
ମସ୍କୋ: ରୁଷିଆରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଫଳରେ କୋଭିଡ୍-ଜନିତ ଦୈନିକ ମୃତ୍ୟୁସଂଖ୍ୟା ପ୍ରଥମ ଥର ପାଇଁ ୧୦୦୦ ଅତିକ୍ରମ କରିଛି। ସରକାରୀ ରିପୋର୍ଟ ଅନୁସାରେ ଶନିବାର ଦେଶର ମୋଟ କୋଭିଡ୍-ମୃତ୍ୟୁ ସଂଖ୍ୟା ୧୦୦୨ ହୋଇଥିଲା, ଯାହା ପୂର୍ବଦିନ ୯୯୯ ଥିଲା। ଏଥି ସହ ଦୈନିକ ନୂତନ ସଂକ୍ରମଣ ୩୩,୨୦୮ ହୋଇଥିଲା, ଯାହା ପୂର୍ବଦିନ ତୁଳନାରେ ୧୦୦୦ରୁ ଅଧିକ।
ରୁଷୀୟ କର୍ତ୍ତୃପକ୍ଷ ଦେଶରେ ଟିକାକରଣର ଗତି ବୃଦ୍ଧି କରିବା ପାଇଁ ଲଟେରି, ବୋନସ୍, ଅନ୍ୟ ପ୍ରୋତ୍ସାହନ ଆଦି ଘୋଷଣା କରି ଓ ନାନା ପ୍ରକାର ଚେଷ୍ଟା କରି ହାଲିଆ ହୋଇଗଲେଣି। କିନ୍ତୁ ଟିକା ପ୍ରତି ଲୋକଙ୍କର ଅନ୍ଧବିଶ୍ବାସ ଓ ଅବିଶ୍ବାସ ଦୂର ହେଉନାହିଁ। ସରକାରଙ୍କ ସୂଚନା ଅନୁସାରେ ଅଦ୍ୟାବଧି ଦେଶର ୧୪୬ ନିୟୁତ ଟିକାଯୋଗ୍ୟ ଜନସାଧାରଣଙ୍କ ମଧ୍ୟରୁ ୪୩ ନିୟୁତ ବା ପ୍ରାୟ ୪୬ ପ୍ରତିଶତ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ଏତେ ସଂଖ୍ୟାରେ ମୃତ୍ୟୁ ହେବା ଓ ସଂକ୍ରମଣ ବୃଦ୍ଧି ପାଇବା ସତ୍ତ୍ବେ ସରକାର ଆଉ ଲକ୍ଡାଉନ୍ କରିବେ ନାହିଁ। କାରଣ ଗତବର୍ଷ ଏଥିଯୋଗୁ ଦେଶର ବ୍ୟାପକ ଆର୍ଥିକ କ୍ଷତି ଘଟିବା ସହ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଲୋକପ୍ରିୟତାର ବି ହ୍ରାସ ଘଟିଥିଲା। ତା’ ବଦଳରେ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କୁ ପ୍ରୟୋଜନ ଅନୁସାରେ କୋଭିଡ୍-କଟକଣା ଲାଗୁ କରିବାକୁ ସରକାର ସ୍ବାଧୀନତା ଦେଇଛନ୍ତି। ବର୍ତ୍ତମାନ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୪୧୮,୦୦୦ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ରୁଷିଆ ହେଉଛି ପୃଥିବୀର ଚତୁର୍ଥ ସବୁଠୁ କରୋନା-ପୀଡ଼ିତ ଦେଶ।
The post ରୁଷିଆରେ ଦୈନିକ କୋଭିଡ୍-ମୃତ୍ୟୁ ସଂଖ୍ୟା ପ୍ରଥମ ଥର ପାଇଁ ୧୦୦୦ ଟପିଲା first appeared on Sambad.from କରୋନା | Sambad https://ift.tt/3jbBZFy
0 Comments