ପୁନେ : ମହାରାଷ୍ଟ୍ର ସରକାର କିଛି ପରିମାଣରେ କରୋନା କଟକଣା କୋହଳ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି। ରାଜ୍ୟରେ ସମ୍ପୂର୍ଣ୍ଣ ଟିକା‌ ନେଇଥିବା ଲୋକଙ୍କ ପାଇଁ ସରକାର କଟକଣା କୋହଳ କରିବା ଦିଗରେ ବିଚାରବିମର୍ଶ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି। ରାଜ୍ୟରେ ଦୋକାନ ଏବଂ ରେରୋସ୍ତାଁ ଖୋଲିବା ସମୟ ସୀମା ଆହୁରି ଅଧିକ ବଢ଼ିପାରେ। ତେବେ ସପ୍ତାହାନ୍ତ କଟକଣା କୋହଳ ସଂକ୍ରାନ୍ତ ନିଷ୍ପତ୍ତି ଆସନ୍ତା ସପ୍ତାହରେ ନିଆଯିବ। ପାୱାର କହିଛନ୍ତି, ରାଜ୍ୟରେ ସମ୍ପୂର୍ଣ୍ଣ ଟିକା ନେଇସାରିଥିବା ଲୋକଙ୍କ ପାଇଁ କଟକଣା କୋହଳ କରି ନୂଆ ଗାଇଡ୍‌ଲାଇନ ଜାରି କରାଯିବ।

ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଅଧିକରୁ ଅଧିକ ଲୋକ ଟିକା ନେବାପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ସେ କହିଛନ୍ତି। ରାଜ୍ୟରେ ଏବେ ୪ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଥିବା ବେଳେ ଏହାକୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବୃଦ୍ଧି କରିବାପାଇଁ ଦାବି ହେଉଥିବା ପାୱାର କହିଛନ୍ତି। କିନ୍ତୁ ଏସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ। ଆସନ୍ତା ସୋମବାର ବିଶେଷଜ୍ଞଙ୍କ ସହ ଏକ ବୈଠକ ଅଛି ଏବଂ ଏହି ବୈଠକ ପରେ କଟକଣା କୋହଳ ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ। ସରକାର ପୂର୍ବ ମାସ ତୁଳନାରେ ଚଳିତ ମାସରେ ଅଧିକ ଟିକାକରଣ ପାଇଁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ୬,୭୫୩ ମାମଲା ଚିହ୍ନଟ ହୋଇଛି ଏବଂ ୧୬୭ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍‌ ସଂକ୍ରମଣ ମାମଲା ୬୨,୫୧,୮୧୦କୁ ବୃଦ୍ଧି ପାଇଥିବା ବେଳେ ୧,୩୧,୨୦୫ ଜଣଙ୍କ ମୃତ୍ୟୁ ହୋଇଛି।

The post ମହାରାଷ୍ଟ୍ର: ସମ୍ପୂର୍ଣ୍ଣ ଟିକା ନେଇଥିବା ଲୋକଙ୍କ ପାଇଁ କଟକଣା କୋହଳ ହେବ first appeared on Sambad.

from କରୋନା | Sambad https://ift.tt/3rFCniQ