
ନୂଆଦିଲ୍ଲୀ: କୋଭିଡ୍-୧୯ ଟିକା ‘ପ୍ଲାଜ୍ମିଡ୍ ଡିଏନ୍ଏ୍’ର ଜରୁରୀକାଳୀନ ବ୍ୟବହାର ନିମନ୍ତେ ‘ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ଙ୍କୁ (ଡିସିଜିଆଇ) ଆବେଦନ କରିଥିବା କଥା ଆଜି ‘ଜାଇଡସ୍ କାଡିଲା’ ଘୋଷଣା କରିଛି। ଏହି ଟିକା ‘ଛୁଞ୍ଚି ରହିତ’ ବା ଟିକା ଫୋଡ଼ିବା ପାଇଁ ସିରିଞ୍ଜ୍ରେ ଛୁଞ୍ଚି ଲାଗି ନ ଥାଏ।
ଏଯାବତ୍ ‘ଜାଇଡସ୍ କାଡିଲା’ ସମଗ୍ର ଭାରତରେ ୫୦ରୁ ଊର୍ଦ୍ଧ୍ବ କେନ୍ଦ୍ରରେ ଏହି କୋଭିଡ୍-୧୯ ଟିକାର ବ୍ୟାପକ ନୈଦାନିକ ପରୀକ୍ଷା କରାଇଛି। ଏହା ବ୍ୟତିରେକେ, ଭାରତରେ ୧୨ ରୁ ୧୮ ବର୍ଷ ବୟସ୍କ ବର୍ଗର କିଶୋର/ତରୁଣଙ୍କ ଦେହରେ ପ୍ରଥମ କରି ‘ଜାଇଡସ୍ କାଡିଲା’ ହିଁ କୋଭିଡ୍-୧୯ ଟିକା ପରୀକ୍ଷା କରିଛି। ଏହି ବୟସବର୍ଗରେ ପ୍ରାୟ ୧୦୦୦ ସ୍ବେଚ୍ଛାସେବୀଙ୍କୁ ତାଲିକାଭୁକ୍ତ କରାଯାଇଥିଲା। ଏହି ଟିକା ସେମାନଙ୍କ ପାଇଁ ନିରାପଦ ଏବଂ ଉତ୍ତମ ସହନଯୋଗ୍ୟ ବୋଲି ସଂଗୃହୀତ ତଥ୍ୟାବଳୀରୁ ଜଣାପଡ଼ିଛି।
ଦେଶରେ ପ୍ରାପ୍ତ ବୟସ୍କମାନେ ଯେଭଳି ଏହି ଟିକାକୁ ସହ୍ୟ କରିପାରୁଛନ୍ତି, କିଶୋର ଓ ତରୁଣମାନେ ବି ସେହିଭଳି ସହ୍ୟ କରି ପାରୁଛନ୍ତି। ମଧ୍ୟବର୍ତ୍ତୀକାଳୀନ ଅନୁଶୀଳନରୁ ଜଣାପଡ଼ିଛି ଯେ, ଲକ୍ଷଣଯୁକ୍ତ ‘ଆର୍ଟି-ପିସିଆର୍ ପଜିଟିଭ୍’ ସଂକ୍ରମଣ ମାମଲା କ୍ଷେତ୍ରରେ ଏହି ଟିକା ୬୬.୬% ଫଳପ୍ରଦ ହୋଇଥିବା କମ୍ପାନି କହୁଛି।
ସାମାନ୍ୟ ସଂକ୍ରମଣ କ୍ଷେତ୍ରରେ ଏହି ଟିକାର ତୃତୀୟ ଡୋଜ୍ ୧୦୦% ଫଳପ୍ରଦ ହେବ ବୋଲି କମ୍ପାନି କରିଥିଲା। ଏହି ଟିକା ନେଇଥିବା ସ୍ବେଚ୍ଛାସେବୀଙ୍କ ଠାରେ ସାମାନ୍ୟତମ କୋଭିଡ୍-୧୯ ସଂକ୍ରମଣର ଲକ୍ଷଣ ଦେଖାଯାଇ ନାହିଁ ବୋଲି କମ୍ପାନି ଦାବି କରୁଛି।
ଦ୍ବିତୀୟ ଡୋଜ୍ ଟିକା ନେବା ପରେ ମଧ୍ୟ କେହି ଭୀଷଣ ଅସୁସ୍ଥ ହୋଇ ପଡ଼ିଥିବା କିଂବା ମୃତ୍ୟୁବରଣ କରିବା ଘଟଣା ଘଟିନାହିଁ। ‘ଜେଡ୍ୱାଇକୋଭ୍-ଡି’ ତା’ର ତୀବ୍ର ରୋଗ ପ୍ରତିରୋଧକ କ୍ଷମତା, ସହନଯୋଗ୍ୟ ଭରସା ଏବଂ ସୁରକ୍ଷା ଆଦି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାରେ ପ୍ରଦର୍ଶିତ କରିସାରିଛି। ସ୍ବାଧୀନ ‘ଡାଟା ସେଫ୍ଟି ମନିଟରିଙ୍ଗ୍ ବୋର୍ଡ’ ଏହି ଟିକାର ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାର ଅନୁଶୀଳନ କରିଥିଲା।
The post ବିନା ଛୁଞ୍ଚିରେ ଦେଇ ହେଉଥିବା କୋଭିଡ୍ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ‘ଡିସିଜିଆଇ’ଙ୍କ ଅନୁମତି ପାଇଁ ଆବେଦନ କଲା ‘ଜାଇଡସ୍ କାଡିଲା’ first appeared on Sambad.from କରୋନା | Sambad https://ift.tt/3w8xeR0
0 Comments