ନୂଆପଡ଼ା: କରୋନା ମହାମାରୀ ନୂଆପଡ଼ା ଜିଲ୍ଲାରେ ଅନେକ ଜୀବନ ନେଇଛି। ତେବେ, ଜିଲ୍ଲା ପ୍ରଶାସନ ସରକାରଙ୍କୁ ଠିକ୍‌ ରିପୋର୍ଟ ଦେଇ ନଥିବାରୁ କରୋନାରେ ମୃତକଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି। କରୋନାର ଦ୍ବିତୀୟ ଲହରରେ ନୂଆପଡ଼ା ଜିଲ୍ଲା ରାଜ୍ୟର ହଟ୍‌ସ୍ପଟ ପାଲଟିଥିଲା। ଜିଲ୍ଲାରେ ଏଯାଏ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ଟପିଗଲାଣି। ଗତବର୍ଷ ଏବଂ ଚଳିତ ବର୍ଷରେ କରୋନାରେ ଆକ୍ରାନ୍ତ ହୋଇଥିବା ବହୁ ଲୋକଙ୍କ ଜୀବନ ଯାଇଛି।

ହେଲେ ସରକାରୀ ଖାତାରେ ଏହାକୁ ଚାପି ଦିଆଯାଇଥିବା ଅଭିଯୋଗ ହୋଇଛି। ଗତବର୍ଷ ଏପ୍ରିଲ ୧ ତାରିଖରୁ ଚଳିତ ବର୍ଷ ଜୁନ ୨୪ ତାରିଖ ସୁଦ୍ଧା ଜିଲ୍ଲା‌ରେ ମୋଟ୍‌ ୧୬୯ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛି। କିନ୍ତୁ ବାସ୍ତବ ତଥ୍ୟ ସମ୍ପୂର୍ଣ୍ଣ ଅଲଗା ବୋଲି ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ରୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ ହେଲାଣି।  ଏହାବାଦ୍‌ ଜିଲ୍ଲାର ବହୁ କରୋନା ରୋଗୀଙ୍କ ବିଭିନ୍ନ ଜିଲ୍ଲାର କୋଭିଡ୍ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହି ସଂଖ୍ୟା ପାଖାଖାଖି ୫୦ ଉପରେ ହେବ ବୋଲି ଜଣାପଡ଼ିଛି। ଗତବର୍ଷ କରୋନାରେ ନୂଆପଡ଼ାରେ ଜିଲ୍ଲାରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଜିଲ୍ଲା ପ୍ରଶାସନ ମାତ୍ର ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରିଛି। ସେହିପରି ଚଳିତ ବର୍ଷ ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ୨୫୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ପ୍ରଶାସନ ୧୨୨ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସରକାରଙ୍କୁ ରିପୋର୍ଟ ଦେଇଛି।

The post ନୂଆପଡ଼ା: କରୋନା ମୃତକଙ୍କ ସଂଖ୍ୟା ନେଇ ଦ୍ବନ୍ଦ୍ବ, ଲୁଚିଛପି ପୋଡ଼ିଦେଲେ ୩୦୦! first appeared on Sambad.

from କରୋନା | Sambad https://ift.tt/2SK3DiZ