ଭୁବନେଶ୍ୱର : ରାଜଧାନୀରେ ସର୍ବାଧିକ ଟିକାକରଣ ହେଲାଣି। ସେରୋ ସର୍ଭେରେ ମଧ୍ୟ ଖୋର୍ଧା ଜିଲ୍ଲାରୁ ୮୦ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ସାମ୍ନାକୁ ଆସିଛି। ଏହା ସତ୍ବେ ରାଜଧାନୀ‌ରେ ସଂକ୍ରମଣ କମୁନାହିଁ କି କରୋନା ଭୟ ଯାଇ ନାହିଁ। ଯଦିଓ ସଂକ୍ରମଣ ଚିନ୍ତାଜନକ ଭାବେ ବଢ଼ିନାହିଁ, ହେଲେ ଶହେ ତଳକୁ ଖସୁନାହିଁ। ଗତ ସପ୍ତାହର କୋଭିଡ ସଂକ୍ରମଣକୁ ଅନୁଶୀଳନ କଲେ ଭୁବନେଶ୍ବରରେ ଲଗାତାର ଭାବେ ସଂକ୍ରମଣ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଥିବା ଦେଖିବାକୁ ମିଳିଛି। ଏପରିକି ଏବେ ବି ୩ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି ଭୁବନେଶ୍ବରରେ। ରାଜଧାନୀର କରୋନା ରୋଗୀଙ୍କ ସୁସ୍ଥ ହାର ରାଜ୍ୟଠାରୁ ପଛରେ ରହିଛି। ଏଭଳି ପରିସ୍ଥିତିରେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଲୋକଙ୍କ ସାମାନ୍ୟ ଢିଲାପଣ ବିପଦକୁ ଡାକି ଆଣିପାରେ ବୋଲି ଆଶଙ୍କା କରାଯାଉଛି।

ରାଜଧାନୀରେ ସଂକ୍ରମଣ ଅଧିକ ରହିବା ପଛରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଯୁକ୍ତି ହେଉଛି, ଯେହେତୁ ରାଜ୍ୟର ଅନ୍ୟ ସ୍ଥାନରୁ ଲୋକମାନେ ରାଜଧାନୀକୁ ଆସୁଛନ୍ତି ତେଣୁ ଏଠାରେ ସଂକ୍ରମଣ ବଢ଼ୁଛି। ସଂକ୍ରମଣ ବଢ଼ୁଥିଲେ ହେଁ ହସ୍ପିଟାଲରେ ଆଡମିସନ୍‌ ବଢ଼ିନାହିଁ। ତଥାପି ଲୋକମାନଙ୍କୁ ସତର୍କ ରହିବାକୁ ପଡ଼ିବ। ସାମାଜିକ ଦୂରତା ଓ କଟକଣାକୁ ମାନିବା ଜରୁରୀ ବୋଲି ଅଧିକାରୀମାନେ ମତ ଦେଉଛନ୍ତି। ଭୁବନେଶ୍ବରରେ ଏବେ ୩୩୭୨ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଯାହାକି ରାଜଧାନୀର ସମୁଦାୟ ସଂକ୍ରମଣର ୩ ପ୍ରତିଶତ। ହେଲେ ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୮ ପ୍ରତିଶତ ଥିବା ବେଳେ ଭୁବନେଶ୍ବରରେ ଏହା ୯୫ ପ୍ରତିଶତ ରହିଛି।

ଗତ ୨୪ଘଣ୍ଟାରେ ରାଜଧାନୀରେ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଙ୍ଗରୋଧରୁ ୧୬ଜଣ ଓ ୯୫ ସ୍ଥାନୀୟ ମାମଲା ରହିଛି। ଫରେଷ୍ଟ ପାର୍କ, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ପଟିଆ, ଚକେଇସିଆଣି, ପୁରୁଣା ଭୁବନେଶ୍ବର, ରସୁଲଗଡ଼, ୟୁନିଟ୍‌-୯, ହଂସପାଳ, ନନ୍ଦନକାନନ, ଆଇଆର୍‌ସି ଭିଲେଜ ଭଳି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ ଆଉ ଜଣେ ରୋଗୀ କରୋନାରେ ପ୍ରାଣ ହରାଇଥିବା ଘୋଷଣା ହୋଇଛି। ଯାହାଫଳରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୦୨୮କୁ ବୃଦ୍ଧି ପାଇଛି। ଅନ୍ୟପଟରେ ରାଜଧାନୀରେ ଆଉ ୧୬୬ ରୋଗୀ ସୁସ୍ଥ ହେବା ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୯ହଜାର ୩୩୦କୁ ବୃଦ୍ଧି ପାଇଛି।

ଫେରିଲା କଣ୍ଟେନ୍‌ମେଣ୍ଟ ଜୋନ୍‌
ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟର ୧୦ ଫ୍ଲାଟ୍‌ ସିଲ୍‌, କରୋନାରେ ଏକାଧିକ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର : କରୋନା କମିକମି ଆସୁଥିଲା ବୋଲି ରାଜଧାନୀବାସୀ ଟିକେ ଆଶ୍ବସ୍ତ ହୋଇଥିଲେ। ଦୋକାନ, ବଜାର, ସ୍କୁଲ, କଲେଜ ବି ଖୋଲିବା ଆରମ୍ଭ କରିଥିଲା। କିନ୍ତୁ ଏବେ ବି ରାଜଧାନୀର କେତେକ ଅଞ୍ଚଳରେ କରୋନା ଆକ୍ରାନ୍ତ ବାହାରୁଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଏହା ବିଏମ୍‌ସିର ଚିନ୍ତା ବଢ଼ାଇଛି। ତେଣୁ କରୋନା ସଂକ୍ରମଣକୁ ରୋକିବା ଲାଗି ପୁଣିଥରେ ତତ୍ପର ହୋଇଉଠିଛି ପ୍ରଶାସନ।

ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଫରେଷ୍ଟ ପାର୍କର ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟର ୧୦ ଫ୍ଲାଟ୍‌କୁ ସିଲ୍‌ କରିଛି ବିଏମ୍‌ସି। ସିଲ୍‌ ହୋଇଥିବା ଫ୍ଲାଟ୍‌ଗୁଡ଼ିକ ହେଉଛି ଫ୍ଲାଟ୍‌ ନଂ. ଏ-୫୦୨, ଏ-୫୦୭, ଏ-୫୧୨, ବି-୦୧୩, ବି-୧୭, ବି-୧୮, ବି-୨୨୦, ବି-୨୨୨, ବି-୧୪୪ ଓ ବି-୩୧୯। ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ହେବା ପରେ ବିଏମ୍‌ସି ଏଠାରେ ନୋଟିସ୍‌ ଲଗାଇଛି। ଅର୍ଥାତ ବାହାରର କୌଣସି ଲୋକକୁ ଏହା ଭିତରକୁ ପ୍ରବେଶ ଅନୁମତି ନାହିଁ। କିମ୍ବା ଏଠାରୁ କୌଣସି ଲୋକ ବାହାରକୁ ଯାଇ ପାରିବେ ନାହିଁ। ପ୍ରତ୍ୟେକ ଲୋକ ଘରେ ରହିବେ। ଏଠାରେ କାର୍ଯ୍ୟ କରୁଥିବା ଅନ୍ୟ ସମସ୍ତ ସରକାରୀ ବେସରକାରୀ ଅଫିସ୍‌ ବନ୍ଦ ରହିବ। ବିଏମ୍‌ସି ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥିପାଇଁ ସ୍ବତନ୍ତ୍ର ଅଫିସରଙ୍କୁ ନିୟୋଜିତ କରାଯାଇଛି। ପୂବରୁ ଜାରି ହୋଇଥିବା ହେଲ୍ପ ଲାଇନ୍‌ ନମ୍ବରରେ ଏହି କଣ୍ଟେନ୍‌ମେଣ୍ଟ ଜୋନ୍‌ ବାସିନ୍ଦା ଯୋଗାଯୋଗ କରି ବିଭିନ୍ନ ସେବା ପାଇପାରିବେ ବୋଲି ବିଏମ୍‌ସି ନିଶ୍ଚିତ କରିଛି। ଏହି କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ବାହାରକୁ ଗଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି।

The post ଏବେ ବି ଯାଇନି କରୋନା ଭୟ; ରାଜ୍ୟଠାରୁ ରାଜଧାନୀରେ ସୁସ୍ଥ ହାର କମ୍, ୩ ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ first appeared on Sambad.

from କରୋନା | Sambad https://ift.tt/3aezjCj