
ଭୁବନେଶ୍ବର: ରାଜ୍ୟରେ ଟିକାକରଣ ସ୍ଥିତି ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୋଟ ୧ କୋଟି ୭୮ ଲକ୍ଷ ଟିକାକରଣ ସରିଛି । ପ୍ରଥମ ଡୋଜ ୧ କୋଟି ୩୭ ଲକ୍ଷ ଓ ଦ୍ୱିତୀୟ ଡୋଜ ୪୧ ଲକ୍ଷ ଲୋକ ନେଇଛନ୍ତି। ୪୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଦିଆଯିବାର ଥିଲା। ଏବେ ରାଜ୍ୟରେ କୋଭାକ୍ସିନ କମ୍ ଅଛି। ଏଣୁ ସାମାନ୍ୟ ଅସୁବିଧା ହୋଇଛି। ଟିକା ଆସିଲେ ସମସ୍ୟା ଦୂର ହେବ। ସେ ଆହୁରି ମଧ୍ୟ କହିଛନ୍ତି, ଗର୍ଭବତୀ ମହିଳାଙ୍କର ଟିକାକରଣ ଚାଲିଛି। ଇତିମଧ୍ୟରେ ୫୭ ହଜାର ଜଣ ଗର୍ଭବତୀଙ୍କୁ ଟିକା ଦିଆଯାଇଛି। ୧୩୫୩ କେନ୍ଦ୍ରରେ ଟିକାକରଣ ହେଉଛି। ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଅଧିକରୁ ଅଧିକ ଟିକାକରଣ ପାଇଁ ଯୋଜନା କରାଯାଇଛି। ଟିକାକରଣରେ ପ୍ରଥମେ ସହରାଞ୍ଚଳକୁ ଫୋକସ କରାଯାଉଥିବା ବେଳେ ୮୦ ପ୍ରତିଶତ ସରିଲାଣି। ଏବେ ଗ୍ରାମାଞ୍ଚଳକୁ ଫୋକସ କରାଯାଉଛି।
ତୃତୀୟ ଲହର ସଂପର୍କରେ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଏହା ଏତେ ପ୍ରଭାବିତ ହେବନି ବୋଲି ଆଶା କରାଯାଉଛି। ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବା ଆଶଙ୍କା କରି ପ୍ରସ୍ତୁତି କରାଯାଉଛି। ତେବେ ଏଥିଲାଗି ସରଞ୍ଜାମ, ମାନବସମ୍ଵଳ, ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି। ଆଜି ଠୁ ଶିଶୁଙ୍କ ଚିକିତ୍ସା ନେଇ ତାଲିମ ଆରମ୍ଭ ହୋଇଛି। ଆଗଧାଡ଼ିର ଯୋଦ୍ଧା, ଅଙ୍ଗନବାଡି, ଆଶାକର୍ମୀମାନଙ୍କର ତାଲିମ ଶେଷ ହୋଇଛି। ଆଗକୁ ଶିଶୁମାନେ ଯଦି ସଂକ୍ରମିତ ହୁଅନ୍ତି ସେମାନେ କିପରି ସଠିକ ଚିକିତ୍ସା ପାଇ ପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଟିକା ମିକ୍ସ ନେଇ କିଛି ପରାମର୍ଶ ଆସିନି। ବୈଜ୍ଞାନିକ ସମ୍ମତ ହେବା ପରେ ତାହା ଆସିଲେ ସେନେଇ ଚିନ୍ତା କରାଯିବ।
ଟିକା ସାର୍ଟିଫିକେଟ ଡାଉନଲୋଡ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ଜାରି କରାଯାଇଛି। ହ୍ଵାଟ୍ସଆପ ନମ୍ବରରୁ ଟିକାକରଣ ସାର୍ଟିଫିକେଟ ଡାଉନଲୋଡ କରିହେବ। ଅନ୍ୟ ସୂଚନା ମଧ୍ୟ ପାଇପାରିବେ। ୯୦୧୩୧୫୧୫୧୫ ନମ୍ବରକୁ ଆଡ୍ କରି ସାର୍ଟିଫିକେଟ ଡାଉନଲୋଡ୍ କରାଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି।
The post ବର୍ତ୍ତମାନ ସୁଦ୍ଧା ମୋଟ ୧ କୋଟି ୭୮ ଲକ୍ଷ ଟିକାକରଣ ସରିଛି: ପରିବାର କଲ୍ୟାଣ ନିର୍ଦେଶକ first appeared on Sambad.from କରୋନା | Sambad https://ift.tt/3yzwx5a
0 Comments