
ଭୁବନେଶ୍ବର : ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୮ ପ୍ରତିଶତ ରହିଛି। ଲଗାତାର ଭାବେ ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟାରେ ରୋଗୀ ସୁସ୍ଥ ହେଉଥିବା କାରଣରୁ ଏଥିରେ ବୃଦ୍ଧି ଘଟିଛି। ଦେଶର ସୁସ୍ଥ ହାର ସହିତ ଓଡ଼ିଶାର ସୁସ୍ଥ ହାର ସମାନ ରହିଛି। ଯାହାକି ରାଜ୍ୟ ପାଇଁ ଏକ ଶୁଭ ସଂକେତ।
ଗୋଟିଏ ପଟେ ସୁସ୍ଥ ହାର ବଢ଼ୁଥିବା ବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ ୫ହଜାର ତଳକୁ ଖସି ଆସିଛି। ରାଜ୍ୟରେ ଏବେ ୪୫୩୮ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ତହିଁରୁ କେବଳ ୪୫ ପ୍ରତିଶତ ଚିକିତ୍ସାଧୀନ ରୋଗୀ ଖୋର୍ଧା ଜିଲ୍ଲାର। ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଧାରେ ସଂକ୍ରମଣ ତୁଳନାତ୍ମକ ଭାବେ ଅଧିକ ରହିଛି। ତେବେ ୮ ଜିଲ୍ଲାରୁ ଗତ ୨୪ଘଣ୍ଟାରେ କୌଣସି ରୋଗୀ ଚିହ୍ନଟ ହୋଇ ନ ଥିବାରୁ ରାଜ୍ୟ ପାଇଁ ଏହା ଆଶ୍ବସ୍ତି ଆଣିଛି। ଏବେ ପାର୍ବଣ ସମୟ ଆରମ୍ଭ ହୋଇଯାଇଥିବାରୁ ଏଥିରେ ସାମାନ୍ୟ ଅବହେଳା ସଂକ୍ରମଣକୁ ପୁଣିଥରେ ବଢ଼ାଇ ଦେଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ବଜାରଘାଟରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଲାଣି। ତେବେ ପାର୍ବଣ ସମୟରେ ଭିଡ଼ ଉପରେ କଡ଼ା ନଜର ରଖିବା ଲାଗି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଚିଠି ଜାରି କରିଛନ୍ତି। ଏ ଦୃଷ୍ଟିରୁ ଭିଡ଼ ଉପରେ ସ୍ବତନ୍ତ୍ର ସ୍କ୍ବାଡ୍ ନଜର ରଖିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଦୁଇଦିନ ଧରି ଦୈନିକ ସଂକ୍ରମଣ ୫ଶହ ତଳେ ରହିବା ପରେ ପୁଣିଥିରେ ସଂକ୍ରମଣ ୫ଶହ ଡେଇଁଛି। ୨୪ଘଣ୍ଟାରେ ରାଜ୍ୟରେ ୫୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧାରୁ ୨୯୦, କଟକ ୮୪, ମୟୂରଭଞ୍ଜ ୨୭, ପୁରୀ ୨୩, ଜଗତସିଂହପୁର ୨୨, ଯାଜପୁର ୧୪, ବାଲେଶ୍ବର ୧୧ ଓ ଷ୍ଟେଟ୍ ପୁଲରୁ ୬୬ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୨୯ହଜାର ୪୧୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୪ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇଛି। ମୃତକଙ୍କ ମଧ୍ୟରେ ଖୋର୍ଧା ଓ କଟକରୁ ୨ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ଯାହାଫଳରେ ମୋଟ ମୃତ୍ୟୁ ସଂଖ୍ୟା ୮୨୨୭କୁ ବୃଦ୍ଧି ପାଇଛି। ଖୋର୍ଧାରୁ ସର୍ବାଧିକ ୧୫୧୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
The post ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୮%, ୮ ଜିଲ୍ଲାରୁ ଚିହ୍ନଟ ହୋଇନାହାନ୍ତି ଜଣେ ବି ଆକ୍ରାନ୍ତ first appeared on Sambad.from କରୋନା | Sambad https://ift.tt/3acVEjJ
0 Comments