
ହାଇଦ୍ରାବାଦ: ପ୍ରାୟ ୪୦ଜଣ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ‘କକ୍ଟେଲ୍ ଅଫ୍ ମନୋକ୍ଲୋନାଲ୍ ଆଣ୍ଟିବଡି’ ଚିକିତ୍ସା କରାଇଥିବା ହାଇଦ୍ରାବାଦସ୍ଥିତ ‘ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି’ର ଅଧ୍ୟକ୍ଷ ଡାକ୍ତର ନାଗେଶ୍ବର ରେଡ୍ଡୀ ଏକ ଇଂରାଜୀ ନିଉଜ୍ ଚାନେଲ୍କୁ କହିଛନ୍ତି ଯେ, ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଆକ୍ରାନ୍ତମାନେ ଜ୍ବର ଏବଂ ଶାରୀରିକ ଅଶ୍ବସ୍ତି ଆଦି ଲକ୍ଷଣରୁ ମୁକ୍ତ ହୋଇଯାଇଛନ୍ତି।
ଅତି ସଂକ୍ରମଣଶୀଳ ‘ଡେଲ୍ଟା ଭେରିଆଣ୍ଟ୍’ କରୋନାଭାଇରସ୍ ବିପକ୍ଷରେ ସିଙ୍ଗଲ୍ ଡୋଜ୍ ‘କକ୍ଟେଲ୍ ଅଫ୍ ମନୋକ୍ଲୋନାଲ୍ ଆଣ୍ଟିବଡି’ ଫଳପ୍ରଦତା ଉପରେ ଉକ୍ତ ହସ୍ପିଟାଲ୍ ଅଧ୍ୟୟନ କରୁଥିଲା।
ଡାକ୍ତର ରେଡ୍ଡୀ ଆହୁରି ମଧ୍ୟ କହିଛନ୍ତି, ଏହି ଔଷଧ ବ୍ରିଟିଶ୍, ବ୍ରାଜିଲୀୟ ଏବଂ ଦକ୍ଷିଣ ଆଫ୍ରିକୀୟ ଭେରିଆଣ୍ଟ୍ ବିପକ୍ଷରେ ମଧ୍ୟ ଫଳପ୍ରଦ ହେଉଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି। କିନ୍ତୁ, ଆମ ଛଡ଼ା, ‘ଡେଲ୍ଟା ଭେରିଆଣ୍ଟ’ କ୍ଷେତ୍ରରେ ଅନ୍ୟ କେହି ଏହାକୁ ପରୀକ୍ଷା କରି ନ ଥିଲେ। ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ଭୂତାଣୁ କ୍ଷେତ୍ରରେ ଏହା ଫଳପ୍ରଦ ହେଉଛି କି, ନାହିଁ, ତାହା ଜାଣିବାକୁ ଆମେ ସମାନ୍ତରଳ ପରୀକ୍ଷା ମଧ୍ୟ ଚଳାଇଛୁ। ୪୦ଜଣଙ୍କ କ୍ଷେତ୍ରରେ ଏହି ଔଷଧ ପ୍ରୟୋଗ କରାଯିବାର ଏକ ସପ୍ତାହ ପରେ ଆମେ ‘ଆର୍ଟି-ପିସିଆର’ ପରୀକ୍ଷା କରି ଦେଖିଲୁ ଶତକଡ଼ା ୧୦୦ ଆକ୍ରାନ୍ତଙ୍କ ଶରୀରୁ ଭୂତାଣୁ ଉଭେଇ ଯାଇଛି।
ଗତବର୍ଷ କୋଭିଡ୍-୧୯+ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ କ୍ଷେତ୍ରରେ ଏହି ଚିକିତ୍ସା କରାଯିବା ପରେ ଏହା ବିଶ୍ବବ୍ୟାପୀ ସ୍ବାସ୍ଥ୍ୟ ଗବେଷକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା।
‘କ୍ୟାସିରାଇଭିମ୍ୟାବ୍’ ଏବଂ ‘ଇଣ୍ଡେଭିମ୍ୟାବ୍’ ନାମକ ଦୁଇଟି ଔଷଧର ମିଶ୍ରଣରେ ପ୍ରସ୍ତୁତ ଗୋଟିଏ ଡୋଜ୍ ‘ମନୋକୋଲନାଲ୍ ଆଣ୍ଟିବଡି’ର ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ବୋଲି ରିପୋର୍ଟ ପ୍ରକାଶ ପାଇଛି।
The post ୪୦ଜଣ ରୋଗୀଙ୍କୁ ‘ଆଣ୍ଟିବଡି କକ୍ଟେଲ୍’ ଚିକିତ୍ସା କରିଥିବା ହାଇଦ୍ରାବାଦ ଡାକ୍ତର କହିଲେ, ୨୪ ଘଣ୍ଟାରେ ସବୁ ଲକ୍ଷଣ ଉଭେଇ ଯାଉଛି first appeared on Sambad.from କରୋନା | Sambad https://ift.tt/3gy4ZoK
0 Comments