କୋଭିସିଲ୍‌ଡ-ସ୍ପୁଟ୍‌ନିକ୍‌ ଟିକା ମିଶ୍ରଣକୁ ଅନୁମତି ମିଳିପାରେ

ନୂଆଦିଲ୍ଲୀ: ବର୍ତ୍ତମାନର ନିୟମାନୁଯାୟୀ ଯେଉଁମାନେ ପ୍ରଥମ ଡୋଜ୍ ଗୋଟିଏ ଟିକା ନେଇଛନ୍ତି, ସେମାନେ ଦ୍ବିତୀୟ ଡୋଜ୍ ସେହି ଟିକା ହିଁ ନେବେ। କିନ୍ତୁ ଏଣିକି ସରକାର ଏଥିରେ ପରିବର୍ତ୍ତନ କରି ‘ମିକ୍ସ-ଆଣ୍ଡ୍-ମ୍ୟାଚ୍‌’କୁ ଅନୁମତି ଦେବାକୁ ଚିନ୍ତା କରୁଛନ୍ତି। ଏହାଦ୍ବାରା ଯୋଗାଣଜନିତ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ। ତା’ଛଡ଼ା ବର୍ତ୍ତମାନ ପ୍ରମାଣ ମିଳିଲାଣି ଯେ ଦୁଇଟି ଟିକାର ମିଶ୍ରଣ କେବଳ ନିରାପଦ ନୁହେଁ, ବରଂ ଏହାଦ୍ବାରା ରୋଗନିରୋଧକ କ୍ଷମତା ଅଧିକ ବୃଦ୍ଧି ପାଇଥାଏ। ଜାତୀୟ ବୈଷୟିକ ଟିକାକରଣ ଉପଦେଷ୍ଟା ମଣ୍ଡଳୀ (ଏନ୍‌ଟିଏଜିଆଇ)ର କୋଭିଡ୍‌-୧୯ ଉପରେ କାର୍ଯ୍ୟ କରୁଥିବା ଦଳ ଟିକା ମିଶ୍ରଣ ଅନୁମତି ଦେବାକୁ ଚିନ୍ତା କରୁଛି। କିନ୍ତୁ ଗୋଟିଏ ସର୍ତ୍ତ ହେଉଛି ଉଭୟ ଡୋଜ୍ ସମାନ ପ୍ରକାର ପ୍ଲାଟ୍‌ଫର୍ମରୁ ହେବା ଉଚିତ। ତା’ ମାନେ, ଜଣେ ଯଦି ପ୍ରଥମ ଡୋଜ୍ ହିସାବରେ କୋଭିସିଲ୍‌ଡ ନେଇଥିବ, ତେବେ ଦ୍ବିତୀୟ ଡୋଜ୍ ଭାବେ ସେ ସ୍ପୁଟ୍‌ନିକ୍-ଭି ନେଇପାରିବ, କାରଣ ଏ ଉଭୟ ଟିକାରେ ଦେହରେ ଆଣ୍ଟିଜେନ୍ ତିଆରି କରିବା ପାଇଁ ଆଡେନୋଭାଇରସ୍ ବ୍ୟବହାର କରାଯାଏ।

ସେହିପରି ପ୍ରଥମ ଡୋଜ୍ ଫାଇଜର ନେଇଥିବା ବ୍ୟକ୍ତି ଦ୍ବିତୀୟ ଡୋଜ୍ ଭାବେ ମଡର୍ଣ୍ଣା ନେଇପାରିବ, କାରଣ ଏ ଉଭୟ ହେଉଛି ଏମ୍‌-ଆର୍‌ଏନ୍‌ଏ ଟିକା। ତେବେ ଯେଉଁଠି ସମାନ ଟିକା ଉପଲବ୍ଧ ସେଠି ଲୋକମାନେ ଉଭୟ ଡୋଜ୍ ସେହି ସମାନ ଟିକା ନେବାକୁ ସରକାର ପ୍ରୋତ୍ସାହନ ଦେବେ। ମିକ୍ସ-ଆଣ୍ଡ୍-ମ୍ୟାଚ୍‌କୁ ଅନୁମତି ଦେବା ଲାଗି ସରକାର ଚିନ୍ତା କରିବାର କାରଣ ହେଉଛି, ଟିକାକରଣ ପ୍ରକ୍ରିୟାକୁ ସହଜ ଓ ତ୍ବରାନ୍ବିତ କରିବା। ଯେଉଁମାନେ ଗୋଟିଏ ଡୋଜ୍ ଟିକା ନେଇ ଦ୍ବିତୀୟ ଡୋଜ୍ ପାଇଁ ଅପେକ୍ଷା କରିଛନ୍ତି କିନ୍ତୁ ଟିକା ମିଳୁନାହିଁ, ସେ କ୍ଷେତ୍ରରେ ସେମାନେ ନିର୍ଦ୍ଧାରିତ ଭିନ୍ନ ଟିକା ବାଛିପାରନ୍ତି।

The post କୋଭିସିଲ୍‌ଡ-ସ୍ପୁଟ୍‌ନିକ୍‌ ଟିକା ମିଶ୍ରଣକୁ ଅନୁମତି ମିଳିପାରେ first appeared on Sambad.

from କରୋନା | Sambad https://ift.tt/37gqGFV

Post a Comment

0 Comments