
ଭୁବନେଶ୍ବର: ଓଡ଼ିଶାରେ ସମ୍ଭାବ୍ୟ ତୃତୀୟ ଲହରର କମ୍ ପ୍ରଭାବ ରହିବ। କରୋନାର ଯଦି କୌଣସି ନୂତନ ଭାରିଏଣ୍ଟ ନ ଆସେ ତାହେଲେ ଦୈନିକ ସଂକ୍ରମଣ ୨ହଜାର ମଧ୍ୟରେ ରହିପାରେ। ସେପ୍ଟେମ୍ବରରୁ ସଂକ୍ରମଣ ବଢ଼ିବା ସହିତ ଅକ୍ଟୋବର ଶେଷ ଆଡ଼କୁ ପୁଣି ଖସି ଆସିବ। ମୋଟାମୋଟି ଭାବେ ମାସେ କିମ୍ବା ଦେଢ଼ମାସ ରହିପାରେ କରୋନା। କରୋନାର ତୃତୀୟ ଲହରକୁ ନେଇ ଏଭଳି ପୂର୍ବାନୁମାନ କରିଛି ଆଇଆଇଟି କାନପୁରର ‘ସୂତ୍ର’ ମଡେଲ।
ଏହି ମଡେଲ ପ୍ରସ୍ତୁତ କରୁଥିବା ଟିମ୍ର ସଦସ୍ୟ ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ ଆଜି ଏ ନେଇ ‘ସମ୍ବାଦ’କୁ କହିଛନ୍ତି, ଓଡ଼ିଶା ଟିକାକରଣରେ ବେଶ୍ ଆଗୁଆ ରହିଛି। ତେଣୁ ତୃତୀୟ ଲହାରରେ କରୋନାର ଏତେଟା ପ୍ରଭାବ ଦେଖିବାକୁ ମିଳିବ ନାହିଁ। ଚଳିତ ମାସରେ ଓଡ଼ିଶାରେ କରୋନାକୁ ନେଇ ଯେଉଁ କଟକଣା ରହିଛି ତାହା ଯଦି ଆସନ୍ତା ମାସରେ ସଂପୂର୍ଣ୍ଣ ଭାବେ ଖୋଲି ଦିଆଯାଏ, ତାହେଲେ ଧୀରେ ଧୀରେ ସଂକ୍ରମଣ ବଢ଼ିବ। ଏବେ ଦୈନିକ ସଂକ୍ରମଣ ହଜାରେ ତଳକୁ ରହିଥିବା ବେଳେ ଅକ୍ଟୋବର ମଧ୍ୟଭାଗରେ ଏହା ଧୀରେଧୀରେ ବଢ଼ି ୨ହଜାର ପାର୍ କରିପାରେ। ଯଦି ରାଜ୍ୟ ସରକାର ଲକ୍ଡାଉନ୍ କିମ୍ବା ଅନ୍ୟ କଟକଣା ଜାରି କରନ୍ତି ତାହେଲେ ହୁଏତ ସଂକ୍ରମଣ ପୁଣି କମିଯାଇପାରେ। ହେଲେ ସଂକ୍ରମଣ ଲମ୍ବିବ, ନଚେତ୍ ଅକ୍ଟୋବର ଶେଷ ଅଡ଼କୁ ସଂକ୍ରମଣ କମି ଆସିବ।
ଅପରପକ୍ଷରେ ଯଦି ଡେଲ୍ଟା କିମ୍ବା ଡେଲ୍ଟା ପ୍ଲସ୍ ଭଳି ନୂଆ ଭାରିଏଣ୍ଟ ଆସେ ତାହାଲେ ସଂକ୍ରମଣ ସଂଖ୍ୟା ବଢ଼ିଯିବ। ଏପରିକି ଦୈନିକ ସଂକ୍ରମଣ ୫ହଜାର ପାର୍ କରିବ। ହେଲେ ଦ୍ବିତୀୟ ଲହର ଭଳି ଏହା ଏତେଟା ଘାତକ ହେବ ନାହିଁ। ଯାହାଫଳରେ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ରହିବ। ନୀତି ଆୟୋଗ ପକ୍ଷରୁ ତୃତୀୟ ଲହରକୁ ନେଇ ଯେଉଁ ପୂର୍ବାନୁମାନ କରାଯାଇଛି ଏଥିରେ ଟିକାକରଣ ଓ ନୂତନ ଭାରିଏଣ୍ଟକୁ ବିଚାରକୁ ନିଆଯାଇଛି। ସବୁ ଠିକଠାକ୍ ରହିଲେ ଓଡ଼ିଶା ସମେତ ଦେଶରେ ମଧ୍ୟ ସଂକ୍ରମଣ ଏତେଟା ଅଧିକ ହେବ ନାହିଁ ବୋଲି ପ୍ରଫେସର ଅଗ୍ରୱାଲ କହିଛନ୍ତି।
The post ଓଡ଼ିଶାରେ ତୃତୀୟ ଲହରରେ ସଂକ୍ରମଣ ଆଶଙ୍କା କମ୍: କାନପୁର ଆଇଆଇଟି ‘ସୂତ୍ର’ ମଡେଲର ପୂର୍ବାନୁମାନ first appeared on Sambad.from କରୋନା | Sambad https://ift.tt/3sHTOzE
0 Comments