
ନୂଆଦିଲ୍ଲୀ: ଲୋକମାନେ ପ୍ରଥମ ଡୋଜ୍ରେ ଗୋଟିଏ କମ୍ପାନିର କରୋନା ଟିକା ଏବଂ ଦ୍ବିତୀୟ ଡୋଜ୍ରେ ଅନ୍ୟ କମ୍ପାନିର ଟିକା ଯଦି ନେଉଥାନ୍ତି ତା’ହେଲେ ସେଭଳି ବ୍ୟକ୍ତିମାନଙ୍କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ସତର୍କ କରାଇ ଦେଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ କହିଛନ୍ତି ଯେ ଏହା ଏକ ବିପଜ୍ଜନକ ଧାରା। ଏହା ନକରିବାକୁ ସେ ପରାମର୍ଶ ଦେଇଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ବାମୀନାଥନ କହିଛନ୍ତି, ଭିନ୍ନ ଭିନ୍ନ କମ୍ପାନିର ଟିକା ଦିଆଯିବା ସଂପର୍କରେ ଯେଉଁ ତଥ୍ୟ ଏବଂ ପ୍ରମାଣ ଆବଶ୍ୟକ ତାହା ବର୍ତ୍ତମାନ ସୁଦ୍ଧା ନାହିଁ। ଲୋକେ ମନକୁ ମନ ଭିନ୍ନ ଡୋଜ୍ ନେବାକୁ ଯଦି ସ୍ଥିର କରିଦେବା ଆରମ୍ଭ କରିବେ ତା’ହେଲେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେବ। ଦୁଇଟି ଭିନ୍ନ କୋଭିଡ୍ ଟିକାର ମିଶ୍ରଣ ସଂପର୍କରେ ଏବେ ଗବେଷଣା ଚାଲିଛି।
ତେଣୁ ଏଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ଦୁଇଟି ଭିନ୍ନ ଟିକା ନେବା ଭଲ ହୋଇପାରେ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆମ ନିକଟରେ କେବଳ ଆଷ୍ଟ୍ରାଜେନେକା ଏବଂ ଫାଇଜର ଟିକା ସଂପର୍କରେ ତଥ୍ୟ ରହିଛି। ପ୍ରଥମ ଡୋଜ୍ ଭାବେ ଆଷ୍ଟ୍ରାଜେନେକା ଏବଂ ଦ୍ବିତୀୟ ଡୋଜ୍ ଭାବେ ଫାଇଜର ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା କମ୍ ସମୟ ପାଇଁ ଦେଖାଦେଇଛି। ତେବେ ଗବେଷଣାରୁ ଜଣାପଡ଼ି ନାହିଁ ଯେ, ଏହା ସଂକ୍ରମଣକୁ ରୋକିବାରେ କେତେମାତ୍ରାରେ ସଫଳ ହୋଇଛି। ଲାନସେଟ୍ ମାଗାଜିନ୍ରେ ଏ ବାବଦରେ ତଥ୍ୟ ପ୍ରକାଶ ପାଇଛି।
ସ୍ପେନ୍ର ଏକ ଗବେଷଣା ରିପୋର୍ଟରେ କୁହାଯାଇଥିଲା ଯେ ପ୍ରଥମେ ଆଷ୍ଟ୍ରାଜେନେକା ଏବଂ ପରେ ଫାଇଜର ଟିକା ନେବା ଦ୍ବାରା ତାହା ସଂକ୍ରମଣ ବିରୋଧରେ ଅଧିକ ପ୍ରଭାବୀ ରହିଥିଲା। ଜଣେ ବୈଜ୍ଞାନିକ କହିଥିଲେ ୧.୭ ପ୍ରତିଶତଙ୍କ ଠାରେ ଗୁରୁତର ମୁଣ୍ଡବିନ୍ଧା ଏବଂ ମାଂସପେଶୀ ଯନ୍ତ୍ରଣା ଦେଖିବାକୁ ମିଳିଥିଲା। ପୂର୍ବରୁ ଜୁନ୍ରେ ସ୍ବାମୀନାଥନ କହିଥିଲେ ଯେ ଦୁଇ ଭିନ୍ନ ଟିକା ନେବା ଦ୍ବାରା ପ୍ରତିରୋଧକ ଶକ୍ତି ଅଧିକ ମାତ୍ରାରେ ସୃଷ୍ଟି ହେଉଥିବା ପ୍ରତୀୟମାନ ହେଉଛି। ସେହି ସମୟରେ ସେ ବ୍ରିଟେନ ଏବଂ ଜର୍ମାନୀର ତଥ୍ୟ ଅବତାରଣା କରିଥିଲେ। ଚଳିତବର୍ଷ ମେ ମାସରେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଭିନ୍ନ ଭିନ୍ନ ଟିକା ନେବା ଦ୍ବାରା ସେଭଳି କିଛି ବଡ଼ ଧରଣର ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇ ନାହିଁ। ତେବେ ଏହି ଟିକା ପଦ୍ଧତିକୁ ଆପଣାଇବା ପାଇଁ ଅଧିକ ବିଜ୍ଞାନ ସମ୍ମତ ତଥ୍ୟ ଆବଶ୍ୟକ ବୋଲି କୁହାଯାଇଥିଲା।
ଅବଶ୍ୟ ଅସାବଧାନତା କାରଣରୁ ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଟିକାକରଣ ବେଳେ ୨୦ ଜଣଙ୍କୁ ପ୍ରଥମ ଡୋଜ୍ରେ କୋଭିସିଲ୍ଡ ଏବଂ ଦ୍ବିତୀୟ ଡୋଜ୍ରେ କୋଭାକ୍ସିନ ଟିକା ଦିଆଯାଇଥିଲା। ଏହା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକାକରଣ ପାଇଁ ଗଠିତ ବୈଷୟିକ ଉପଦେଷ୍ଟା ଗୋଷ୍ଠୀର ମୁଖ୍ୟ ଏନ କେ ଆରୋରା ଯଦିଓ ସୁରକ୍ଷା ନେଇ ସେତେଟା ଚିନ୍ତାବ୍ୟକ୍ତ କରି ନଥିଲେ, କିନ୍ତୁ ଏପରି ହେବା ଉଚିତ ନୁହେଁ ବୋଲି ମତ ଦେଇଥିଲେ।
The post ସତର୍କ କରାଇଲେ ହୁ ବୈଜ୍ଞାନିକ, ପୃଥକ୍ ଟିକା ନେବା ବିପଜ୍ଜନକ first appeared on Sambad.from କରୋନା | Sambad https://ift.tt/3kemTQW
0 Comments