
କରିମନଗର (ତେଲେଙ୍ଗାନା): କରୋନାଭାଇରସ୍ ସଂକ୍ରମଣ ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ ପାଇଁ ଉଦ୍ଦିଷ୍ଟ ‘ସ୍ବାବ୍ ଷ୍ଟିକ୍’ (ତୁଳାଗୁଡ଼ା କାଠି) ଭାଙ୍ଗିଯାଇ ତେଲେଙ୍ଗାନା ଅନ୍ତର୍ଗତ କରିମନଗର ଜିଲ୍ଲାର ଜଣେ ଗାଁ ସରପଞ୍ଚଙ୍କ ନାକ ଭିତରେ ଲାଖି ଯିବାରୁ ସେ ଖୁବ୍ ଯନ୍ତ୍ରଣା ପାଇଥିବା ଜଣାପଡ଼ିଛି।
ଘଟିଥିବା ଘଟଣାଟି ଗତ ଶୁକ୍ରବାର ଦିନ ରିପୋର୍ଟ କରାଯାଇଥିଲା। କରିମନଗର ଜିଲ୍ଲାର ରାମଡୁଗୁ ମଣ୍ଡଳ ଅନ୍ତର୍ଗତ ଭେଙ୍କଟରୋପଲ୍ଲୀ ଗାଁରେ ସରପଞ୍ଚ ଯୁବାଜି ଶେକର ତାଙ୍କ ଗାଁରେ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ନିମନ୍ତେ ‘ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍’ (ଆର୍ଏଟି) ବନ୍ଦୋବସ୍ତ କରାଇ ପ୍ରଥମେ ନିଜେ ନମୁନା ଦେବେ ବୋଲି ସ୍ଥିର କରିଥିଲେ।
ସ୍ଥାନୀୟ ଗୋପାଳରାଓପେଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଦ୍ବାରା ଏହି କୋଭିଡ୍ ପରୀକ୍ଷା କରାଯାଉଥିଲା। ନାସିକାରୁ ନମୁନା ସଂଗ୍ରହ କରିବା ବେଳେ ‘ସ୍ବାବ୍ ଷ୍ଟିକ୍’ଟି ଶେକରଙ୍କ ନାକ ଭିତରେ ଭାଙ୍ଗି ରହିଗଲା। ସ୍ଥାନୀୟ ନର୍ସ ଓ ଡାକ୍ତରମାନେ ଭଙ୍ଗା ‘ସ୍ବାବ୍ ଷ୍ଟିକ୍’ଖଣ୍ଡିକ କାଢ଼ି ପାରିଲେ ନାହିଁ। ଅଗତ୍ୟା ସରପଞ୍ଚଙ୍କୁ ତୁରନ୍ତ କରିମନଗରସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ନିଆଗଲା। ସେଠାରେ ଏଣ୍ଡୋସ୍କୋପି ମାଧ୍ୟମରେ ତାଙ୍କ ନାସିକା ଭିତରେ ଲାଖିଥିବା ଭଙ୍ଗା ‘ସ୍ବାବ୍ ଷ୍ଟିକ୍’ଟିକୁ ବାହାର କରାଗଲା।
ଡାକ୍ତରଙ୍କ କହିବା ଅନୁସାରେ, ଭଙ୍ଗା ‘ସ୍ବାବ୍ ଷ୍ଟିକ୍’ଖଣ୍ଡକ ନାକ ଭିତରୁ ଖସି ଶେକରଙ୍କ ତଣ୍ଟିରେ ଲାଖି ଯାଇଥିଲା। ଯନ୍ତ୍ରଣାରୁ ମୁକ୍ତି ପାଇବା ପରେ ଶେକର ଅଭିଯୋଗ କରିଛନ୍ତି ଯେ, ଏଥିପାଇଁ ଗ୍ରାମାଞ୍ଚଳରେ ନିଯୁକ୍ତ ‘ଅଣକୁଶଳୀ ଓ ଅଣତାଲିମପ୍ରାପ୍ତ’ ଡାକ୍ତରୀ କର୍ମଚାରୀମାନେ ହିଁ ଦାୟୀ।
The post ଗାଁ ସରପଞ୍ଚଙ୍କ ନାକ ଭିତରେ ଭାଙ୍ଗି ଯାଇ ତଣ୍ଟିରେ ଲାଖିଲାଗଲା ‘ସ୍ବାବ୍’ ସଂଗ୍ରହ କାଠି first appeared on Sambad.from କରୋନା | Sambad https://ift.tt/2ROlo03
0 Comments