକାର ପ୍ରଭାବ ଏହା ଉପରେ କଣ ରହିବ ତାହା ମଧ୍ୟ ଏବେ ଅନୁଧ୍ୟାନ କରାଯାଉଛି। ନୂଆ ଷ୍ଟ୍ରେନ ଉପରେ କୋଭିସିଲ୍‌ଡ ଏବଂ କୋଭାକ୍ସିନର ପ୍ରଭାବ କ’ଣ ରହିବ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ଡାକ୍ତର କାଙ୍ଗ୍ କହିଛନ୍ତି ଏହି ଭୂତାଣୁରେ ହୋଇଥିବା ପରିବର୍ତ୍ତନ ମୁଖ୍ୟତଃ ସ୍ପାଇକ୍ ପ୍ରୋଟିନରେ ହୋଇଛି। ତେଣୁ ଟିକା ନେଇଥିବା ବ୍ୟକ୍ତି ଉପରେ ଏହାର ପ୍ରଭାବ କ’ଣ ରହିବ ତାହା ଉପରେ ଦେଖିବାକୁ ହେବ। ତେବେ ନୂଆ ରୂପାନ୍ତରିତ କରୋନା ଭୂତାଣୁ ଯୋଗୁ ସୃଷ୍ଟି ହେବାକୁ ଥିବା ସମସ୍ୟାର ସଫଳ ପରିଚାଳନା ପାଇଁ ସ୍କ୍ରିନିଂ ଏବଂ ସିକ୍ବେନ୍ସିଂ କାର୍ଯ୍ୟକୁ ସଠିକ ଭାବେ କରିବାକୁ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି।

The post ସମସ୍ତଙ୍କୁ ଦୁଇ ଡୋଜ୍ ଟିକା ଦେବା ଉପରେ ବିଶେଷଜ୍ଞଙ୍କ ପରାମର୍ଶ first appeared on Sambad.

from କରୋନା | Sambad https://ift.tt/3o8RzoB