ତିରୁଅନନ୍ତପୁରମ୍‌ : କେରଳରେ ୪୦ ହଜାରରୁ ଅଧିକ ଗୁରୁତ୍ବପୂର୍ଣ୍ଣ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ଅତ୍ୟନ୍ତ ଚିନ୍ତାଜନକ। କରୋନା ଟିକାର ୨ଟି ଯାକ ଡୋଜ୍‌ ନେବାପରେ ବି କେରଳରେ ୪୦ ହଜାରରୁ ଅଧିକ ଲୋକଙ୍କୁ କରୋନା ହୋଇଛି। କେତେକ ରୋଗୀ ମଧ୍ୟ ପୁନଃ ସଂକ୍ରମିତ ହୋଇଛନ୍ତି। ଦେଶରେ ୧ ଲକ୍ଷରୁ ଅଧିକ ଗୁରୁତ୍ବପୂର୍ଣ୍ଣ ମାମଲା ଚିହ୍ନଟ ହୋଇଥିବାବେଳେ କେବଳ କେରଳରେ ଏଭଳି ୪୦ ହଜାର ଗୁରୁତ୍ବପୂର୍ଣ୍ଣ ନୂଆ ମାମଲା ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାନୁଯାୟୀ କେରଳରେ ଟିକା ନେବା ପରେ ବି କରୋନା ସଂକ୍ରମିତ ହେବା କିମ୍ବା ପୁନଃ ସଂକ୍ରମଣ କୌଣସି ନୂଆ ପ୍ରଜାତି ପାଇଁ ହୋଇଛି। ଏହି ନୂଆ ପ୍ରଜାତି ରୋଗ ପ୍ରତିରୋଧକତାରୁ ଖସି ଯାଉଛି। ଫଳରେ ଟିକା ନେବାପରେ ବି ସଂକ୍ରମଣ ହେଉଛି। ତେବେ ସମସ୍ତ ଗୁରୁତ୍ବପୂର୍ଣ୍ଣ ନୂଆ ମାମଲାର ଜେନମ୍‌ ସିକ୍ବେନ୍ସିଂ ହେବା ଉଚିତ୍‌। ସ୍ବାସ୍ଥ୍ୟ ମନ୍ତ୍ରାଳୟ କେରଳରେ ସମସ୍ତ ୪୦ ହଜାର ନମୁନାର ଜେନମ୍‌ ସିକ୍ବେନ୍ସିଂ ପାଇଁ ‌ଯୋଜନା କରିଛନ୍ତି। କେରଳର ପଥନମଥିତ୍ତ‌ରେ ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ମାମଲା ଚିହ୍ନଟ ହୋଇଛି। ପଥନମଥିତ୍ତରେ ୧୪,୯୭୪ ଜଣ ପ୍ରଥମ ଡୋଜ୍‌ ଟିକା ନେବାପରେ ସଂକ୍ରମିତ ହୋଇଥିବାବେଳେ ୫,୦୪୨ ଜଣ ଦ୍ବିତୀୟ ଡୋଜ୍‌ ନେବାପରେ ସଂକ୍ରମିତ ହୋଇଛନ୍ତି।

କେରଳରେ ପ୍ରାୟ ୮୮ରୁ ୯୦ ପ୍ରତିଶତ ମାମଲାରେ ଡେଲ୍‌ଟା ଚିହ୍ନଟ ହୋଇଛି। କିନ୍ତୁ କେରଳରେ କୌଣସି ନୂଆ ପ୍ରଜାତି ଚିହ୍ନଟ ହୋଇନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିବା‌ ସହ ଏସଂକ୍ରାନ୍ତ କିଛି ଗଣମାଧ୍ୟମ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କେରଳରେ ନୂଆ ପ୍ରଜାତି ଚିହ୍ନଟ ହୋଇଥିବା କହିବା ଭିତ୍ତିହୀନ ଏବଂ ଏହା ମିଥ୍ୟା। ନିକଟରେ ଏକ ଜଣିଆ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ଟିମ୍‌ କେରଳର ବିଭିନ୍ନ କୋଭିଡ୍‌ ପ୍ରଭାବିତ ଜିଲ୍ଲା ଗସ୍ତ କରିଛନ୍ତି ଏବଂ ଏବାବଦ ରିପୋର୍ଟ କେନ୍ଦ୍ର ନିକଟରେ ଦାଖଲ କରିଛନ୍ତି। ରିପୋର୍ଟ‌େରେ ଏହା କୁହାଯାଇଛି ଯେ, କେରଳରେ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳରେ ସଠିକ୍‌ ଭାବେ ନିୟମର ପାଳନ ନହେବା ଏବଂ ଅଧିକ ପ୍ରତିଶତ ବୟସ୍କ ଏବଂ ମଧୂମେହ ରୋଗୀଙ୍କ ପାଇଁ ସ୍ଥିତି ଅଧିକ ବିଗିଡ଼ି ଯାଇଛି। କେରଳରେ ୧୫ ହଜାର ମାମଲାରେ ପୁନଃ ସଂକ୍ରମଣ ହୋଇଥିବା ଜଣାପଡ଼ିଛି।

The post କେରଳରେ ଟିକା ନେଇଥିବା ୪୦ ହଜାର ଲୋକଙ୍କୁ କରୋନା first appeared on Sambad.

from କରୋନା | Sambad https://ift.tt/37A6xe1