ଟିକାକରଣ ୫୦ କୋଟି ଟପିଲା, ପ୍ରତିଦିନ ପ୍ରସ୍ତୁତ ହେଉଛି ୪୦ ଲକ୍ଷ ଡୋଜ୍‌

ନୂଆଦିଲ୍ଲୀ, ୭/୮: ଭାରତରେ କରୋନା ସଂକ୍ରମଣ ବିରୋଧରେ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇଛି। ଇତିମଧ୍ୟରେ ଟିକାକରଣରେ ଦେଶ ଏକ ବଡ଼ ମାଇଲସ୍ତମ୍ଭ ଅତିକ୍ରମ କରିଛି। ଦେଶରେ ଏପର୍ଯ୍ୟନ୍ତ ୫୦ କୋଟିରୁ ଅଧିକ ଡୋଜ୍ ଟିକା ଦିଆ ସରିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ଆଜି ଟ୍ବିଟ୍‌ କରି ଏହା ପ୍ରକାଶ କରିଛନ୍ତି।
ମଣ୍ଡାଭିୟା ତାଙ୍କ ଟୁଇଟରେ ଲେଖିଛନ୍ତି ଯେ, ଟିକାକରଣରେ ୫୦ କୋଟି ସଂଖ୍ୟା ଅତିକ୍ରମ କରି କରୋନା ଲଢ଼େଇରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ଏଥିପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ବିଟ୍‌ କରି ଖୁସି ବ୍ୟକ୍ତ କରିବା ସହ ଏହାକୁ ଆହୁରି ଆଗେଇନେବା ପାଇଁ ପ୍ରେରଣା ଦେଇଛନ୍ତି। ଜୁଲାଇରେ ୧୩.୪୫ କୋଟି ଡୋଜ୍‌ ଦିଆଯାଇଥିବା ବେଳେ ପ୍ରତିଦିନ ହାରାହାରି ୪୩.୪୧ ଲକ୍ଷ ଡୋଜ୍‌ ଟିକା ଦିଆଯାଇଥିବା ଜଣାପଡ଼ିଛି। ଶନିବାର ସକାଳ ୭ଟା ସୁଦ୍ଧା ଦେଶରେ ମୋଟ୍‌ ୫୦,୧୦,୦୯,୬୦୯ ଡୋଜ୍‌ ଟିକା ଦିଆଯାଇଛି। ଅନ୍ୟପକ୍ଷେ ଦେଶରେ ସମସ୍ତ ପ୍ରାପ୍ତବୟସ୍କଙ୍କୁ ଟିକା ପ୍ରଦାନ ଲକ୍ଷ୍ୟ ପୂରଣ ପାଇଁ ଟିକା ଉତ୍ପାଦନ ମଧ୍ୟ ତ୍ବରାନ୍ବିତ ହୋଇଛି। ଦୈନିକ ପ୍ରାୟ ୪୦ ଲକ୍ଷ ଡୋଜ୍‌ ପ୍ରସ୍ତୁତ ହେଉଛି ଏବଂ ଅଗଷ୍ଟ ଶେଷ ସୁଦ୍ଧା ଏଥିରେ ଉଲ୍ଲେଖନୀୟ ବୃଦ୍ଧି ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଛନ୍ତି। ପ୍ରାରମ୍ଭରେ ପ୍ରତିଦିନ ପ୍ରାୟ ୨.୫ ଲକ୍ଷ ଟିକା ଡୋଜ୍‌ ପ୍ରସ୍ତୁତ ହେଉଥିବା ବେଳେ ବିଭିନ୍ନ ସଂସ୍ଥା ଟିକା ଉତ୍ପାଦନ ବଢ଼ାଇବାରେ ସକ୍ଷମ ହୋଇଥିବାରୁ ଟିକା ଅଭାବ ଧୀରେ ଧୀରେ ଦୂର ହେଉଛି। ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୧ କୋଟିରୁ ଅଧିକ ମାତ୍ରା ପ୍ରଦାନ କରିଥିବା ରାଜ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ରହିଛି। ଅଗଷ୍ଟ ୩ ତାରିଖ ସୁଦ୍ଧା ୟୁପିରେ ୫ କୋଟିରୁ ଅଧିକ ଟିକା ଡୋଜ୍‌ ଦିଆ ସରିଛି। ଟିକାକରଣର ପ୍ରଥମ ପର୍ଯ୍ୟାୟରେ ୧୦ କୋଟି ସଂଖ୍ୟାରେ ପହଞ୍ଚିବା ପାଇଁ ୮୫ ଦିନ ଲାଗିଥିବା ବେଳେ ୧୦ରୁ ୨୦ କୋଟିରେ ପହଞ୍ଚିବାକୁ ୪୫ ଦିନ, ୨୦ରୁ ୩୦ କୋଟିରେ ପହଞ୍ଚିବାକୁ ୨୯ ଦିନ, ୩୦ରୁ ୪୦ କୋଟିରେ ପହଞ୍ଚିବାକୁ ୨୪ ଦିନ ଏବଂ ଏବଂ ୫୦ କୋଟିରେ ପହଞ୍ଚିବାକୁ ମାତ୍ର ୨୦ ଦିନ ଲାଗିଛି। ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ଉତ୍ପାଦନ ବଢ଼ିବା ମଧ୍ୟ ଆଶ୍ବସ୍ତିର କାରଣ ହୋଇଛି।

The post ଟିକାକରଣ ୫୦ କୋଟି ଟପିଲା, ପ୍ରତିଦିନ ପ୍ରସ୍ତୁତ ହେଉଛି ୪୦ ଲକ୍ଷ ଡୋଜ୍‌ first appeared on Sambad.

from କରୋନା | Sambad https://ift.tt/3AiT46E

Post a Comment

0 Comments