
ନୂଆଦିଲ୍ଲୀ: ଆମେରିକୀୟ କମ୍ପାନି ଜନ୍ସନ ଆଣ୍ଡ୍ ଜନ୍ସନର ସିଙ୍ଗଲ୍ ଡୋଜ୍ କରୋନା ଟିକାକୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଆଜି ମଂଜୁରି ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ଏ ବାବଦରେ ସୂଚନା ଦେଇ କହିଛନ୍ତି, କରୋନା ଲଢ଼େଇରେ ଏବେ ଭାରତୀୟଙ୍କ ପାଇଁ ଜନ୍ସନର ସିଙ୍ଗଲ୍ ଡୋଜ୍ କୋଭିଡ୍ ଟିକାକୁ ମଂଜୁରି ଦିଆଯାଇଛି। ଗୋଟିଏ ମାତ୍ରା ବିଶିଷ୍ଟ ଏହି ଟିକା ବେଶ୍ ଫଳପ୍ରଦ ଏବଂ ଦେଶର ଟିକାକରଣ ଅଭିଯାନକୁ ଏହା ତ୍ବରାନ୍ବିତ କରିବ ବୋଲି ସେ କହିଛନ୍ତି। ଆଜି ସୁଦ୍ଧା ଦେଶରେ ୫ଟି କୋଭିଡ୍ ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି ଏବଂ ଟିକାକରଣ ଲକ୍ଷ୍ୟ ହାସଲ ଦିଗରେ ଦେଶ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି। ଜନ୍ସନ ଆଣ୍ଡ୍ ଜନ୍ସନ ସଂସ୍ଥା ଗତ ୫ ତାରିଖ ଦିନ ଭାରତ ସରକାରଙ୍କୁ ସିଙ୍ଗଲ ଡୋଜ ଟିକା ବ୍ୟବହାର ପାଇଁ ମଂଜୁରି ମାଗିଥିଲା ଏବଂ ପୂର୍ବରୁ ଏହି ଟିକାର ସମସ୍ତ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟର ତର୍ଜମା ବିଶେଷଜ୍ଞ କମିଟି ଦ୍ବାରା ହୋଇଥିଲା । ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଏହି ଟିକା ଉପଲବ୍ଧ ହେବ ଏବଂ ଏହା ୮୫ ପ୍ରତିଶତ ପ୍ରଭାବୀ ବୋଲି ଜନ୍ସନ ମୁଖପାତ୍ର କହିଛନ୍ତି। ଟିକା ବାବଦ ସମସ୍ତ ରିପୋର୍ଟର ବିସ୍ତୃତ ଅଧ୍ୟୟନ ପରେ ବିଶେଷଜ୍ଞ କମିଟିର ପରାମର୍ଶକ୍ରମେ ସରକାର ଏହାକୁ ମଂଜୁରି ପ୍ରଦାନ କରିଛନ୍ତି।
ଦେଶରେ ଏବେ କୋଭିସିଲ୍ଡ, କୋଭାକ୍ସିନ, ସ୍ପୁଟନିକ ଭି ଏବଂ ମଡର୍ଣ୍ଣା ଟିକା ପରେ ୫ମ ଟିକା ଭାବେ ଜନ୍ସନକୁ ମଂଜୁରି ମିଳିଛି। ସିରମ୍ ଇନ୍ଷ୍ଟିଚ୍ୟୁଟ କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବା ବେଳେ ଭାରତ ବାୟୋଟେକ କୋଭାକ୍ସିନ ଟିକା ପ୍ରସ୍ତୁତ କରୁଛି। ରୁଷ୍ର ସ୍ପୁଟ୍ନିକ ଭି ଟିକା ମଧ୍ୟ ଭାରତର ଟିକାକରଣରେ ସାମିଲ ହୋଇଛି । କୋଭିସିଲ୍ଡ ୯୦ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ଦାବି କରିଥିବା ବେଳେ କୋଭାକ୍ସିନ ୮୧ ପ୍ରତିଶତ ଏବଂ ମଡର୍ଣ୍ଣା ଟିକା ୯୪.୧ ପ୍ରତିଶତ ଫଳପ୍ରଦ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ସ୍ପୁଟନିକ ଭି ୯୧.୬ ପ୍ରତିଶତ ଏବଂ ଜନ୍ସନ ଆଣ୍ଡ୍ ଜନ୍ସନ ଟିକା ୮୫ ପ୍ରତିଶତ ଫଳପ୍ରଦ ବୋଲି ସଂପୃକ୍ତ କମ୍ପାନି ପକ୍ଷରୁ କୁହାଯାଇଛି।
The post ଜନ୍ସନ ଟିକାକୁ ଭାରତର ମଂଜୁରି, ଦେଶରେ ଉପଲବ୍ଧ ହେବ ପ୍ରଥମ ସିଙ୍ଗଲ୍ ଡୋଜ୍ କରୋନା ଟିକା first appeared on Sambad.from କରୋନା | Sambad https://ift.tt/3rYyFB0
0 Comments