ଅମୃତସର : ପଂଜାବ କଂଗ୍ରେସରେ ସଙ୍କଟ ଟଳିନି। ନବଜୋତ ସିଂହ ସିଦ୍ଧୁ ପଂ‌ଜାବ କଂଗ୍ରେସର ନୂଆ ମୁଖ୍ୟ ହେବାପରେ ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର ଖୋଲାଖୋଲି ଭାବେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳ ତାଙ୍କୁ ଭୁଲିଯାଇଛି ବୋଲି ସିଧାସଳଖ କହିବା ସହ ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଶ ରାୱତଙ୍କ କାର୍ଯ୍ୟପଦ୍ଧତି ନେଇ ମଧ୍ୟ ପ୍ରଶ୍ନ ଉଠାଇଛି।

ଜାଖର ନବ ନିଯୁକ୍ତ କଂଗ୍ରେସ ମୁଖ୍ୟ ସିଦ୍ଧୁଙ୍କ ଦକ୍ଷତା ନେଇ ପ୍ରଶ୍ନ ଉଠାଇବା ସହ ରାଜ୍ୟର ଆଉ କେତେକ ବରିଷ୍ଠ କଂଗ୍ରେସ ନେତା ଅମିତ ଶାହ ଏବଂ କେଜ୍ରିୱାଲଙ୍କ ସହ ସଂପର୍କରେ ଥିଲେ ମଧ୍ୟ କହିଛନ୍ତି। ଜାଖର ସିଦ୍ଧୁଙ୍କ ନିଯୁକ୍ତି ସଂକ୍ରାନ୍ତରେ ଦଳର ହାଇକମାଣ୍ଡ୍‌ଙ୍କୁ ପ୍ରଶ୍ନ କରି କହିଛନ୍ତି, କ୍ୟାପଟେନ ଏବଂ ସିଦ୍ଧୁଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ଯିଏ ଚେଷ୍ଟା କରିଥିଲା ଦଳ ତାଙ୍କୁ ଭୁଲିଯାଇଛି ଏବଂ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ଉପେକ୍ଷା ଭାବ ବଢ଼ିଛି। କଂଗ୍ରେସକୁ ଧମକାଉଥିବା ଲୋକଙ୍କ ପତିଆରା ବଢ଼ିଛି, ଅନ୍ୟପକ୍ଷରେ ନିଷ୍ଠାପର ଭାବେ କାମ କରୁଥିବା ଲୋକଙ୍କୁ ଅଣଦେଖା କରାଯାଉଛି।

ଜାଖର କହିଛନ୍ତି, ଜାତୀୟସ୍ତରରେ କଂଗ୍ରେସ ନିଜର ପତିଆରା କାଏମ ରଖିବା କେବଳ ପଂଜାବ ଦ୍ବାରା ହିଁ ସମ୍ଭବ ହୋଇଛି। ଜାଖର କହିଛନ୍ତି, ସମଗ୍ର ପଂଜାବରେ କୃଷକମାନେ ନୂଆ କୃଷି ଆଇନକୁ ବିରୋଧ କରିଛନ୍ତି। କିନ୍ତୁ ଯଦି କ୍ୟାପଟେନ୍‌ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ନଥାଇ ଅନ୍ୟ କିଏ ରହିଥିଲେ ବିଜେପି ବିରୋଧରେ ଆଜି ଯେଉଁ ଆନ୍ଦୋଳନ ହେଉଛି ତାହା ହୁଏତ ପଂଜାବ ସରକାର ବିରୋଧରେ ହୋଇଥାନ୍ତା। ଅମରିନ୍ଦର ଉକ୍ତ ମାମଲାକୁ ଖୁବ୍‌ ଚତୁରତାର ସହ ସମ୍ମୁଖୀନ ହୋଇଛନ୍ତି ଏବଂ ଆନ୍ଦୋଳନରତ କୃଷକଙ୍କୁ ଦିଲ୍ଲୀ ସୀମାକୁ ପଠାଇଦେଇଛନ୍ତି। ତେଣୁ ବାସ୍ତବ ସ୍ଥିତିକୁ ଦଳୀୟ ନେତୃତ୍ବ ଭୁଲି ନଯାଇ ସଠିକ୍‌ ପଦକ୍ଷେପ ନେବାକୁ ପଡ଼ିବ, ଅନ୍ୟଥା କାର୍ଯ୍ୟକର୍ତ୍ତାମାନେ ହତାଶ ହେବେ ବୋଲି ଜାଖର ଚେତାଇ ଦେଇଛନ୍ତି।

The post ପଂଜାବ କଂଗ୍ରେସ ସଙ୍କଟ ଟଳିନି, ସିଦ୍ଧୁଙ୍କ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲେ ଜାଖର first appeared on Sambad.

from କରୋନା | Sambad https://ift.tt/3kS50Yt