ସଂକ୍ରମଣ ବଢ଼ାଉଥିବା ରାଜ୍ୟ ତାଲିକା ୫ ନମ୍ବରରେ ଓଡ଼ିଶା, ୨ ମାସ ଧରି ୬.୫% ହାରରେ ଯୋଡ଼ି ହେଉଛନ୍ତି ରୋଗୀ

ଭୁବନେଶ୍ବର: ଦେଶର ଯେଉଁ କେତୋଟି ରାଜ୍ୟ କରୋନା ସଂକ୍ରମଣ ସଂଖ୍ୟାକୁ ବଢ଼ାଉଛନ୍ତି ସେଥିରେ ଓଡ଼ିଶା ରହିଛି। ଗତ ଜୁନ୍‌ ଓ ଜୁଲାଇ ମାସରେ ୬.୫ ପ୍ରତିଶତ ହାରରେ ଦେଶର ସଂକ୍ରମିତ ତାଲିକାରେ ରାଜ୍ୟର ସଂକ୍ରମିତ ଯୋଡ଼ି ହୋଇଛନ୍ତି। ତେବେ ଏପ୍ରିଲ ମାସରେ ଏହ ୧.୪ ପ୍ରତିଶତ ଓ ମେ’ ମାସରେ ୩.୫ ପ୍ରତିଶତ ରହିଥିଲା। ଯାହାଫଳରେ ଓଡ଼ିଶା ଏହି ତାଲିକାରେ ୫ ନମ୍ବର ସ୍ଥାନରେ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ର‌ାଳୟ ପକ୍ଷରୁ ଆଜି ରାଜ୍ୟର କରୋନା ସ୍ଥିତି ନେଇ ଏଭଳି ଚିନ୍ତାଉଦ୍ରେକକାରୀ ସୂଚନା ଆସିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଓଡ଼ିଶା ଉପରେ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଆନ୍ଧ୍ର ପ୍ରଦେଶ ରହିଛି। ରାଜ୍ୟରେ ଦୈନିକ କରୋନା ସଂକ୍ରମଣରେ ହ୍ରାସ ଘଟିଥିଲେ ହେଁ ସ୍ଥିତି ଏବେ ବି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ଉପକୂଳ ଓଡ଼ିଶାରେ ଥିବା ଜିଲ୍ଲଗୁଡ଼ିକରେ ସଂକ୍ରମଣ ହାର ଓ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହୁଥିବା ଦେଖିବାକୁ ମିଳୁଛି। ତେଣୁ ଆସନ୍ତା ୧୬ତାରିଖରେ ରାଜ୍ୟରେ କରୋନା କଟକଣା ହଟିବ ନା ପୁଣି ବଢ଼ିବ ତାହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। କ୍ରମାଗତ ଦ୍ବିତୀୟ ଦିନ ଲାଗି ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇ ହଜାର ତ‌ଳେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୩୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ମାତ୍ର ନମୁନା ପରୀକ୍ଷା ୬୨,୪୧୦କୁ ଖସି ଆସିବାରୁ ସଂକ୍ରମଣ ହାର ପୁଣିଥରେ ୩ ପ୍ରତିଶତ ଉପରକୁ ଚାଲିଯାଇଛି। ସଂକ୍ରମଣ ହାର ୩.୦୯ ପ୍ରତିଶତ ରହିଛି। ମାତ୍ର ପୁରୀ ଜିଲ୍ଲାରେ ସଂକ୍ରମଣ ହାର ୧୨.୪% ରହିଥିବା ବେଳେ ଖୋର୍ଧା ୭.୬, କଟକ ୬.୮, ନୟାଗଡ଼ ୫.୫, ବାଲେଶ୍ବର ୪.୬, ମୟୂରଭଞ୍ଜ ୪.୪, ସୁନ୍ଦରଗଡ଼ ୪.୯ ଓ ମାଲକାନଗିରିରେ ୪.୭ ପ୍ରତିଶତ ରହିଛି। ଯାହାକି ରାଜ୍ୟର ହାରାହାରି ସଂକ୍ରମଣ ହାରଠାରୁ ଢେର ଅଧିକ।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ରାଜ୍ୟରେ ସାମଗ୍ରିକ ଭାବେ ସଂକ୍ରମଣ କମିଛି। ବିଗତ ଦିନ ଓ ବର୍ତ୍ତମାନକୁ ତୁଳନା କଲେ କିଛି ଜିଲ୍ଲାରେ ସଂକ୍ରମଣ ଧୀରେ ଧୀରେ କମୁଛି। କେସ ଲୋଡ୍‌, ସଂକ୍ରମଣ ହାର ଓ ଲୋକଙ୍କ କୋଭିଡ ନିୟମର ଅନୁପାଳନକୁ ଦେଖି ରାଜ୍ୟ ସରକାର ଅନଲକ୍‌ ସମ୍ପର୍କରେ ନିଷ୍ପତ୍ତି ନେବେ। ତେବେ ନିୟମ କୋହଳ ହେଲେ ବି ଲୋକମାନେ ନିଜ ଦାୟିତ୍ବ ଭୁଲନ୍ତୁ ନାହିଁ। ନହେଲେ ପୁଣିଥରେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି ଯେ ଖୋର୍ଧା, କଟକ ଜିଲ୍ଲା ସମେତ କିଛି ଜିଲ୍ଲାକୁ ସ୍ବତନ୍ତ୍ର ଫୋକସ୍‌ ଦିଆଯାଉଛି। ପ୍ରତ୍ୟେକ ଦିନର ସଂକ୍ରମଣ ହାର ଓ ଅନ୍ୟାନ୍ୟ ତଥ୍ୟକୁ ସମୀକ୍ଷା କରାଯାଉଛି। ହେଲେ ଲୋକମାନେ ଢିଲା ହେବା ଉଚିତ ନୁହେଁ। ସଂକ୍ରମଣ ବଢ଼ୁଥିବା ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଟକଣା ରହିବା ଦରକାର। କେନ୍ଦ୍ର ସରକାର ଏହା ଉପ‌ରେ କିଛି ନିଷ୍ପତ୍ତି ନେବା ଜରୁରୀ। ପୂର୍ବରୁ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲା ଓ ପ୍ରଭ‌ାବିତ ରାଜ୍ୟରୁ ଫେରିଥିବା ଲୋକମାନେ ରାଜ୍ୟରେ ସଂକ୍ରମଣ ବଢ଼ାଇଥିଲେ ବୋଲି ଡା.ମହାନ୍ତି କହିଛନ୍ତି।

ଗତ ୨୪ ଘଣ୍ଟାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୪୩୧ ପଜିଟିଭି ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟର ସମୁଦାୟ ପଜିଟିଭ ସଂଖ୍ୟା ୯ଲକ୍ଷ ୪୩ ହଜାର ୬୭୫ରେ ରହିଛି। ଅନ୍ୟପକ୍ଷରେ ଆଜି ସର୍ବାଧିକ ୬୮ ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ‌ରାଜ୍ୟରେ ଆଜି ୨୬୪୧ କ‌ରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯,୧୮,୦୪୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୨୦,୮୫୧ ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

The post ସଂକ୍ରମଣ ବଢ଼ାଉଥିବା ରାଜ୍ୟ ତାଲିକା ୫ ନମ୍ବରରେ ଓଡ଼ିଶା, ୨ ମାସ ଧରି ୬.୫% ହାରରେ ଯୋଡ଼ି ହେଉଛନ୍ତି ରୋଗୀ first appeared on Sambad.

from କରୋନା | Sambad https://ift.tt/3kdV63h

Post a Comment

0 Comments