ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀର ଦ୍ବିତୀୟ ଲହରରେ ମୃତ୍ୟୁର ବିଭୀଷିକା ଭାରତରେ ଶୋକ ପାଳନର ଧାରାକୁ ମଧ୍ୟ ବଦଳାଇ ଦେଇଛି । ଏକ ସମୟରେ ଦୈନିକ କୋଭିଡ ମୃତ୍ୟୁ ଦେଶରେ ୪ ହଜାରରୁ ଅଧିକ ରହୁଥିବା ବେଳେ ଏବେ ମଧ୍ୟ ମୃତ୍ୟୁର ତାଣ୍ଡବ ଜାରି ରହିଛି। ପ୍ରତିଦିନ ପ୍ରିୟଜନଙ୍କ ମୃତ୍ୟୁରେ ଭାଙ୍ଗିପଡ଼ୁଥିବା ଲୋକେ ଖୁବ୍‌ ଅସହାୟ ହୋଇପଡ଼ୁଛନ୍ତି ଏବଂ ଏଭଳି ଶୋକାକୁଳ ସ୍ଥିତିରେ ବି ନିଃସଙ୍ଗ ଓ ଅସହାୟ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ଅଚାନକ ଭାଇରସ୍‌ ଆକ୍ରାନ୍ତ ହୋଇ ଆଖି ବୁଜି ଦେଉଥିବା ଲୋକଙ୍କ ପରିବାର ସଦସ୍ୟ ଏବେ ସେମାନଙ୍କ ଭୟାନକ ମାନସିକ ପୀଡ଼ାକୁ ଚାପି ରଖିବାକୁ ମଧ୍ୟ ବାଧ୍ୟ ହେଉଛନ୍ତି। ପରିବାରର ଏକାଧିକ ସଦସ୍ୟଙ୍କ ମୃତ୍ୟୁ ଅନେକଙ୍କୁ ମାନସିକ ଭାବେ ପଙ୍ଗୁ କରିଦେଉଛି। କୋଭିଡ୍‌ ମୃତ୍ୟୁ ପରେ ଶୋକ ପାଳନ ପାଇଁ ରହିଥିବା ପରମ୍ପରା ମଧ୍ୟ ଏବେ ପାଳନ ହୋଇପାରୁ ନାହିଁ।

କୋଭିଡ କଟକଣା ଅନୁଯାୟୀ ଶରୀରକୁ ବ୍ୟାଗ୍‌ରେ ଭର୍ତ୍ତି କରି ରଖାଯାଉଛି ଏବଂ ଅନ୍ତିମ ବିଦାୟ ସମୟରେ ଏକ ଝଲକ୍‌ ଦେଖିବାକୁ ମିଳୁଛି। କୋଭିଡ ମୃତକଙ୍କୁ ଛୁଇଁବା ତଥା ଆଲିଙ୍ଗନ ନ କରିବା ପାଇଁ କୁହାଯାଇଥିବାରୁ ଅନେକ କେବଳ ଅନ୍ତରରେ ବିଳାପ କରୁଛନ୍ତି। ମୃତ୍ୟୁ ପରେ ବନ୍ଧୁ ପରିଜନ ଏକତ୍ରିତ ହୋଇ ଶୋକ ପାଳିବା ଓ ଦୁଃଖ ବାଣ୍ଟିବାର ମଧ୍ୟ ସୁଯୋଗ ନାହିଁ।

ଏଭଳି ବିଚିତ୍ର ସ୍ଥିତିରେ ଲୋକେ ଗଭୀର ମାନସିକ ଯନ୍ତ୍ରଣା ଦେଇ ଗତି କରୁଛନ୍ତି। ଅନିଶ୍ଚିତ ଭବିଷ୍ୟତର ଭୟ ଓ କ୍ରମାଗତ ଶୋକ ଭିତରେ ମଣିଷ ଏବେ ଯେତିକି ଅସହାୟ ହୋଇଉଠିଛି ତାହା ପୂର୍ବରୁ କେବେ ଦେଖାନଥିଲା ବୋଲି ବେଙ୍ଗାଲୁରୁର ମାନସିକ ଚିକିତ୍ସକ ରୁଚିତା ଚନ୍ଦ୍ରଶେଖର କହିଛନ୍ତି। ପ୍ରତିଦିନ ହଜାର ହଜାର ପରିବାର ଛାରଖାର ହୋଇଯାଉଥିବା ବେଳେ ଯେଉଁମାନେ ଏହାକୁ ସାମ୍ନା କରି ବଞ୍ଚି ରହୁଛନ୍ତି ସେମାନଙ୍କର ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ଅତି ଗୁରୁତର ପ୍ରଭାବିତ ହେଉଛି। ଏହା ଶରୀରର ରୋଗ ପ୍ରତିରୋଧକତା ପାଇଁ ମଧ୍ୟ ଏକ ବଡ଼ ଚ୍ୟାଲେଂଜ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି।

The post କୋଭିଡ୍‌ ମୃତ୍ୟୁର ବିଭୀଷିକା, ବଦଳି ଯାଇଛି ଶୋକ ପାଳନର ଧାରା first appeared on Sambad.

from କରୋନା | Sambad https://ift.tt/3gY8Dd9