ଅଗଷ୍ଟ ସରିଲା, ବଳକା କୋଭିଡ୍‌ ମୃତ୍ୟୁ ଘୋଷଣା ସରୁନି
ଅଗଷ୍ଟରେ ୨୮ହଜାର ୭୩୨ ଆକ୍ରାନ୍ତ, ୨ହଜାର ମୃତ

ଭୁବନେଶ୍ବର : ଜୁଲାଇ ମାସର ପ୍ରଥମ ସପ୍ତାହରେ ରାଜ୍ୟ ସରକାର ବଳକା କୋଭିଡ୍‌ ମୃତ୍ୟୁର ଘୋଷଣା ଆରମ୍ଭ କଲେ। ଦୈନିକ ୩୦/୪୦ ଭିତରେ ସୀମିତ ରହୁଥିବା କୋଭିଡ୍‌ ମୃତ୍ୟୁ ସଂଖ୍ୟା ହଠାତ୍ ବୃଦ୍ଧି ପାଇ ୬୦ ପାର୍ କରିଥିଲା। ସରକାରଙ୍କ ଯୁକ୍ତି ଥିଲା ଯେ ବିଭିନ୍ନ କାରଣ ପାଇଁ ଅଡିଟ୍‌ ହୋଇପାରି ନ ଥିବା କୋଭିଡ୍‌ ମୃତ୍ୟୁର ଏବେ ଘୋଷଣା କରାଯିବ। ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଯେତିକି କରୋନା ମୃତ୍ୟୁ ଘୋଷଣା ବା‌କି ରହିଯାଇଛି, ତାହା ଜୁଲାଇ ଶେଷ ଆଡ଼କୁ ସରିଯିବ। ଜୁଲାଇ ସରିଗଲା, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଗଲା ଆଉ ୧୫ଦିନ ଭିତରେ ‌ଘୋଷଣା ଶେଷ ହେବ। ପରେ କୁହାଗଲା ଅ‌ଗଷ୍ଟ ଶେଷ ମାସ ଶେଷ ଆଡ଼କୁ ସରିଯିବ। ଏବେ ଅଗଷ୍ଟ ମାସ ଶେଷ ହୋଇଯାଇଛି, ହେଲେ ବଳକା କୋଭିଡ୍‌ ମୃତ୍ୟୁ ପୂର୍ବଭଳି ଜାରି ରହିଛି। ଯଦିଓ ସଂଖ୍ୟା ପୂର୍ବ ତୁଳନାରେ କମ୍ ରହିଛି ତଥାପି ବର୍ତମାନର ସଂକ୍ରମିତଙ୍କ ସଂଖ୍ୟାକୁ ଦେଖିଲେ ଯଥେଷ୍ଟ ଅଧିକ।

ଅନ୍ୟପକ୍ଷରେ ରାଜ୍ୟରେ କୋଭିଡ୍‌ ମୃତ୍ୟୁ ଆଜି ୮ହଜାର ଟପିଛି। ଆଉ ୫୩ଜଣ କୋଭିଡ୍‌ରେ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା ହେବା ପରେ ମୃତ୍ୟୁ ସଂଖ୍ୟା ୮୦୨୨ରେ ପହଞ୍ଚିଛି। କୋଭିଡରେ ୮ହଜାର ମୃତ୍ୟୁ ହୋଇଥିବା ରାଜ୍ୟମାନଙ୍କ ଭିତରେ ଓଡ଼ିଶା ୧୬ ନମ୍ବର ସ୍ଥାନରେ ରହିଛି। କରୋନାର ଦ୍ବିତୀୟ ଲହରରେ ଏବେ ସୁଦ୍ଧା ରାଜ୍ୟରେ ୬୧୪୯ ଲୋକଙ୍କ କରୋନାରେ ମୃତ୍ୟୁ ହେଲାଣି। ଗତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ସରକାରୀ ଭା‌ବେ ୧୮୭୬ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତରେ କହିଛନ୍ତି, ବଳକା କୋଭିଡ ମୃତ୍ୟୁ ହିସାବ ସରି ଆସିଲାଣି। ଆଉ ୨/୩ଦିନ ଭିତରେ ଘୋଷଣା ଶେଷ ହୋଇଯିବ। ହେଲେ ଏବେ ବି ଆଇସିୟୁରେ ଶତାଧିକ ରୋଗୀ ରହିଛନ୍ତି। ଯେଉଁମାନେ କି ଗତ ମାସେ କିମ୍ବା ଦେଢ଼ ମାସ ହେବ ଚିକିତ୍ସିତ ହେଉଛନ୍ତି। ବର୍ତମାନ ହସ୍ପିଟାଲରେ ଆଡମିସନ୍ କମ୍ ରହିଛି। ହେଲେ ଦୀର୍ଘଦିନ ଧରି ଆଇସିୟୁରେ ଚିକିତ୍ସିତ ହେଉଥିବା ରୋଗୀଙ୍କ କ୍ଷେତ୍ରରେ କିଛି କୁହାଯାଇ ପାରିବ ନାହିଁ। ତେଣୁ କିଛି ମୃତ୍ୟୁ ସଂଖ୍ୟା ଆସିପାରେ। କୋଭିଡ ମୃତ୍ୟୁ ଅଡିଟ୍‌କୁ ବେଶ୍ ଗୁରୁତ୍ବ ଦିଆଯାଉଛି। କୌଣସି ‌ବ୍ୟକ୍ତି ଯେପରି କ୍ଷତିପୂରଣ ପାଇବାରୁ ବଞ୍ଚିତ ନ ହେବେ ତାହାକୁ ଧ୍ୟାନରେ ରଖି କୋଭିଡ ମୃତ୍ୟୁ ଘୋଷଣା କରାଯାଉଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

World Scouting

ଅପରପକ୍ଷରେ ଗତ ଅଗଷ୍ଟ ମାସରେ ରାଜ୍ୟରେ ୨୮,୭୩୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ହଜାର କୋଭିଡ ମୃତ୍ୟୁ ଘୋଷଣା ହୋଇଛି। ଯାହାଫଳରେ ଗତ ମାସରେ କେସ୍ ଫାଟାଲିଟି ରେଟ୍‌ ବା ସିଏଫ୍‌ଆର୍‌ ୭ ପ୍ରତିଶତ ଛୁଇଁଛି। ମାତ୍ର ସାମଗ୍ରୀକ ଭାବେ ରାଜ୍ୟର ସିଏଫ୍‌ଆର୍‌ ୦.୭୯ ପ୍ରତିଶତ ରହିଛି। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, କୋଭିଡ୍‌ ମୃତ୍ୟୁ ସଂଖ୍ୟା କମିଛି। ଆଗକୁ ମଧ୍ୟ ଆହୁରି କମିବ। ତେଣୁ ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ। ବିଭାଗ ପକ୍ଷରୁ ଏଥିପାଇଁ ପ୍ରଚେଷ୍ଟା ଜାରି ରହିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୭୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୧.୧ ପ୍ରତିଶତ ରହିଛି। ସ୍ବାଭାବିକ ଭାବେ ଖୋର୍ଧା ଓ କଟକ ଜିଲ୍ଲାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ୨୫୯ ଓ କଟକରୁ ୮୯ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ ବାଲେଶ୍ବର ୪୩, ମୟୂରଭଞ୍ଜ ୩୦, କେନ୍ଦ୍ରାପଡ଼ା ୨୮, ଯାଜପୁର ୨୭, ଜଗତସିଂହପୁର ୨୩, ସୁନ୍ଦରଗଡ଼ ୧୯ ଓ ଷ୍ଟେଟ୍‌ ପୁଲରୁ ୫୭ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୮ହଜାର ୪୬୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୬୬୬ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୯୩ହଜାର ୯୦୧କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୪୯୩ରେ ସ୍ଥିର ରହିଛି।

The post ରାଜ୍ୟରେ କୋଭିଡ୍‌ ମୃତ୍ୟୁ ୮ହଜାର ଟପିଲା first appeared on Sambad.

from କରୋନା | Sambad https://ift.tt/2WEp5YV