ନୂଆଦିଲ୍ଲୀ: ପ୍ରାରମ୍ଭିକ ସ୍ତରରେ ଡେଲ୍‌ଟା ଭାରିଆଣ୍ଟକୁ ଧରି ନ ପାରିବାରୁ ଚଳିତବର୍ଷ ପ୍ରାରମ୍ଭରେ କୋଭିଡ୍‌-୧୯ର ଦ୍ବିତୀୟ ଲହରକୁ ମୁକାବିଲା କରିବା ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ଏବେ କିଛି ବିଶେଷଜ୍ଞ ଅନୁମାନ କରୁଛନ୍ତି ଯେ ନୂତନ ମାରାତ୍ମକ ଭାରିଆଣ୍ଟ ଓମିକ୍ରନ୍ ଭାରତରେ ବୁଲିଲାଣି ଅଥଚ ତାହା ଚିହ୍ନଟ ହୋଇପାରିନି। ତେଣୁ ଉଭୟ ପରୀକ୍ଷା ଓ ଜେନୋମ୍ ସିକ୍ବେନ୍ସିଂ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ଭାରତ ପଦକ୍ଷେପ ନେବାକୁ ଚିନ୍ତା କରିଛି।

ଓମିକ୍ରନ୍ ଭାରିଆଣ୍ଟର ସଅଳ ଚିହ୍ନଟ ପାଇଁ ଭାରତ ପରୀକ୍ଷା ଓ ସିକ୍ବେନ୍ସିଂ ବ୍ୟବସ୍ଥାକୁ ସୁଦୃଢ଼ କରିବ ବୋଲି ଭାରତର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ନିର୍ଦ୍ଦେଶିକା ପ୍ରିୟା ଆବ୍ରାହମ୍ କହିଛନ୍ତି। ଏହାଦ୍ବାରା ଓମିକ୍ରନ୍‌ର ବ୍ୟାପକ ସଂକ୍ରମଣକୁ ଅନେକାଂଶରେ ରୋକାଯାଇପାରିବ। ଫଳରେ ଦ୍ବିତୀୟ ଲହର ପରି ଭୟଙ୍କର ଅବସ୍ଥା ଏହା ଆଉ ଆଣିପାରିବ ନାହିଁ। ବର୍ତ୍ତମାନ ୪୮ ଘଣ୍ଟା ଭିତରେ ବିମାନବନ୍ଦରଗୁଡ଼ିକରୁ ଆସୁଥିବା ପଜିଟିଭ୍ ରିପୋର୍ଟର ବିଶ୍ଳେଷଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସମ୍ପ୍ରତି ୩୮ଟି ବିଜ୍ଞାନାଗାରରେ ଏହା କରାଯାଉଥିବା ବେଳେ ସେଥିରେ ଆଉ ଏକ ଡଜନ ଯୋଡ଼ାଯିବ ବୋଲି କୁହାଯାଇଛି।

ଏହି ବିଜ୍ଞାନାଗାରଗୁଡ଼ିକରେ ପରୀକ୍ଷଣର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏହି ବିଜ୍ଞାନାଗାରଗୁଡ଼ିକ ଇଣ୍ଡିଆନ୍ ସାର୍ସ-କୋଭ୍-୨ ଜେନୋମିକ୍ସ କନ୍‌ସର୍ଟିୟମ୍ ବା ଆଇଏନ୍‌ଏସ୍‌ଏସିଓଜିର ଅଂଶ ଭାବେ କାର୍ଯ୍ୟ କରିବେ ବୋଲି ମିସ୍ ଆବ୍ରାହମ୍ କହିଛନ୍ତି। ସେ କହିଛନ୍ତି ଯେ, ଆମେ ଦ୍ବିତୀୟ ଲହରରୁ ଅନେକ କିଛି ଶିକ୍ଷା କରିଛୁ। ପରୀକ୍ଷା ଓ ଭୂତାଣୁଙ୍କ କିସମ ଚିହ୍ନଟରେ ବିଳମ୍ବ ହେଲେ ତାହା ଦେଶ ସାରା ମାଡ଼ିଯାଇପାରେ।

The post ଓମିକ୍ରନ୍‌କୁ ରୋକିବା ପାଇଁ ଭାରତ ପରୀକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବ first appeared on Sambad.

from କରୋନା | Sambad https://ift.tt/3o6NuRG