ନୂଆଦିଲ୍ଲୀ: କେରଳ ଏବଂ ମହାରାଷ୍ଟ୍ରରେ ଅଧିକ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ଅଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରିବା ଲାଗି କେନ୍ଦ୍ର ଗୃହ ସଚିବ ପ୍ରସ୍ତାବ ଦେଇଛନ୍ତି। ଉଭୟ ରାଜ୍ୟର କୋଭିଡ୍-୧୯ଜନିତ ପରିସ୍ଥିତି ଏବଂ ତା’ର ପ୍ରତିକାର ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ ସମୀକ୍ଷା କରିବା ପରେ କେନ୍ଦ୍ର ସରକାର ଏକଥା କହିଛନ୍ତି।
ଦୁଇ ରାଜ୍ୟ ସହ ବୈଠକ କରିବା ପରେ ଗୁରୁବାର ଦିନ ଗୃହ ବ୍ୟାପାର ମନ୍ତ୍ରାଳୟ ରିଲିଜ୍ କରିଥିବା ପ୍ରେସ୍ ବିବୃତିରେ କହିଛନ୍ତି, ସଂକ୍ରମଣ ବୃଦ୍ଧି ପ୍ରତିରୋଧ କରିବା ଲାଗି ଅଧିକ ଉଦ୍ୟମ ଲୋଡ଼ା।
ଏହା ବ୍ୟତିରେକେ, ବହୁଳ ପଜିଟିଭିଟି ଥିବା ଅଞ୍ଚଳଗୁଡ଼ିକରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରିବା ପାଇଁ ମଧ୍ୟ ଗୃହ ବ୍ୟାପାର ମନ୍ତ୍ରାଳୟ ଦୁଇ ରାଜ୍ୟ ସରକାରଙ୍କୁ କହିଛି। ଉକ୍ତ ଅଞ୍ଚଳଗୁଡ଼ିକରେ କଣ୍ଟାକ୍ଟ୍ ଟ୍ରେସିଙ୍ଗ୍, ଟିକାକରଣ ଅଭିଯାନ ଏବଂ ଉପଯୁକ୍ତ କୋଭିଡ୍ ନିୟମଦ୍ବାରା ସଂକ୍ରମଣ ପ୍ରତିରୋଧ କରାଯିବା ଉଚିତ।
ଦୁଇ ରାଜ୍ୟକୁ ଅତିରିକ୍ତ ଟିକା ଯୋଗାଇ ଦିଆଯିବ ବୋଲି ମଧ୍ୟ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, ଏଯାବତ୍ ଭାରତରେ ୬୧ କୋଟିରୁ ଊର୍ଦ୍ଧ୍ବ ଜନତାଙ୍କୁ ଟିକା ଦିଆଯାଇ ସାରିଲାଣି। ସେମାନଙ୍କ ମଧ୍ୟରେ ଯୋଗ୍ୟ ପ୍ରାପ୍ତବୟସ୍କଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଅନ୍ୟୂନ ଗୋଟିଏ ଡୋଜ୍ ଟିକା ନେଇ ସାରିଛନ୍ତି।
The post କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ କେରଳ ଏବଂ ମରହାରାଷ୍ଟ୍ରରେ ରାତ୍ରକାଳୀନ କର୍ଫ୍ୟୁ ଜାରି ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ first appeared on Sambad.from କରୋନା | Sambad https://ift.tt/3zlW3LG
0 Comments