
ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀର କାଣ୍ଡିଭାଲି ଠାରେ ଥିବା ହିରାନନ୍ଦାନି ହାଉସିଂ ସୋସାଇଟି ପକ୍ଷରୁ ଟିକା ସଂପର୍କରେ ଏକ ଗୁରୁତର ଅଭିଯୋଗ ଅଣାଯାଇଛି। ହାଉସିଂ ସୋସାଇଟି ଟିକାକରଣ ଅଭିଯାନରେ ସେଠାକାର ବାସିନ୍ଦାଙ୍କୁ ନକଲି ଟିକା ଦିଆଯାଇଛି ବୋଲି ସେମାନେ କହିଛନ୍ତି। ପ୍ରାୟ ୩୯୦ ଜଣ ବ୍ୟକ୍ତି ଏଭଳି ନକଲି ଟିକାର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ଆସି ହାଉସିଂ ସୋସାଇଟିରେ ପହଞ୍ଚିଥିଲା। ସେହି ବ୍ୟକ୍ତି ଜଣକ ନିଜକୁ କୋକିଳାବେନ ଅମ୍ବାନି ହସ୍ପିଟାଲର ପ୍ରତିନିଧି ବୋଲି ଦାବି କରିଥିଲା। କର୍ପୋରେଟ୍ ହାଉସ୍ ଏବଂ କଲେଜ ଗୁଡ଼ିକ ପାଇଁ ପୂର୍ବରୁ ସେ ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରିଥିବା କହିଥିଲା। ଏହାପରେ ହାଉସିଂ ସୋସାଇଟି ପକ୍ଷରୁ ଟିକାକରଣ ଦାୟିତ୍ବ ସଂପୃକ୍ତ ବ୍ୟକ୍ତିକୁ ଦିଆଯାଇଥିଲା। ତେବେ କୋକିଳାବେନ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ସେମାନେ ବାହାରେ ଏଭଳି କୌଣସି ଟିକାକରଣ ଆୟୋଜନ କରନ୍ତି ନାହିଁ। ଏହାପରେ ସୋସାଇଟି ପକ୍ଷରୁ କୁହାଯାଇଛି ଖାମଖିଆଲି ଭାବେ ଏହି ଟିକାକରଣ ପରିଚାଳିତ ହୋଇଥିଲା।
ଟିକା ନେଉଥିବା ବ୍ୟକ୍ତିଙ୍କ ସୂଚନା ଠିକ୍ ଭାବେ ସଂଗ୍ରହ କରାଯାଇ ନଥିଲା। ସେମାନଙ୍କ ଆଧାର କାର୍ଡ ଆଦି ଅନଲାଇନ୍ରେ ଏଣ୍ଟ୍ରି କରାଯିବା ପରିବର୍ତ୍ତେ କାଗଜ କଲମରେ କରାଯାଇଥିଲା। ଟିକାକରଣର କିଛି ଦିନ ପରେ ସମାନଙ୍କୁ ଟିକା ନେଇଥିବା ପ୍ରମାଣପତ୍ର ଦିଆଯାଇଥିଲା। ସେଗୁଡ଼ିକ ବିଭିନ୍ନ ହସ୍ପିଟାଲର ଏବଂ ଭିନ୍ନ ଭିନ୍ନ ତାରିଖର ଥିଲା। ଏଥିରୁ ପ୍ରମାଣ ମିଳିଛି ଯେ ହାଉସିଂ ସୋସାଇଟିର ଲୋକମାନେ ଠକାମିର ଶିକାର ହୋଇଛନ୍ତି। ମୁମ୍ବାଇ ଉତ୍ତର ଜୋନ୍ର ଅତିରିକ୍ତ ପୁଲିସ କମିସନର କହିଛନ୍ତି ଏହାର ପ୍ରାରମ୍ଭିକ ଅନୁସନ୍ଧାନ କରାଯାଉଛି। ପ୍ରାରମ୍ଭିକ ଅନୁସନ୍ଧାନ ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ କମିସନର କହିଛନ୍ତି।
The post ମୁମ୍ବାଇରେ ଲୋକଙ୍କୁ ନକଲି ଟିକା! first appeared on Sambad.from କରୋନା | Sambad https://ift.tt/3wByk8E
0 Comments