
ଭୁବନେଶ୍ବର : କୋଭିଡ୍ରୁ ସୁସ୍ଥ ହେବା ପରେ ବି ଶ୍ରବଣ ଶକ୍ତି ହରାଉଛନ୍ତି ଅନେକ ରୋଗୀ। ଏ ସଂକ୍ରାନ୍ତରେ ଷ୍ଟଡି ରିପୋର୍ଟ ପ୍ରକାଶିତ ହୋଇନଥିବାରୁ ନିର୍ଦିଷ୍ଟ କେତେ ଜଣ ରୋଗୀ ଏଥିଯୋଗୁଁ ପ୍ରଭାବିତ ହୋଇଛନ୍ତି, ତାହା ଜଣାପଡ଼ୁ ନାହିଁ। ଅନେକ ରୋଗୀଙ୍କ ଠାରେ ଶୁଣିବା, ମୁଣ୍ଡବ୍ୟଥା କିମ୍ବା ଶ୍ବାସଜନିତ ସମସ୍ୟା ଦେଖାଯାଉଛି। ଉପଯୁକ୍ତ ସମୟରେ ଚିକିତ୍ସା ନହେଲେ ରୋଗୀ ଶୁଣିବା ଶକ୍ତି ହରାଉଛି। ଏଥିଯୋଗୁଁ ରୋଗୀଙ୍କୁ ସତର୍କ ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ଏମ୍ସ ଭୁବନେଶ୍ବରର ଇଏନଟି ବିଭାଗ ବିଶେଷଜ୍ଞ ଡାକ୍ତର ସି. ପ୍ରୀତମ।
ସେ କହିଛନ୍ତି, କୋଭିଡ୍ରେ ଆକ୍ରାନ୍ତ ହେବାର ୩ରୁ୬ ସପ୍ତାହ ମଧ୍ୟରେ ସ୍ବାଦ, ଆଘ୍ରାଣ ସହିତ ଅନେକ ରୋଗୀଙ୍କ ଶ୍ରବଣ ଶକ୍ତିକୁ ସଂଯୋଗ କରୁଥିବା ସ୍ନାୟୁ ପ୍ରଭାବିତ ହେଉଛି। ସମୟକ୍ରମରେ ସେ ସ୍ବାଦ, ଶୁଘିଂବା (ସ୍ମେଲ, ଟେଷ୍ଟ) ଶକ୍ତି ଫେରି ପାଉଛି। ପ୍ରାଥମିକ ସ୍ତରରୁ ଚିକିତ୍ସା ଆରମ୍ଭ ନହେଲେ ଥରେ ଶ୍ରବଣ ଶକ୍ତି ଦୁର୍ବଳ ହୋଇ ପଡ଼ିଲେ ରୋଗୀ ଶୁଣିବା କ୍ଷମତା ହରାଇ ବସୁଛି। କୋଭିଡ୍ରୁ ସୁସ୍ଥ ହେବା ପରେ ଶୁଣିବା ସମସ୍ୟା ନେଇ ଏମ୍ସ ଓପିଡିକୁ ଏଭଳି କିଛି ରୋଗୀ ଆସିଛନ୍ତି। ଯେଉଁମାନେ ଶୀଘ୍ର ଆସିଛନ୍ତି ତାଙ୍କ ଚିକିତ୍ସା କରାଯାଇଛି।
ରୋଗର ଲକ୍ଷଣ ନେଇ ଡାକ୍ତର ପ୍ରୀତମ କହନ୍ତି, କୋଭିଡ୍ରୁ ସଂକ୍ରମିତ ହେବାର ୩ରୁ୬ ସପ୍ତାହ ମଧ୍ୟରେ କମ ଶୁଭିବ, କାନରେ ସାଇଁ ସାଇଁ ଆୱାଜ ହେବ, ହଠାତ କିମ୍ବା ଧୀରେ ଧୀରେ ଶୁଣିବା ଶକ୍ତି ହ୍ରାସ ପାଇଯିବ। ଏହି ସମୟରେ ଲଗାତାର ମୁଣ୍ଡ ବ୍ୟଥା ମଧ୍ୟ ହୁଏ। ରୋଗୀଙ୍କୁ ଶୁଣିବା ଶକ୍ତି ସାମାନ୍ୟ ହ୍ରାସ ପାଇବା ଅନୁଭବ କଲେ ୨ ଦିନ ମଧ୍ୟରେ ଇଏନଟି ବିଶେଷଜ୍ଞଙ୍କୁ ଦେଖାଇ ପରୀକ୍ଷା କରାଇ ନେବା ଉଚିତ। ଏଥିପାଇଁ କୌଣସି ବଡ଼ ଡାକ୍ତରଖାନା କିମ୍ବା ଖର୍ଚାନ୍ତ ହୋଇ ଘରୋଇ ଡାକ୍ତରଖାନା ଯିବାର ଆବଶ୍ୟକତା ନାହିଁ। ରୋଗୀ ନିକଟସ୍ଥ ଇଏନଟି ବିଶେଷଜ୍ଞଙ୍କ ପାଖକୁ ଯାଇ ଏଥିପାଇଁ ଥିବା ସ୍ବତନ୍ତ୍ର ଟେଷ୍ଟ କରାଇବେ। କେଉଁ କାରଣରୁ ଶୁଣିବା ହରାଉଛନ୍ତି ତା’ର ଚିହ୍ନଟ ହେବ। ସ୍ନାୟୁଗତ କାରଣରୁ ଶ୍ରବଣ ଶକ୍ତି ହ୍ରାସ ପାଉଥିବା ନେଇ ଅବଗତ ହେଲେବି ସେହି ଡାକ୍ତରଙ୍କ ଠାରେ ଚିକିତ୍ସା କରାଇ ୧୦ ଦିନ ମଧ୍ୟରେ ସୁସ୍ଥ ହେବାର ଆଶା ରହିଛି।
The post କୋଭିଡ୍ରୁ ସୁସ୍ଥ ହୋଇ ଶ୍ରବଣ ଶକ୍ତି ହରାଉଛନ୍ତି first appeared on Sambad.from କରୋନା | Sambad https://ift.tt/3gWXjhj
0 Comments