କଟକ : ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ପରାମର୍ଶଦାତା କମିଟି (ସିଡିସି) ଅନୁଯାୟୀ, କିଶୋର ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ଫାଇଜର ଓ ମଡର୍ଣ୍ଣା ଟିକାର ହୃଦ୍‌ରୋଗ ସହିତ ସଂପର୍କ ରହିଛି। କମିଟି ସଦସ୍ୟଙ୍କ ମତରେ ଟିକାର ଦ୍ବିତୀୟ ଡୋଜ୍‌ ନେବା ପରେ ୧୬ରୁ ୨୪ ବର୍ଷର ପିଲାମାନଙ୍କ ମଧ୍ୟରେ ମାୟୋକାର୍ଡାଇଟିସ୍‌ ଓ ପେରିକାର୍ଡାଇଟିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ମାୟୋକାର୍ଡାଇଟିସ୍‌ ହେଉଛି ହୃତ୍‌ପିଣ୍ଡ ମାଂସପେଶୀରେ ଯନ୍ତ୍ରଣା ହେବା ଏବଂ ପେରିକାର୍ଡାଇଟିସ୍‌ ହେଉଛି ହୃତ୍‌ପିଣ୍ଡର ବାହ୍ୟ ଅଂଶରେ ଯନ୍ତ୍ରଣା ହେବା।

ପ୍ରଥମ ୧୨ହଜାର ମାମଲା ମଧ୍ୟରୁ ଜୁନ୍‌ ୧୧ ସୁଦ୍ଧା ମାୟୋକାର୍ଡାଇଟିସ୍‌ ଓ ପେରିକାର୍ଡାଇଟିସ୍‌ ଆକ୍ରାନ୍ତଙ୍କ ବିବରଣୀକୁ ଭ୍ୟାକ୍‌ସିନ୍‌ ଆଡଭର୍ସ ଇଭେଣ୍ଟ ରିପୋର୍ଟିଂ ସିଷ୍ଟମ୍‌ରେ ଦାଖଲ କରାଯାଇଛି। ମେ ୩୧ ପରଠାରୁ ଏଭଳି ୪୦୦ରୁ ଅଧିକ ରିପୋର୍ଟ ରେକର୍ଡଭୁକ୍ତ ହୋଇଛି। ତେବେ ସିଡିସି ଏପର୍ଯ୍ୟନ୍ତ ସମସ୍ତ ରିପୋର୍ଟକୁ ସ୍ପଷ୍ଟ କରିନାହିଁ। ପ୍ରାଥମିକ ରିପୋର୍ଟଗୁଡ଼ିକ ମଧ୍ୟରୁ ଅଧିକାଂଶ ମାମଲା ଫାଇଜର କିମ୍ବା ମଡର୍ଣ୍ଣା ଟିକାର ଦ୍ବିତୀୟ ଡୋଜ୍‌ ନେବାପରେ ରେକର୍ଡ କରାଯାଇଛି। ସେଗୁଡ଼ିକ ମଧ୍ୟରୁ ଛାତିରେ ଯନ୍ତ୍ରଣା ହେବା ମାମଲା ସର୍ବାଧିକ ରହିଛି।

ଆମେରିକାର ଜନସ୍ବାସ୍ଥ୍ୟ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ଏଜେନ୍ସିମାନେ ହୃଦ୍‌ଘାତ ସମସ୍ୟା ଏବଂ କୋଭିଡ୍‌-୧୯ ଟିକା ମଧ୍ୟରେ ଥିବା ସଂପର୍କ ବିଷୟରେ ଏକ ରିପୋର୍ଟ ଜାରି କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏହା ଅତ୍ୟନ୍ତ ବିରଳ ପାର୍ଶ୍ୱପ୍ରତିକ୍ରିୟା ଏବଂ ଟିକାକରଣ ପରେ କେବଳ ଅଳ୍ପସଂଖ୍ୟକ ଲୋକ ଏହାକୁ ଅନୁଭବ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯୁବକମାନଙ୍କ ପାଇଁ ଅଧିକାଂଶ ମାମଲା ସାମାନ୍ୟ ଏବଂ ସେମାନଙ୍କ ମଧ୍ୟରୁ ଅନେକ ସ୍ବତଃ ସୁସ୍ଥ ହୁଅନ୍ତି। ତେବେ କୋଭିଡ୍‌ରେ ଆକ୍ରାନ୍ତ ହେଲେ ଅଧିକାଂଶ ରୋଗୀ ମାୟୋକାର୍ଡାଇଟିସ୍ ଏବଂ ପେରିକାର୍ଡାଇଟିସ୍‌ରେ ଆକ୍ରାନ୍ତ ହୋଇଥାନ୍ତି। ଏଥିଯୋଗୁଁ ହୃତ୍‌ପିଣ୍ଡ ପ୍ରତି ବିପଦ ଅଧିକ ଭୟଙ୍କର ହୋଇପାରେ। ତେବେ ଟିକା ନେବାଦ୍ବାରା ବିପଦଠାରୁ ଅଧିକ ଲାଭ ମିଳିପାରୁଥିବା ପରାମର୍ଶଦାତା କମିଟିର ସଦସ୍ୟମାନେ କହିଛନ୍ତି। କମିଟିର ଅଧ୍ୟକ୍ଷ ଗ୍ରେସ୍‌ ଲି’ଙ୍କ ମତରେ ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଏହା କ୍ଷଣସ୍ଥାୟୀ ଲକ୍ଷଣ। ଏପରିକି ବହୁତ କମ୍‌ ଆକ୍ରାନ୍ତ ହସ୍‌ପିଟାଲରେ ଭର୍ତ୍ତି ହେଉଛନ୍ତି। ସିଡିସି ତଥ୍ୟ ଅନୁଯାୟୀ, ୨୯ ବର୍ଷ କିମ୍ବା ଏହାଠାରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମଧ୍ୟରୁ ମଡର୍ଣ୍ଣା କିମ୍ବା ଫାଇଜର ଟିକା ନେଇସାରିଥିବା ୩୨୩ ଜଣ ମାୟୋକାର୍ଡାଇଟିସ୍ ଏବଂ ପେରିକାର୍ଡାଇଟିସ୍ ଆକ୍ରାନ୍ତଙ୍କୁ ନେଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୩୦୯ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା ବେଳେ ଅଧିକାଂଶ ଡିସ୍‌ଚାର୍ଜ ହୋଇସାରିଛନ୍ତି। ତେବେ ୯ଜଣଙ୍କର ଚିକିତ୍ସା ଜାରି ରହିଥିବା ବିବୃତିରେ କୁହାଯାଇଛି।

The post ଫାଇଜର ଓ ମଡର୍ଣ୍ଣା ଟିକାର ପାର୍ଶ୍ବପ୍ରତିକ୍ରିୟା, ବିପଦ ତୁଳନାରେ ଲାଭ ଅଧିକ first appeared on Sambad.

from କରୋନା | Sambad https://ift.tt/3haCG00