
ନୂଆଦିଲ୍ଲୀ : କୋଭିଡ୍-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉଦ୍ବେଗଜନକ ବର୍ଗରେ ସାମିଲ କରିବା ପରେ ଏହାକୁ ନେଇ ବିଭିନ୍ନ ଦେଶରେ ଚିନ୍ତା ବଢ଼ିଯାଇଛି। ଏହି ପରିପେକ୍ଷୀରେ ଉକ୍ତ ପ୍ରଜାତି ଦ୍ବାରା ସଂକ୍ରମିତ ଆଫ୍ରିକୀୟ ଦେଶଗୁଡ଼ିକୁ ଭାରତ କୋଭିଡ୍-୧୯ ଟିକା, ଜୀବନ ରକ୍ଷାକାରୀ ଔଷଧ, ପରୀକ୍ଷା ଉପକରଣ, ପିପିଇ କିଟ୍ ଏବଂ ଭେଣ୍ଟିଲେଟର ପ୍ରଭୃତି ମେଡିକାଲ ଉପକରଣ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛି। ସେମାନେ ଚାହିଁଲେ ଭାରତ ଏଗୁଡ଼ିକ ଦ୍ବିପାକ୍ଷିକ ଭାବରେ କିମ୍ବା ଡବ୍ଲୁଏଚ୍ଓ ସମର୍ଥିତ କୋଭାକ୍ସ ବ୍ୟବସ୍ଥା ମାଧ୍ୟମରେ ପଠେଇପାରିବ।
ବହିର୍ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଏକ ବିବୃତିରେ କୁହାଯାଇଛି ଯେ, ଓମିକ୍ରନ୍ ସହ ଲଢ଼ିବାରେ ଆଫ୍ରିକୀୟ ଦେଶଗୁଡ଼ିକୁ ସହାୟତା କରିବା ପାଇଁ ଭାରତ ପ୍ରସ୍ତୁତ। ଆଫ୍ରିକୀୟ ଦେଶ ସମେତ ବିଭିନ୍ନ ଦେଶକୁ ଯୋଗାଣ ପାଇଁ କୋଭାକ୍ସ ତରଫରୁ ଯାହା ବରାଦ ଦିଆଯାଇଥିଲା ସେସବୁ ଯୋଗାଣ ସରିଛି। ବର୍ତ୍ତମାନ ଯଦି ବୋସ୍ତୱାନା ପ୍ରଭୃତି ସଂକ୍ରମଣଶୀଳ ଆଫ୍ରିକୀୟ ଦେଶକୁ ଭାରତ-ନିର୍ମିତ କୋଭାକ୍ସିନ ବା ଅନ୍ୟ କିଛି ଡାକ୍ତରୀ ଉପକରଣ ଯୋଗାଇବା ପାଇଁ ବରାଦ ଦିଆଯାଏ, ତାହା ଯୋଗାଇବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଆଫ୍ରିକାର ୪୧ଟି ଦେଶକୁ ୨୫ ନିୟୁତରୁ ଅଧିକ ଭାରତ-ନିର୍ମିତ ଟିକା ପ୍ରଦାନ କରାଯାଇ ସାରିଲାଣି ବୋଲି ଏଥିରେ କୁହାଯାଇଛି।
The post ଆଫ୍ରିକୀୟ ଦେଶଗୁଡ଼ିକୁ ଭାରତର ଟିକା ସହାୟତା ପ୍ରଦାନ ପ୍ରସ୍ତାବ first appeared on Sambad.from କରୋନା | Sambad https://ift.tt/2ZDTDLB
0 Comments