
ନୂଆଦିଲ୍ଲୀ: ନିମ୍ନ ଅଥବା ମଧ୍ୟମ ଧରଣର ସଂକ୍ରମଣ ବ୍ୟାପୁଥିବାରୁ ଭାରତରେ କୋଭିଡ୍-୧୯ ଏକ ଜାତୀୟ ଆଞ୍ଚଳିକ ରୋଗ ପର୍ଯ୍ୟାୟକୁ ଗତି କରୁଥାଇ ପାରେ ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ଏକ ସାକ୍ଷାତ୍କାରରେ କହିଛନ୍ତି।
ଜନତା ଭୂତାଣୁ ସହ ଚଳି ଶିଖିବା ପର୍ଯ୍ୟାୟକୁ ‘ଏଣ୍ଡେମିକ୍ ଷ୍ଟେଜ୍’ ବା ‘ସ୍ଥାନିକ ଅବସ୍ଥା’ ଅଥବା ‘ସ୍ଥାନୀୟ ରୋଗ’ କିଂବା ‘ଦେଶୀୟ ରୋଗ’ କୁହାଯାଏ। କିନ୍ତୁ, ଏହି ଅବସ୍ଥା ଜନସାଧାରଣଙ୍କୁ ବେକାବୁ କରିପକାଉଥିବା ମହାମାରୀ ସ୍ତର ଠାରୁ ଅତି ଭିନ୍ନ।
ତାଙ୍କ ମତରେ ଭାରତ ଭୂଖଣ୍ଡର ବିଶାଳ ଆକାର, ଜନସାଧାରଣଙ୍କ ଗୁଣସୂତ୍ରୀୟ ବିବିଧତା ଏବଂ ଦେଶର ବିଭିନ୍ନ ଅଞ୍ଚଳର ଜନତାଙ୍କ ରୋଗପ୍ରତିରୋଧକ ଶକ୍ତିର ସ୍ଥିତି ଯୋଗୁଁ ଏଭଳି ହେବାର ସମ୍ଭାବନା ଅଛି। ଫଳରେ ଦେଶର ବିଭିନ୍ନ ପ୍ରାନ୍ତରେ କୋଭିଡ୍-୧୯ ସଂକ୍ରମଣରେ ହ୍ରାସବୃଦ୍ଧି ଲାଗି ରହିପାରେ। ଯଦି ୨୦୨୨ ସୁଦ୍ଧା ୭୦% ଜନତାଙ୍କୁ ଟିକା ଦିଆଯାଇ ପାରେ ତେବେ, ପରିସ୍ଥିତି ସ୍ବାଭାବିକ ହୋଇଯିବ।
ପିଲାମାନଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପିବା ଆଶଙ୍କା କଥାରେ ପିତାମାତାମାନେ ଆତଙ୍କିତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସେମାନେ ପ୍ରାପ୍ତବୟସ୍କଙ୍କ ଭଳି ସଂକ୍ରମିତ ହୋଇ ନ ପାରନ୍ତି ବୋଲି ‘ସିରୋ ସର୍ଭେ’ରୁ ଆକଳନ କରାଯାଉଛି। ପିଲାମାନଙ୍କ କ୍ଷେତ୍ରରେ କୋଭିଡ୍-୧୯ ସଂକ୍ରମଣ ସାମାନ୍ୟ ରହିଥିବା କଥା ‘ସିରୋ ସର୍ଭେ’ରୁ ଜଣାପଡ଼ିଛି। କିନ୍ତୁ, ସେଥିନିମନ୍ତେ ଡାକ୍ତରୀ ଭିତ୍ତିଭୂମି ପ୍ରସ୍ତୁତି କରି ସଜାଗ ରହିବାକୁ ପଡ଼ିବ।
ସେହିଭଳି, ‘କୋଭାକ୍ସିନ୍’କୁ ଅନୁମୋଦନ ଦେବା ପ୍ରସଙ୍ଗରେ ସେ କହିଛନ୍ତି ଯେ, ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ବୈଷୟିକ ଦଳ ‘କୋଭାକ୍ସିନ୍’କୁ ଅନ୍ୟତମ ସ୍ବୀକୃତିପ୍ରାପ୍ତ ଟିକା ଭାବେ ଅନୁମୋଦନ କରିବାରେ ସନ୍ତୋଷ ପ୍ରକାଶ କରିବେ ବୋଲି ତାଙ୍କର ଦୃଢ଼ ବିଶ୍ବାସ ରହିଛି। ସେପ୍ଟେମ୍ବର ମଧ୍ୟ ଭାଗକୁ ‘କୋଭାକ୍ସିନ୍’କୁ ସ୍ବୀକୃତି ମିଳିପାରେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।
The post ଭାରତରେ କୋଭିଡ୍-୧୯ ଏକ ପ୍ରକାର ସ୍ଥାନୀୟ ରୋଗ ପର୍ଯ୍ୟାୟକୁ ଗତି କରିପାରେ: ‘ହୁ’ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ବାମୀନାଥନ୍ first appeared on Sambad.from କରୋନା | Sambad https://ift.tt/2Wr97Rq
0 Comments