ନୂଆଦିଲ୍ଲୀ, ୩/୮ : କେରଳରେ ସଂକ୍ରମଣ କମିବାର ନାଁ ଧରୁନି। ଲଗାତାର ସଂକ୍ରମଣ ବଢ଼ୁଥିବାରୁ ବିଶେଷଜ୍ଞମାନେ ତୃତୀୟ ଲହର ନେଇ ସତର୍କ କରାଇଛନ୍ତି। ରାଜ୍ୟ ସରକାର ଏନେଇ କୌଣସି ଘୋଷଣା କରିନଥିଲେ ମଧ୍ୟ ବିଶେଷଜ୍ଞମାନେ ଏହା ତୃତୀୟ ଲହରର ଆରମ୍ଭ ବୋଲି ମତ ରଖିଛନ୍ତି। କେରଳରେ ଜୁନ୍‌ ୪ରୁ ଜୁଲାଇ ଶେଷ ସପ୍ତାହ ପର୍ଯ୍ୟନ୍ତ ଦୈନିକ ସଂକ୍ରମଣ ୧୨୦୦୦-୧୪୦୦୦ ରହୁଥିଲା। ତେବେ ଗତ ୬ ଦିନରେ ଦୈନିକ ସଂକ୍ରମଣ ୨୦ ହଜାରରୁ ୨୨ ହଜାର ରହିଛି। ଅନ୍ୟପକ୍ଷେ ରାଜ୍ୟରେ ଟେଷ୍ଟ୍‌ ପଜିଟିଭ୍‌ ହାର ୧୨ ପ୍ରତିଶତରୁ ଅଧିକ ରହିଛି। ବିଶେଷଜ୍ଞମାନେ କହିଛନ୍ତି, ସଂକ୍ରମଣ ବୃଦ୍ଧିରୁ ଜଣାପଡ଼ୁଛି ଯେ, ଆମେମାନେ ତୃତୀୟ ଲହରର ଆରମ୍ଭରେ ଅଛୁ ଏବଂ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ। ନୂଆ‌ କୋଭିଡ୍‌ ଲହରର ମୁକାବିଲା ପାଇଁ ସରକାର ଦୀର୍ଘକାଳୀନ ରଣନୀତିରେ କାର୍ଯ୍ୟ କରିବା ଉଚିତ ବୋଲି ମହାମାରୀ ରୋଗ ବିଶେଷଜ୍ଞ ଡାକ୍ତର ରମଣ କୁଟ୍ଟି କହିଛନ୍ତି। କେରଳରେ ଏବେ ଦେଶର ମୋଟ୍‌ ସଂକ୍ରମଣ ମାମଲାର ୫୧ ପ୍ରତିଶତରୁ ଅଧିକ ରହିଛି। ରାଜ୍ୟରେ ୭ ଦିନର ହାରାହାରି ଦୈନିକ ସଂକ୍ରମଣ ବୃଦ୍ଧି ହାର ୦.୬୦ ପ୍ରତିଶତ ରହିଛି । ଅନ୍ୟପକ୍ଷେ ଦେଶରେ ଏହା ମାତ୍ର ୦.୧୩ ପ୍ରତିଶତ। କେରଳରେ ଆଜି ୨୩,୬୭୬ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୧୪୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ଏକ ଜିନୋମ ସିକ୍ବେନ୍ସିଂ ଅଧ୍ୟୟନରୁ ଜଣାପଡ଼ିଛି ‌ଯେ ସଂକ୍ରାମକ ଡେଲ୍‌ଟା‌ ପ୍ରଜାତି କେରଳରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି ଏବଂ ମେ’ରୁ ଜୁଲାଇ ମଧ୍ୟରେ ସଂଗ୍ରହ ହୋଇଥିବା ପ୍ରାୟ ୯୦ ପ୍ରତିଶତ ନମୁନାରେ କରୋନାର ଡେଲ୍‌ଟା ପ୍ରଜାତି ଚିହ୍ନଟ ହୋଇଛି। କେରଳର କମ୍‌ ସଂକ୍ରମଣ ଏବଂ ଅଧିକ ସଂକ୍ରମଣ ଥିବା ବିଭିନ୍ନ ସ୍ଥାନରୁ ୮୩୫ ନମୁନାର ଜିନୋମ ସିକ୍ବେନ୍ସିଂ କରାଯାଇଥିଲା। ସେଥିରୁ ୭୩୫ ନମୁନାରେ ଡେଲ୍‌ଟା ପ୍ରଜାତି ଥିବା ଜଣାପଡ଼ିଛି। ଆଇଜିଆଇବି ଦିଲ୍ଲୀ ଏବଂ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଏହି ଅଧ୍ୟୟନ ହୋଇଛି।। ପ୍ରାୟ ସମସ୍ତ ଜିଲ୍ଲାରୁ ନମୁନା ସଂଗ୍ରହ ହୋଇଥିଲା ଏବଂ ଏର୍ନାକୁଲମ୍‌, କୋଝିକୋଡ୍‌ ଏବଂ ମଲପ୍ପୁରମ ଜିଲ୍ଲାରେ ଏହି ପ୍ରଜାତି ବହୁଳ ଭାବେ ଚିହ୍ନଟ ହୋଇଛି। ୱାୟନାଡ଼କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ମେ’ ଶେଷ ଏବଂ ଜୁନ୍‌ରେ ଏହି ପ୍ରଜାତି କ୍ଷିପ୍ର ଗତିରେ ମାଡ଼ିଛି। କେରଳରେ କରୋନାର ୩ଟି ପ୍ରଜାତି ଆଲ୍‌ଫା , କାପ୍ପା ଏବଂ ଡେଲ୍‌ଟା ଚିହ୍ନଟ ହୋଇଛି। କିନ୍ତୁ ଡେଲ୍‌ଟା ଅଧିକ ସଂକ୍ରାମକ। ଏବେ ରାଜ୍ୟରେ ଡେଲ୍‌ଟା ଏକ ପ୍ରଭାବୀ ପ୍ରଜାତି ହୋଇଛି। ଆସନ୍ତା ୩ ସପ୍ତାହ ରାଜ୍ୟ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ‌୍ କହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ରାଜ୍ୟ ଏଯାଏଁ ଦ୍ବିତୀୟ ଲହରରୁ ବାହାରିନଥିଲେ ମଧ୍ୟ ତୃତୀୟ ଲହର ପାଇଁ ବ୍ୟାପକ ପ୍ରସ୍ତୁତି କରିବାକୁ ହେବ।

ଦ୍ବିତୀୟ ଲହର ଏବେ ବି ସରିନି: ୧୨ ରାଜ୍ୟର ୪୪ ଜିଲ୍ଲାରେ ପଜିଟିଭ୍‌ ହାର ୧୦%ରୁ ଅଧିକ, ୮ ରାଜ୍ୟରେ ଆର୍‌ ଫ୍ୟାକ୍ଟର ବଢ଼ୁଛି

ନୂଆଦିଲ୍ଲୀ : ଦେଶରେ ଦ୍ବିତୀୟ ଲହର ଏଯାଏଁ ଶେଷ ହୋଇନି। ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୪ ଜିଲ୍ଲାରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି। କେରଳ, ମଣିପୁର‌, ମିଜୋରାମ , ନାଗାଲାଣ୍ଡ ସମେତ ଅନ୍ୟ ରାଜ୍ୟମାନଙ୍କର ୪୪ ଜିଲ୍ଲାରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦେଶରେ ଡେଲ୍‌ଟାଜନିତ କୋଭିଡ୍‌ ଦ୍ବିତୀୟ ଲହର ଏଯାଏଁ ଶେଷ ହୋଇନି ବୋଲି ନିତି ଆୟୋଗ ସଦସ୍ୟ ଡାକ୍ତର ଭି କେ ପଲ୍‌ ମଧ୍ୟ ସଚେତନ କରିଛନ୍ତି। ଗତ ୪ ସପ୍ତାହରେ କେରଳ, ମହାରାଷ୍ଟ୍ର, ମଣିପୁର ସମେତ ୬ ରାଜ୍ୟର ୧୮ ଜିଲ୍ଲାରେ ସଂକ୍ରମଣ ବଢ଼ିଛି।

୮ ରାଜ୍ୟରେ ଆର୍‌ ଫ୍ୟାକ୍ଟର ବଢ଼ୁଛି। ଆର୍‌ ଫ୍ୟାକ୍‌ଟର ହେଉଛି ଜଣେ ସଂକ୍ରମିତଙ୍କ ଠାରୁ କେତେଜଣ ସଂକ୍ରମିତ ହେଉଛନ୍ତି। ଏହା ଏବେ ବଢ଼ିବା ଅତି ଉଦ୍‌ବେଗଜନକ ବୋଲି ମତ ଦେଇ ପଲ୍ କହିଛନ୍ତି, ଆର୍‌ ଭାଲ୍ୟୁ ୦.୬ ତଳେ ରହିବା‌ ଉଚିତ। ତେବେ ଯଦି ଏହା ୧ରୁ ଅଧିକ ହେଉଛି ତାହା ଆଗକୁ ସ୍ଥିତି ଜଟିଳ କରିବ। ଅଧିକରୁ ଅଧିକ ରାଜ୍ୟରେ ଏବେ ପଜିଟିଭ୍‌ ହାର ବଢ଼ୁଛି। ହିମାଚଳପ୍ରଦେଶ, ଜମ୍ମୁ କାଶ୍ମୀର, ଲାକ୍ଷାଦ୍ବୀପ, ତାମିଲନାଡ଼ୁ, ମିଜୋରାମ, କର୍ଣ୍ଣାଟକ, ପୁଡ଼ୁଚେରୀ ଏବଂ କେରଳରେ ଆର୍‌ ଭାଲ୍ୟୁ ୧ରୁ ଅଧିକ ରହୁଛି। କେବଳ ଆନ୍ଧ୍ରପ୍ରଦେଶ ଏବଂ ମହାରା‌ଷ୍ଟ୍ରରେ ଆର୍‌ ଭାଲ୍ୟୁ କମିଛି।

ଅନ୍ୟପକ୍ଷେ ପଶ୍ଚିମବଙ୍ଗ, ନାଗାଲାଣ୍ଡ୍‌,ହରିୟାଣା, ଗୋଆ, ଦିଲ୍ଲୀ ଏବଂ ଝାଡ଼ଖଣ୍ଡରେ ଆର୍‌ ଭାଲ୍ୟୁ ୧ ପ୍ରତିଶତରୁ ଅଧିକ ରହିଛି। ଲବ ଅଗ୍ରୱାଲ୍‌ କହିଛନ୍ତି, ଯେତେବେଳେ ବି ଆର୍‌ ସଂଖ୍ୟା ୧ ପ୍ରତିଶତରୁ ଅଧିକ ରହୁଛି ତାହାକୁ ନିୟନ୍ତ୍ରଣ କରିବା ପାଇଁ ତ୍ବରିତ ପଦକ୍ଷେପ ନେବାକୁ ହେବ। ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଏବଂ ଭାରତରେ ଆର୍‌ ସଂଖ୍ୟା ହାରାହାରି ୧.୨ ରହିଛି। ଏହାର ଅର୍ଥ ଜଣେ ସଂକ୍ରମିତ ବ୍ୟକ୍ତି ୧ରୁ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛି। ପୁନଃ ସଂକ୍ରମଣ ବଢ଼ୁଥିବାରୁ ସଂକ୍ରମଣ ରୋକିବାପାଇଁ କରୋନା ନିୟମାବଳି ପାଳନ କରିବା ନିତାନ୍ତ ଆବଶ୍ୟକ ବୋଲି ଅଗ୍ରୱାଲ୍‌ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅଗ୍ରୱାଲ୍‌ କହିଛନ୍ତି, ଜୁନ୍‌ ୧ରେ ୨୭୯ ଜିଲ୍ଲାରେ ୧୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହେଉଥିଲା କିନ୍ତୁ ଏବେ ଏହା ୫୭ ଜିଲ୍ଲାକୁ କମିଯାଇଛି। ଏବେ ୫୭ ଜିଲ୍ଲାରେ ଦୈନିକ ପଜିଟିଭ୍‌ ମାମଲା ୧୦୦ରୁ ଅଧିକ ରହୁଛି। ତେବେ ୨୨୨ ଜିଲ୍ଲାରେ ସଂକ୍ରମଣ କମିଛି। କେରଳର ୧୦ ଜିଲ୍ଲା ସମେତ ସମୁଦାୟ ୧୮ ଜିଲ୍ଲାରେ ସଂକ୍ରମଣ ବଢ଼ିଛି। ଏହି ୧୮ ଜିଲ୍ଲାରେ ମୋଟ୍‌ ସଂକ୍ରମଣ ମାମଲାର ୪୭.୫ ପ୍ରତିଶତ ରହିଛି ବୋଲି ଅଗ୍ରୱାଲ୍‌ କହିଛନ୍ତି।

The post କେରଳରେ ୯୦% ନମୁନାରେ ଡେଲ୍‌ଟା, ତୃତୀୟ ଲହର ନେଇ ସତର୍କ କଲେ ବିଶେଷଜ୍ଞ first appeared on Sambad.

from କରୋନା | Sambad https://ift.tt/2Vf23ai