ଦିଲ୍ଲୀ ‘ଅନ୍‌ଲକ୍‌’: ବଜାର ପାଇଁ ଯୁଗ୍ମ-ଅଯୁଗ୍ମ ନିୟମ ହଟାଇବା ସହ ୫୦% ସାମର୍ଥ୍ୟ ସହ ରେସ୍ତୋରାଁ ଖୋଲିବାକୁ ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ପର୍ଯ୍ୟାୟକ୍ରମେ ‘ଅନ୍‌ଲକ୍‌’ ହେଉଥିବା ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆହୁରି କିଛି କଟକଣା କୋହଳ କରିଛନ୍ତି।

ନୂଆ ମାର୍ଗଦର୍ଶିକା ଅନୁସାରେ, ସୋମବାର ଠାରୁ ଦୋକାନ ବଜାର ସବୁ ଯୁଗ୍ମ-ଅଯୁଗ୍ମ ନିର୍ବିଶେଷରେ ଖୋଲାଯାଇ ପାରିବ। ପୂରା ସାମର୍ଥ୍ୟର କେବଳ ୫୦% ଆସନ ପୂରଣ କରି ରେସ୍ତୋରାଁ ସବୁ ଖୋଲିପାରିବ।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ୍ କହିଛନ୍ତି, ଏଭଳି ବ୍ୟବସ୍ଥା ଆମେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଦେଖିବୁ। ଯଦି ସଂକ୍ରମଣ ବଢ଼େ କଟକଣା କଠୋର କରାଯିବ, ନଚେତ ଏହି ବ୍ୟବସ୍ଥା ଚାଲୁ ରହିବ।

ସାପ୍ତାହିକ ହାଟ ବ୍ୟତୀତ ସମସ୍ତ ମଲ୍‌, ବଜାର ଓ ମାର୍କେଟ୍ କମ୍ପ୍ଲେକ୍ସ ପୂର୍ବାହ୍ନ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ଯାଇ ପାରିବ। ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଗୋଟିଏ ସପ୍ତାହ ପାଇଁ ପ୍ରତ୍ୟାହାର କରି ନିଆଯାଇଛି।

ଆସନ ସଂଖ୍ୟାର ୫୦% ପୂରଣ କରି ଦିଲ୍ଲୀ ମେଟ୍ରୋ ଓ ବସ୍‌ ସେବା ଚାଲୁ କରିବା ଲାଗି ଅନୁମତି ଦିଆଯାଇଛି।

Image Courtesy of India Today

ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଥିବା ସମସ୍ତ ସରକାରୀ ଦପ୍ତର, ସ୍ବୟଂଶାସିତ ସଂସ୍ଥାନ, ‘ପିଏସ୍‌ୟୁ’, ନିଗମ, ଆଞ୍ଚଳିକ ସଂସ୍ଥାନ ସବୁ ଗ୍ରେଡ୍‌-୧ ବା ତତୁଲ୍ୟ ପାହ୍ୟାର ଅଧିକାରୀଙ୍କ ଶତ ପ୍ରତିଶତ ଉପସ୍ଥାନରେ ଚାଲିପାରିବ। ଏହା ବ୍ୟତୀତ ବିଭିନ୍ନ ଦପ୍ତରର ବିଭାଗୀୟ ମୁଖ୍ୟଙ୍କ ନିର୍ଦେଶ ମୁତାବକ ବାକି କର୍ମଚାରୀଙ୍କର ୫୦% ଉପସ୍ଥାନରେ ଦପ୍ତର କାର୍ଯ୍ୟ ଚାଲିବ। ବାକି ୫୦% କର୍ମଚାରୀ ଘରେ ଥାଇ କାମ କରିବେ।

ସେହିଭଳି ଅତ୍ୟାବଶ୍ୟକ ସେବା ସହ ସଂଶ୍ଳୀଷ୍ଟ କାର୍ଯ୍ୟାଳୟ ସବୁ ବିନା କୌଣସି କଟକଣାରେ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ। ଦିଲ୍ଲୀରେ ଥିବା ସମସ୍ତ ଘରୋଇ ଅଫିସଗୁଡ଼ିକ ୫୦% କର୍ମଚାରୀଙ୍କ ଉପସ୍ଥାନରେ ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲି ପାରିବ।

ସ୍କୁଲ୍, କଲେଜ, ଶିକ୍ଷା ଓ କୋଚିଙ୍ଗ୍ ପ୍ରତିଷ୍ଠାନ ସବୁ ପୂର୍ବ ପରି ବନ୍ଦ ରହିବ। ଏହାଛଡ଼ା, ସାମାଜିକ, ରା‌ଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ଶିକ୍ଷାସମ୍ବନ୍ଧୀୟ, ସାଂସ୍କୃତିକ, ଧାର୍ମିକ ଉତ୍ସବ ସମାରୋହ ଉପରେ ନିଷେଧାଜ୍ଞା ଜାରି ହୋଇଛି।

ସୁଇମିଙ୍ଗ୍‌ ପୁଲ୍‌, ଷ୍ଟାଡିୟମ୍, କ୍ରୀଡା ପରିସର, ସିନେମା ହଲ୍‌ ଏବଂ ମଲ୍ଟିପ୍ଲେକ୍ସ୍‌ ମଧ୍ୟ ବନ୍ଦ ରହିବ।

The post ଦିଲ୍ଲୀ ‘ଅନ୍‌ଲକ୍‌’: ବଜାର ପାଇଁ ଯୁଗ୍ମ-ଅଯୁଗ୍ମ ନିୟମ ହଟାଇବା ସହ ୫୦% ସାମର୍ଥ୍ୟ ସହ ରେସ୍ତୋରାଁ ଖୋଲିବାକୁ ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ first appeared on Sambad.

from କରୋନା | Sambad https://ift.tt/3izaoyJ

Post a Comment

0 Comments