ଭୁବନେଶ୍ବର : ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିଛି। ଓଡ଼ିଶାରେ ବି ସଂକ୍ରମଣ ବଢ଼ିବାର ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ଅଧିକ ପ୍ରାଥମିକତା ଦେବାକୁ ନିର୍ଦେଶ ଦିଆଯାଇଛି। ସ୍କୁଲ କ୍ୟାମ୍ପସରେ କରୋନା କଟକଣା ଯେପରି କଡ଼ାକଡ଼ି ପାଳନ କରାଯାଏ ସେଦିଗରେ ଗୁରୁତ୍ବ ଦେବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ କୁହାଯାଇଛି। ଏଥିସହ ଗଣଶିକ୍ଷା ବିଭାଗ ଦ୍ବାରା ନିଯୁକ୍ତ ଜିଲ୍ଲାର ନୋଡାଲ ଅଧିକାରୀମାନେ ମଧ୍ୟ ନିୟମିତ ବ୍ୟବଧାନରେ ସ୍କୁଲକୁ ଗସ୍ତ କରି ଯାଞ୍ଚ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ନିର୍ଦେଶ ଅନୁଯାୟୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଡିଇଓଙ୍କ ଅଧୀନରେ ଥିବା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ କରୋନା କଟକଣା କଡ଼ାକଡ଼ି ଭାବେ ଲାଗୁ କରାଯାଉ। ପାଠପଢ଼ା ସହ କ୍ୟାମ୍ପସ୍‌ରେ ଆଉ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ। ଯେଉଁମାନେ କୋଭିଡ୍-୧୯ ଗାଇଡ୍ ଲାଇନ୍ ପାଳନ କରିବେ ନାହିଁ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନାର ନୂଆ ଭାରିଏଣ୍ଟକୁ ‌ନେଇ ବିଶ୍ବବାସୀ ଚିନ୍ତିତ ଅଛନ୍ତି। ୬ଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବେ ସ୍ବାଭାବିକ ଭାବେ ଚାଲୁରହିଛି। କରୋନା କଟକଣା ପାଳନ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନକୁ କୁହାଯାଇଛି। ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନାହିଁ।

The post ଡିଇଓ ଓ ନୋଡାଲ ଅଧିକାରୀଙ୍କୁ ନିର୍ଦେଶ: କରୋନା କଟକଣା କଡ଼ାକଡ଼ି କର first appeared on Sambad.

from କରୋନା | Sambad https://ift.tt/3o8kCs4