ନୂଆଦିଲ୍ଲୀ: ଇଣ୍ଡୋନେସିଆରେ କରୋନାଭାଇରସ୍‌ ସଂକ୍ରମଣ ଏବେ ଅତି ସାଂଘାତିକ ରୂପ ନେଇଛି। ଇଣ୍ଡୋନେସିଆ ଭଳି ଛୋଟ ରାଷ୍ଟ୍ରରେ ଦୈନିକ ସଂକ୍ରମଣ ମାମଲା ଭାରତଠାରୁ ଅଧିକ ରହିବା ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ଇଣ୍ଡୋନେସିଆର ଜନସଂଖ୍ୟା ତୁଳନାରେ ଭାରତର ଜନସଂଖ୍ୟା ୫ ଗୁଣା ଅଧିକ। ଦ୍ରୁତ ଗତିରେ ବ୍ୟାପୁଥିବା ଡେଲ୍‌ଟା ପ୍ରଜାତି ପାଇଁ ଇଣ୍ଡୋନେସିଆ ଏବେ ଏସିଆର ନୂଆ କରୋନାଏପିସେଣ୍ଟର ହୋଇଛି। ଲଗାତାର ୨ ଦିନ ଧରି ଇଣ୍ଡୋନେସିଆରେ ଦୈନିକ ସଂକ୍ରମଣ ମାମଲା ୪୦ ହଜାରରୁ ଅଧିକ ରହିଛି। ମଙ୍ଗଳବାର ଦିନ ୪୭,୮୯୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ତେବେ ଗତମାସରେ ଦୈନିକ ସଂକ୍ରମଣ ମାମଲା ୧୦ ହଜାରରୁ କମ୍‌ ରହୁଥିଲା। ସବୁଠୁ ଚିନ୍ତାଜନକ ହେଉଛି ସର୍ବାଧିକ ସଂକ୍ରାମକ ଡେଲ୍‌ଟା ପ୍ରଜାତି ଏବେ ଦେଶର ମୁଖ୍ୟ ଆଇଲାଣ୍ଡ୍‌ ଜାଭା ଅତିକ୍ରମ କରି ଅନ୍ୟ ଅଂଚଳକୁ ବ୍ୟାପି ଯାଇଛି। ଅତି କ୍ଷୀପ୍ର ସଂକ୍ରମଣ ଯୋଗୁଁ ପରିସ୍ଥିତି ଅଣାୟତ୍ତ ହୋଇଉଠିଛି ଏବଂ ଇଣ୍ଡୋନେସିଆରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଦୋହଲି ଯାଇଛି। ଅକ୍ସିଜେନ ପାଇଁ ସବୁଠୁ ହାହାକାର ସ୍ଥିତି ଦେଖିବାକୁ ମିଳିଥିବା ବେଳେ ଆଇସିୟୁ ବେଡ୍‌ ମିଳୁନଥିବାରୁ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ସଙ୍କଟ ବଢ଼ିଯାଇଛି।

ଗତ ୭ ଦିନ ଧରି ଇଣ୍ଡୋନେସିଆର ଦୈନିକ କରୋନା ମୃତ୍ୟୁ ହାରାହାରି ୯୦୭ ରହୁଛି। ଅନ୍ୟପକ୍ଷେ ଗତ ମାସରେ ଦୈନିକ କରୋନା ମୃତ୍ୟୁ ହାରାହାରି ୧୮୧ ଥିଲା। ଇଣ୍ଡୋନେସିଆ କୋଭିଡ୍‌ ସ୍ଥିତି ବିଶ୍ବରେ ଟିକାକରଣ ବଣ୍ଟନରେ ହୋଇଥିବା ପକ୍ଷପାତିତାକୁ ପଦାରେ ପକାଇ ଦେଇଛି। ଗରିବ ଏବଂ କ୍ଷୁଦ୍ର ରାଷ୍ଟ୍ରମାନଙ୍କରେ ଅତି ଭୟଙ୍କର ସ୍ଥିତି ଉପୁଜିଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ୍‌ ଆଦନମ୍‌ ଏହା ଏକ ନୈତିକ ବିଫଳତା ବୋଲି କହିଛନ୍ତି। ତଥ୍ୟ ଅନୁଯାୟୀ ଇଣ୍ଡୋନେସିଆ ମାତ୍ର ୧୦ ପ୍ରତିଶତ ଲୋକଙ୍କୁ ଟିକା ଦେଇଛି। ଅନ୍ୟପକ୍ଷେ ଭାରତ ୧୪ ପ୍ରତିଶତ, ୟୁରୋପୀୟ ରାଷ୍ଟ୍ର ୪୬ ପ୍ରତିଶତ, ଆମେରିକା ୫୨ ପ୍ରତିଶତ ଜନସଂଖ୍ୟାଙ୍କୁ ଟିକା‌ ଦେଇଛି। ଇଣ୍ଡୋନେସିଆରେ କୋଭିଡ୍‌ ପଜିଟିଭ୍‌ ଟେଷ୍ଟ୍‌ ହାର ୨୭ ପ୍ରତିଶତ ଥିବାବେଳେ ଭାରତରେ ମାତ୍ର ୨ ପ୍ରତିଶତ ରହିଛି।

The post ଏସିଆର ନୂଆ‌ ଏପିସେଣ୍ଟର, ଇଣ୍ଡୋନେସିଆରେ କରୋନାର ଭୟାନକ ରୂପ first appeared on Sambad.

from କରୋନା | Sambad https://ift.tt/3xH2GY5