
ନୂଆଦିଲ୍ଲୀ: ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଭାରତରେ ଯେତେ ସଂଖ୍ୟକ କୋଭିଡ୍-୧୯ ଟିକା ଡୋଜ୍ ମିଳିବ ବୋଲି କେନ୍ଦ୍ର ସରକାର ଆକଳନ କରି ଜଣାଇଥିଲେ ତାହା ଠାରୁ ୮୧ କୋଟି ଡୋଜ୍ କମ୍ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।
ଶନିବାର ଦିନ ସୁପ୍ରିମ୍ କୋର୍ଟରେ ଦାଖଲ କରିଥିବା ଏକ ସତ୍ୟପାଠରେ ସରକାର କହିଛନ୍ତି ଯେ, ୨୦୨୧ ଡିସେମ୍ବର ସୁଦ୍ଧା ୧୩୫ କୋଟି ଟିକା ଉପଲବ୍ଧ ହେବ। କିନ୍ତୁ, ୨୧୬ କୋଟି କୋଭିଡ୍ ଟିକା ଉପଲବ୍ଧ ହେବ ବୋଲି ମେ ମାସରେ କେନ୍ଦ୍ର ସରକାର ଆକଳନ କରିଥିଲେ।
ଉପରୋକ୍ତ ଦୁଇଟି ସଂଖ୍ୟା ମଧ୍ୟରେ ଏବେ ୮୧ କୋଟି ଡୋଜ୍ ଟିକା ଫରକ ରହୁଛି।
ମେ ୧୩ ତାରିଖ ଦିନ ଏକ ଉପସ୍ଥାପନାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଥିଲା ଯେ, ବର୍ଷ ଶେଷସୁଦ୍ଧା ସମସ୍ତ ପ୍ରାପ୍ତ ବୟସ୍କମାନଙ୍କୁ ଟିକା ଦେବା ଲାଗି ଅଗଷ୍ଟରୁ ଡିସେମ୍ବର ୨୦୨୧ ମଧ୍ୟରେ ୨୧୬ କୋଟି ଡୋଜ୍ କୋଭିଡ୍-୧୯ ଟିକା ଉପଲବ୍ଧ ହେବ।
ମେ ମାସରେ ହୋଇଥିବା ଆକଳନ ଅନୁସାରେ, କୋଭିସିଲ୍ଡ୍ ୭୫ କୋଟି, କୋଭାକ୍ସିନ୍ ୫୫ କୋଟି, ବାୟୋଲୋଜିକାଲ୍ ଇ ଭ୍ୟାକ୍ସ ୩୦ କୋଟି, ଜାଇଡସ୍ କାଡିଲା ଡିଏନ୍ଏ ଭ୍ୟାକ୍ସିନ୍ ୫ କୋଟି, ନୋଭାଭ୍ୟାକ୍ସ୍ ୨୦ କୋଟି, ଭାରତ ବାୟୋଟେକ୍ ନାଜାଲ୍ ଭ୍ୟାକ୍ସିନ୍ ୧୦ କୋଟି, ଜିନୋଭା ବାୟୋଫାର୍ମା ୬ କୋଟି ଏବଂ ସ୍ପୁଟ୍ନିକ୍ ଭି ୧୫.୬ କୋଟି, ଏମିତି ସମୁଦାୟ ୨୧୬.୬ କୋଟି ଟିକା ଉପଲବ୍ଧ ହେବ।
କିନ୍ତୁ, ଶନିବାର ଦିନ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ୨୦୨୧ ଡିସେମ୍ବର ସୁଦ୍ଧା ଭାରତରେ ଟିକା ନେବା ପାଇଁ ଯୋଗ୍ୟ ବିବେଚିତଙ୍କ ପାଇଁ ମାତ୍ର ୧୩୫ କୋଟି ଡୋଜ୍ ଟିକା ଉପଲବ୍ଧ ହେବ। ସତ୍ୟପାଠରେ ଉଲ୍ଲେଖ ଥିବା ଆକଳନ ଅନୁସାରେ, କୋଭିସିଲ୍ଡ୍ ୫୦ କୋଟି, କୋଭାକ୍ସିନ୍ ୪୦ କୋଟି, ବାୟୋଲୋଜିକାଲ୍ ଇ ଭ୍ୟାକ୍ସ ୩୦ କୋଟି, ଜାଇଡସ୍ କାଡିଲା ଡିଏନ୍ଏ ଭ୍ୟାକ୍ସିନ୍ ୫ କୋଟି, ଏବଂ ସ୍ପୁଟ୍ନିକ୍ ଭି ୧୦ କୋଟି, ଏମିତି ସମୁଦାୟ ୧୩୫ କୋଟି ଟିକା ଉପଲବ୍ଧ ହେବ।
ସତ୍ୟପାଠରେ ସରକାର ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ବ ବୟସ୍କଙ୍କ ସଂଖ୍ୟା ପ୍ରାୟ ୯୩-୯୪ କୋଟି। ସେହି ହିସାବରେ, ହିତାଧିକାରୀମାନଙ୍କୁ ଦୁଇ ଡୋଜ୍ ଟିକା ଦିଆଯିବା ଲାଗି ୧୮୬ ରୁ ୧୮୮ କୋଟି ଡୋଜ୍ ଟିକା ଦରକାର ପଡ଼ିବ। ଉପରୋକ୍ତ ଆବଶ୍ୟକତାରୁ ୨୦୨୧ ଜୁଲାଇ ୩୧ ସୁଦ୍ଧା ୫୧.୬ କୋଟି ଟିକା ଦିଆଯିବା ପାଇଁ ମିଳିଯିବ।
The post ଆକଳନ କରାଯାଇଥିବା ଡୋଜ୍ ଠାରୁ ଦେଶରେ ୮୧ କୋଟି କମ୍ ଟିକା ଡୋଜ୍ ଉପଲବ୍ଧ ହେବ: ସୁପ୍ରିମ୍ କୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର first appeared on Sambad.from କରୋନା | Sambad https://ift.tt/3hbotQE
0 Comments