
ନୂଆଦିଲ୍ଲୀ: ରୁଷ୍ର ସ୍ପୁଟନିକ୍ ଭି ଟିକା କରୋନାର ଡେଲ୍ଟା ପ୍ରଜାତି ବିରୋଧରେ ୮୩ ପ୍ରତିଶତ ଫଳପ୍ରଦ। ଖାଲି ଡେଲ୍ଟା ନୁହେଁ କରୋନାର ସମସ୍ତ ନୂଆ ପ୍ରଜାତି ବିରୋଧରେ ସ୍ପୁଟନିକ୍ ଭି ଫଳପ୍ରଦ ହେବ ବୋଲି ରୁଷ୍ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ରୁଷ୍ ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାଶକୋ କହିଛନ୍ତି, ଡେଲ୍ଟା ବିରୋଧରେ ସ୍ପୁଟନିକ ଭି ପ୍ରାୟ ୮୩ ପ୍ରତିଶତ ଫଳପ୍ରଦ। ଡେଲ୍ଟା ସହ ସ୍ପୁଟନିକ୍ ଭି ବେଶ୍ ଭଲଭାବେ ଲଢ଼ି ପାରୁଛି ବୋଲି ସେ କହିଛନ୍ତି। ରୁଷ୍ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ସ୍ପୁଟନିକ୍ ଭି ନେବାଦ୍ବାରା ଡେଲ୍ଟା ପରି ଅନ୍ୟାନ୍ୟ ଭୟଙ୍କର ପ୍ରଜାତି ଦ୍ବାରା ସଂକ୍ରମଣର ଭୟ କମ୍ ରହୁଛି। ସ୍ପୁଟନିକ୍ ଭି ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ନିରାପଦ ବୋଲି ସେ କହିଛନ୍ତି।
ଟିକାକରଣ ୫୨ କୋଟି ଟପିଲା
ନୂଆଦିଲ୍ଲୀ : ଦେଶରେ ମୋଟ୍ ଟିକାକରଣ ୫୨ କୋଟି ଟପିଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଟିକାକରଣ ୧ରୁ ୧୦ କୋଟିରେ ପହଞ୍ଚିବାପାଇଁ ୮୫ ଦିନ ଲାଗିଥିଲା। ଟିକାକରଣ ୧୦ରୁ ୨୦ କୋଟି ପହଞ୍ଚିବାପାଇଁ ୪୫ ଦିନ ଲାଗିଲା। ୩୦ କୋଟି ପହଞ୍ଚିବାପାଇଁ ୨୯ ଦିନ , ୩୦ରୁ ୪୦ କୋଟି ପହଞ୍ଚିବାପାଇଁ ୨୪ ଦିନ ଲାଗିଥିଲା। ଅଗଷ୍ଟ ୬ରେ ଦେଶରେ ଟିକାକରଣ ୫୦ କୋଟି ଟପିଥିଲା। ୯ ତାରିଖରେ ୫୧ କୋଟି ଟପିଥିଲା ଏବଂ ଆଜି ଟିକାକରଣ ୫୨ କୋଟି ଟପିଯାଇଛି। ମାତ୍ର ୩ ଦିନରୁ କମ୍ ମଧ୍ୟରେ ଦେଶରେ ୧ କୋଟି ଟିକାକରଣ ହେଉଛି। ଜାନୁଆରି ୧୬ରେ ଦେଶରେ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା। ଫେବ୍ରୁଆରି ୨ରେ ଦ୍ବିତୀୟ ପର୍ଯ୍ୟାୟରେ ଆଗ ଧାଡ଼ିର କର୍ମୀଙ୍କୁ ଟିକା ଦିଆଗଲା। ମାର୍ଚ୍ଚ ୧ରେ ପରବର୍ତ୍ତୀ ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଗଲା। ଏପ୍ରିଲ ୧ ରେ ଦେଶରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କର ଟିକାକରଣ ଆରମ୍ଭ ହୋଇଥିଲା ଏବଂ ମେ’ ୧ରେ ୧୮ ରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଟିକାକରଣ ଆରମ୍ଭ ହେଲା।
The post ଡେଲ୍ଟା ବିରୋଧରେ ସ୍ପୁଟନିକ ଭି ୮୩% ଫଳପ୍ରଦ, ଟିକାକରଣ ୫୨ କୋଟି ଟପିଲା first appeared on Sambad.from କରୋନା | Sambad https://ift.tt/3s7NSj4
0 Comments