ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଟିକା‌ ଶିଶୁଙ୍କଠାରେ ପରୀକ୍ଷଣ ଚାଲିଛି। ପରୀକ୍ଷଣ ଚୂଡ଼ାନ୍ତ ପର୍ଯ୍ୟା‌ୟରେ ପହଞ୍ଚିଛି ଏବଂ ସେପ୍ଟେମ୍ବର ସୁଦ୍ଧା ଏହାର ଫଳାଫଳ ଆସିଯିବ ବୋଲି ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି। ଆସନ୍ତା ସପ୍ତାହରେ ୨-୬ ବର୍ଷର ଶିଶୁଙ୍କଠା‌ରେ କୋଭାକ୍ସିନ୍‌ର ଦ୍ବିତୀୟ‌ ଡୋଜ୍‌ ପରୀକ୍ଷଣ ହେବାକୁ ଥିବାବେଳେ ଗୁ‌ଲେରିଆ ଆଜି ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୬-୧୨ ବର୍ଷର ଶିଶୁଙ୍କଠାରେ ଦିଲ୍ଲୀ ଏମ୍ସରେ କୋଭାକ୍ସିନ୍‌ ଦ୍ବିତୀୟ ଡୋଜ୍‌ ଦିଆସରିଛି। ଏହାର ଚୂଡ଼ାନ୍ତ ଫଳ ସେପ୍ଟେମ୍ବର ମାସ ସୁଦ୍ଧା ଆସିଯିବ। ଉଲ୍ଲେଖଯୋଗ୍ୟ, ଜୁନ୍‌ ୨୨ରେ ଗୁଲେରିଆ କହିଥିଲେ ଯେ, ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କ ପାଇଁ ଟିକା ଉପଲବ୍ଧ ହେବ। କୋଭାକ୍ସିନ୍‌ ସମେତ ଏବେ ଶିଶୁଙ୍କ ପାଇଁ ଜାଇଡସ କାଡିଲା ଟିକାର ପରୀକ୍ଷଣ ମଧ୍ୟ ଜାରି ରହିଛି।

ଅନ୍ୟପକ୍ଷେ କରୋନା ବାରମ୍ବାର ଏହାର ରୂପ ବଦଳାଉଥିବା ବେଳେ କରୋନାର ଡେଲ୍‌ଟା ପ୍ରଜାତି ବିଶ୍ବବ୍ୟାପୀ ସଂକ୍ରମଣ ବଢ଼ାଇଛି। ଡେଲ୍‌ଟା ପ୍ଲସ୍‌ ପାଇଁ ଭୟ ବଢ଼ିଛି। ଆଗକୁ ମଧ୍ୟ ଆହୁରି ଭୟଙ୍କର ପ୍ରଜାତି ଆସିପାରେ। ତେଣୁ ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ପୁଣି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖି କହିଛନ୍ତି, କୌଣସି ନୂଆ ପ୍ରଜାତି ସହ ଲଢ଼ିବାପାଇଁ ଆମକୁ କରୋନା ଟିକାର ବୁଷ୍ଟର ଡୋଜ୍‌ ଆବଶ୍ୟକ। ସମୟ ସହ ମଣିଷର ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି। ତେଣୁ କୌଣସି ନୂଆ ଭାଇରସ୍‌ ସହ ମୁକାବିଲା କରିବାପାଇଁ ବୁଷ୍ଟର ଡୋଜ୍‌ ଆବଶ୍ୟକ ହୋଇପାରେ। ଏହାଦ୍ବାରା ରୋଗ ପ୍ରତି‌ରୋଧକ ଶକ୍ତି ବଢ଼ିବ ଏବଂ ସମସ୍ତ ନୂଆ ପ୍ରଜାତି ବିରୋଧରେ ଏହା ଲଢ଼ି ପାରିବ। ଚଳିତବର୍ଷ ଶେଷ ବେଳକୁ ଏହି ବୁଷ୍ଟର ଡୋଜ୍‌ ଆବଶ୍ୟକ ହୋଇପାରେ ବୋଲି ସେ କହିଛନ୍ତି।

The post ଶିଶୁଙ୍କ ପାଇଁ କୋଭାକ୍ସିନ୍‌ ଟିକା, ସେପ୍ଟେମ୍ବର ସୁଦ୍ଧା ‌ଚୂଡ଼ାନ୍ତ ଫଳ: ଗୁଲେରିଆ first appeared on Sambad.

from କରୋନା | Sambad https://ift.tt/3i2FoGM