ଭୁବନେଶ୍ବର: ଗତବର୍ଷ ଭଳି ଏବର୍ଷ ବି ବିନା ଭକ୍ତରେ ଗଣେଶପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ଅନୁଷ୍ଠିତ ହେବ। ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର ମାର୍ଗଦର୍ଶିକା ଜାରି କରିଛନ୍ତି। ଏହାଛଡ଼ା ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ପଡ଼ୁଥିବା ସବୁ ପାର୍ବଣ ଲାଗି ଏହି ନିୟମ ଲାଗୁ ହେବ। ସବୁ ପୂଜାମଣ୍ଡପରେ ୪ଫୁଟରୁ କମ୍ ଉଚ୍ଚତାରେ ହେବ ମୂର୍ତ୍ତି। ପୂଜାମଣ୍ଡପ ତିନି ପଟରୁ ସମ୍ପୂର୍ଣ୍ଣ ଆବଦ୍ଧ ହେବ। ସାମ୍ନା ପଟରୁ ଏମିତି ଆବଦ୍ଧ ହେବ ଯେମିତି ଦର୍ଶନ କରିବେନି ଭକ୍ତ। କର୍ତ୍ତା, ପୁରୋହିତ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମିଶାଇ ୭ଜଣଙ୍କୁ ଅନୁମତି ମିଳିବ। ମଣ୍ଡପରେ ପୂଜା ପାଇଁ ଅନୁମତି ଜରୁରୀ ଏବଂ କୌଣସି ପ୍ରକାରର ସାଜସଜ୍ଜାକୁ ବାରଣ କରାଯାଇଛି। କୁତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ। ତେବେ ସୀମିତ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ଲାଗି ଅନୁମତି ଦିଆଯାଇଛି।
ଏହାଛଡ଼ା କୋଭିଡ୍ ନିୟମ ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ। ଏହି ଅବସରରେ ଭୋଜିଭାତକୁ ବି ବାରଣ କରାଯାଇଛି। କୌଣସି ସ୍ଥାନରେ ଏହି ଅବସରରେ କୌଣସି ପ୍ରକାରର ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ ନାହିଁ। ଏହାଛଡ଼ା ଭସାଣି ଯାତ୍ରାକୁ ବି ଅନୁମତି ନାହିଁ। ଏହି ସବୁ ନିୟମକୁ କଡ଼ାକଡ଼ି ଭାବେ ପାଳନର ତଦାରଖ ଲାଗି ଜିଲ୍ଲାପାଳ ଓ ମୁନସିପାଲ୍ କମିସନର ଓ କଟକ-ଭୁବନେଶ୍ବର କମିସନରେଟ୍ ପୁଲିସକୁ ଦାୟିତ୍ବ ଦିଆଯାଇଛି ବୋଲି ମାର୍ଗଦର୍ଶିକାରେ କୁହାଯାଇଛି ।
The post ବିନା ଭକ୍ତରେ ହେବ ଗଣେଶପୂଜା, ଦୁର୍ଗାପୂଜା ଓ କାଳୀପୂଜା: ମାର୍ଗଦର୍ଶିକା ଜାରି କଲେ ସ୍ବତନ୍ତ୍ର ରିଲିଫ୍ କମିସନର first appeared on Sambad.
from କରୋନା | Sambad https://ift.tt/3xsrCla
0 Comments