
ନୂଆଦିଲ୍ଲୀ: କୋଭିଡ୍-୧୯ ଟିକା ‘କୋଭାକ୍ସିନ୍’ ନିରାପଦ ଏବଂ ଫଳପ୍ରଦ ବୋଲି ଅନ୍ତିମ ପର୍ଯ୍ୟାୟ ପରୀକ୍ଷା ଶେଷ କରି ଶନିବାର ଦିନ ‘ଭାରତ ବାୟୋଟେକ୍’ ଘୋଷଣା କରିଛି। ନିର୍ମାତାଙ୍କ ଘୋଷଣା ଅନୁସାରେ, ‘କୋଭାକ୍ସିନ୍’ ଲକ୍ଷଣଯୁକ୍ତ କୋଭିଡ୍-୧୯ କ୍ଷେତ୍ରରେ ୭୭.୮% ଫଳଦାୟକ ହୋଇଥିବା ଦେଖାଯାଇଛି।
ଏହି ସ୍ବଦେଶୀ ଟିକା ସାଙ୍ଘାତିକ ଲକ୍ଷଣଯୁକ୍ତ କୋଭିଡ୍-୧୯ ସଂକ୍ରମଣ କ୍ଷେତ୍ରରେ ୯୩.୪% ଏବଂ ‘ଡେଲ୍ଟା ଭେରିଆଣ୍ଟ୍’ ଭାବେ ସୁପରିଚିତ ‘ସାର୍ସ-କୋଭ୍-୨ ବି.୧.୬୧୭.୨ କ୍ଷେତ୍ରରେ ୬୩.୬% ଫଳପ୍ରଦ ହୋଇଥିବା ଜଣାପଡ଼ିଛି।
ସେହିପରି, ଲକ୍ଷଣହୀନ କୋଭିଡ୍-୧୯ ସଂକ୍ରମଣ କ୍ଷେତ୍ରରେ ‘କୋଭାକ୍ସିନ୍’ ୬୩.୬% ସୁରକ୍ଷା ଯୋଗାଇ ଦେଉଥିବା କଥା ତୃତୀୟ ପର୍ଯ୍ୟାୟ ତଥ୍ୟାବଳୀରୁ ଜଣାପଡ଼ିଛି।
କୋଭାକ୍ସିନ୍ ନେବା ପରେ ୧୨% ସ୍ବେଚ୍ଛାସେବୀ ସାଧାରଣ ପାର୍ଶ୍ବ ପ୍ରତିକ୍ରିୟା ଏବଂ ୦.୫% କମ୍ ସ୍ବେଚ୍ଛାସେବୀ ସାଙ୍ଘାତିକ ପାର୍ଶ୍ବ ପ୍ରତିକ୍ରିୟା ଅନୁଭବ କରିଥିବା ନିରାପତ୍ତା ବିଶ୍ଳେଷଣରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଭାରତର ୨୫ଟି ସ୍ଥାନରେ ଆୟୋଜିତ ହୋଇଥିଲା। ଦ୍ବିତୀୟ ଡୋଜ୍ ନେବାର ଅନ୍ୟୂନ ଦୁଇ ସପ୍ତାହ ପରେ କୋଭିଡ୍-୧୯ ଲକ୍ଷଣ ପ୍ରକାଶ ପାଇଥିବା ୧୩୦ଜଣଙ୍କ ମାମଲା ଏଥିରେ ବିଶ୍ଳେଷଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୪ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ବାକି ୧୦୬ଜଣଙ୍କୁ ‘ପ୍ଲାସିବୋ’ (ଟିକା ଦିଆ ଯାଉଛି ବୋଲି ଜଣାଇ ଟିକା ପରିବର୍ତ୍ତେ ଅନ୍ୟ କିଛି ଦେବା) ଦିଆଯାଇଥିଲା।
The post ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ଭାରତ ବାୟୋଟେକ୍ର ‘କୋଭାକ୍ସିନ୍’ ୭୭.୮% ଫଳପ୍ରଦତା ପ୍ରଦର୍ଶନ କରିଛି first appeared on Sambad.from କରୋନା | Sambad https://ift.tt/3jDyRDv
0 Comments