ଗତ ମାସରେ ଆକ୍ରାନ୍ତ ହୋଇଛନ୍ତି ୨୫,୪୬୪
ସୁସ୍ଥ ହୋଇଛନ୍ତି ୨୬,୯୬୫

ରାଉରକେଲା: ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଦିନ ଥିଲା, ଦୈନିକ ଆକ୍ରାନ୍ତ ସଂଖ୍ୟା ହଜାରେ ଟପୁଥିଲି। ଏମିତିକି ଏହି ସଂଖ୍ୟା ୨ ହଜାର ବି ପାର୍‌ ହୋଇଥିଲା। ଏବେ କିନ୍ତୁ ଏଥିରେ ବହୁମାତ୍ରାରେ ସୁଧାର ଆସିଛି। ବେଶ୍‌ କିଛି ଦିନ ହେଲା ଆକ୍ରାନ୍ତ ସଂଖ୍ୟା ୩ ଶହ ତଳକୁ ରହୁଛି। ଅପରପକ୍ଷରେ ଜିଲ୍ଲାର ଆରୋଗ୍ୟ ହାର କିନ୍ତୁ ଢ଼େର୍‌ ଅଧିକ ରହୁଛି। ଗତ ମେ’ ମାସରେ ଜିଲ୍ଲାରୁ ୨୫,୪୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୬,୯୬୫ ଜଣ ସୁସ୍ଥ ହୋଇଥିଲେ। ଅର୍ଥାତ୍‌, ମୋଟ୍‌ ଆକ୍ରାନ୍ତ ସଂଖ୍ୟାଠାରୁ ୧,୫୦୧ ଜଣ ଅଧିକ ସୁସ୍ଥ ହୋଇଥିଲେ। ଲଗାତାରଭାବେ ଆକ୍ରାନ୍ତ ସଂଖ୍ୟାଠାରୁ ଆରୋଗ୍ୟ ସଂଖ୍ୟା ଅଧିକ ରହୁଛି; ଯାହାକି ଜିଲ୍ଲାବାସୀଙ୍କୁ ବହୁମାତ୍ରାରେ ଆଶ୍ବସ୍ତ କରିଛି।

ଗତ ମେ’ ମାସର ପରିସଂଖ୍ୟାନକୁ ଦେଖିଲେ, ଦୈନିକ ଆକ୍ରାନ୍ତ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି। କେବଳ ଗତ ମେ’ ମାସରେ ଜିଲ୍ଲାରୁ ୨୫ ହଜାର ୪୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ କେବଳ ରାଉରକେଲା ସହରାଞ୍ଚଳର ୯,୨୩୬ ଜଣ ଆକ୍ରାନ୍ତ ଥିଲେ। ଜିଲ୍ଲାର ଦୈନିକ ଆକ୍ରାନ୍ତ ସଂଖ୍ୟା କିନ୍ତୁ ମେ’ ୬ ଓ ୭ ତାରିଖରେ ଶୀର୍ଷରେ ପହଞ୍ଚିଥିଲା। ଉକ୍ତ ଦୁଇ ଦିନ, ଯଥାକ୍ରମେ ୨,୦୭୩ ଓ ୧୯୨୨ ରହିଥିଲା। ପ୍ରକାଶଥାଉକି, ଦିନକରେ ୨ ହଜାର ୨ ହଜାର ପାର୍‌ ହେବା, ଜିଲ୍ଲାର ସର୍ବକାଳୀନ ସର୍ବାଧିକ ଦିନିକିଆ ରେକର୍ଡ ଥିଲା। ଏତଦ୍‌ବ୍ୟତୀତ, ୪ ଦିନ( ୪, ୫, ୧୦ ଓ ୧୪ ତାରିଖ) ଦୈନିକ ଆକ୍ରାନ୍ତ ସଂଖ୍ୟା ହଜାରେ ଟପିଥିଲା। ତେବେ ଗତ ୧୨ ତାରିଖରୁ ଏହି ସଂଖ୍ୟା‌ କ୍ରମଶଃ ହ୍ରାସ ପାଇଥିଲା।

ଅପରପକ୍ଷରେ, ସୁସ୍ଥ ସଂଖ୍ୟାରେ ମଧ୍ୟ ଢ଼େର୍‌ ଉନ୍ନତି ହେବାରେ ଲାଗିଛି। ଗତ ୧୬ ତାରିଖରେ ଜିଲ୍ଲାରୁ ସର୍ବାଧିକ ୨୦୭୨ ଜଣ ସୁସ୍ଥ ହୋଇଥିଲେ। ଏହାସହ ଗତ ୧୦, ୧୪, ୧୫, ୧୭, ୨୦ ଓ ୨୪ ତାରିଖରେ ସୁସ୍ଥ ସଂଖ୍ୟା ହଜାରେ ଟପିଥିଲା। ଏବେ ଦୈନିକ ସୁସ୍ଥ ସଂଖ୍ୟା ୭ ଶହ ଉପରେ ରହୁଛି।

The post ଜିଲ୍ଲାରେ ନୂଆ ଆକ୍ରାନ୍ତ ତୁଳନାରେ ସୁସ୍ଥ ହେଉଛନ୍ତି ଅଧିକ first appeared on Sambad.

from କରୋନା | Sambad https://ift.tt/3ikrRuL