ଭୁବନେଶ୍ବର : ସଂକ୍ରମଣ ବଢ଼ିବାରୁ ଶନିବାର ୱାର୍ଡ ନମ୍ବର ୩୬ ଅନ୍ତର୍ଗତ ୟୁନିଟ୍‌-୫ସ୍ଥିତ ସବ୍‌ସିଡିଆରି ଇଣ୍ଟେଲିଜେନ୍ସ ବ୍ୟୁରୋ (ଏସ୍‌ଆଇବି) କଲୋନି, ୱାର୍ଡ ନଂ-୪ ସ୍ଥିତ ରୁଦ୍ରପୁର ବେହେରା ସାହି ଓ ଡେଲ୍‌ଟା ଛକ ନିକଟସ୍ଥ କେଶରୀ ପ୍ଲାଜାକୁ ବିଏମ୍‌ସି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ଆଇବି କଲୋନିରେ ଥିବା ୫ଟି ଆବାସିକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସର ୨୫ଟି କ୍ବାର୍ଟର୍ସରୁ ୧୦ଟି କ୍ବାର୍ଟର୍ସରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ବିଏମ୍‌ସି ପୂରା କଲୋନିକୁ ସିଲ୍‌ କରିଛି। ଏଠାରେ ୬ଟି ଟାଇପ୍-୪ କ୍ବାର୍ଟର୍ସ, ୪ଟି ଟାଇପ୍ ୩ କ୍ବାର୍ଟର୍ସ, ୪ଟି ଟାଇପ୍ ବି-୧ କ୍ବାର୍ଟର୍ସ, ୫ଟି ଟାଇପ୍ ବି-୨ କ୍ବାର୍ଟର୍ସ, ୬ଟି ଟାଇପ୍ ସି କ୍ବାର୍ଟର୍ସ ରହିଛି। ପୂରା ଅଞ୍ଚଳକୁ ଏବେ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ସମୟରେ ସମସ୍ତଙ୍କର କୋଭିଡ୍‌ ପରୀକ୍ଷା କରାଯିବ। ଯଦି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ନବଢ଼େ ତେବେ ୭ଦିନ କିମ୍ବା ୧୦ଦିନ ପରେ କଟକଣା ଉଠାଇ ଦିଆଯିବ। ଏହି ସମୟରେ କେହି ଘରୁ ନ ବାହାରିବାକୁ କୁହାଯାଇଛି। ବିଏମ୍‌ସି ପକ୍ଷରୁ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା କରାଯାଇଛି। ଏଥିପା‌ଇଁ ସ୍ଥାନୀୟ ୱାର୍ଡ ଅଫିସର ପ୍ରଦୀପ ଡାକୁଆଙ୍କୁ ୯୯୩୮୩୧୫୭୧୨ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।

ସେହିପରି ବେହେରା ସାହିରେ ଲଗାତାର ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ମୋଟ୍ ୩୨ଟି ପରିବାର ରହୁଥିବା ବେଳେ ସମସ୍ତଙ୍କୁ ବାହାରକୁ ଯିବାକୁ ମନା କରାଯାଇଛି। ବିଏମ୍‌ସି ପକ୍ଷରୁ ଆସନ୍ତା ୭ଦିନ ପାଇଁ ଏହି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ବିଏମ୍‌ସିର ଉତ୍ତର ଜୋନ୍ ଡେପୁଟି କମିସନର ପୁରନ୍ଦର ନନ୍ଦ କହିଛନ୍ତି, ବେହେରା ସାହିରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଏହାକୁ ଆଜି ଆମେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛୁ। ରବିବାରଠାରୁ ଏହି ଅଞ୍ଚଳରେ ଘରକୁ ଘର ବୁଲି ସମସ୍ତଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ କଣ୍ଟାକ୍ଟ ଟ୍ରେସିଂ କରାଯିବ। ଅଧିକ ଟେଷ୍ଟିଂ ବି କରାଯିବ। ୭ଦିନ କିମ୍ବା ୧୦ ଦିନ ପାଇଁ ଆମେ ଉକ୍ତ ଅଞ୍ଚଳର ସ୍ଥିତି ଦେଖିବୁ। ଯଦି ଆକ୍ରାନ୍ତଙ୍କ ସଂଖ୍ୟା ନ ବଢ଼ି‌ଲା ତେବେ ଆମେ କଣ୍ଟେନମେଣ୍ଟ ଜୋନ୍ ଉଠାଇ ଦେବୁ।

ସେହିପରି ବେହେରାସାହିରେ ନବଘନ ବେହେରାଙ୍କ ଘରଠାରୁ ପଠାଣି ବେହେରାଙ୍କ ଘର, ପଠାଣି ବେହେରାଙ୍କ ଘରଠାରୁ ପଦ୍ମଲୋଚନ ବେହେରାଙ୍କ ଘର, ପଦ୍ମଲୋଚନ ବେହେରାଙ୍କ ଘରଠାରୁ ଅବନି ବେହେରାଙ୍କ ଘର ଏବଂ ଅବନି ବେହେରାଙ୍କ ଘରଠାରୁ ନବଘନ ବେହରାଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ସୀମାରେ ବାଉଁଶ ବାଡ଼ ଦେଇ ଆବଦ୍ଧ କରାଯାଇଛି।

ଗତ ୧୫ ଦିନ ହେବ ଡେଲ୍‌ଟା ଛକ ନିକଟସ୍ଥ କେଶରୀ ପ୍ଲାଜାରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ଦକ୍ଷିଣ-ପଶ୍ଚିମ ଜୋନାଲ୍ ଡେପୁଟି କମିସନର୍ ରବିନାରାୟଣ ଜେଠୀ ଆଜି ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ଆସନ୍ତାକାଲି ଏଠାରେ ରହୁଥିବା ସମସ୍ତ ୪୦ ପରିବାରର ପ୍ରାୟ ୧୫୦ରୁ ଅଧିକ ଲୋକଙ୍କ କରୋନା ପରୀକ୍ଷଣ ହେବ। କିଛିଦିନ ତଳେ କେଶରୀ ପ୍ଲାଜାରେ ବିଏମ୍‌ସି ପ୍ରାଥମିକତା ଦେଇ ସମସ୍ତଙ୍କ କରୋନା ଟେଷ୍ଟିଂ କରିବାକୁ ଅନୁରୋଧ କରିଥିଲା। କିନ୍ତୁ ମାତ୍ର ୨୭ଜଣ ଲୋକେ ଟେଷ୍ଟିଂ କରାଇଥିଲେ।

The post ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌ first appeared on Sambad.

from କରୋନା | Sambad https://ift.tt/3jihZlu