ଏବେ ମହଜୁଦ୍ ଅଛି ୪ଲକ୍ଷ ୧୩ହଜାର ଡୋଜ୍‌
ଦିନକୁ ୩୦ହଜାର ଲୋକଙ୍କୁ ଟିକା

ଭୁବନେଶ୍ବର : ବିଏମ୍‌ସି ଭୁବନେଶ୍ବରରେ ୯ଲକ୍ଷ ୭ହଜାର ୧୯୪ଜଣଙ୍କୁ କୋଭାକ୍ସିନ୍ ଟିକା ଦେବାକୁ ଯୋଜନା କରିଥିବାବେଳେ ଏବେ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର କର୍ମୀ ଏବଂ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ସଂଖ୍ୟା ଟାର୍ଗେଟ୍ ତୁଳନାରେ ବଢ଼ିଯାଇଛି। ବିଏମ୍‌ସିର ଆକଳନ ଅନୁଯାୟୀ ରାଜଧାନୀରେ ପ୍ରାୟ ୯ଲକ୍ଷ ୫୦ହଜାର ଜଣଙ୍କୁ ୧୯ଲକ୍ଷ ଡୋଜ୍ ‌ଟିକା ଦେବାକୁ ପଡ଼ିପାରେ। ଏଥିରୁ ଆଜି ସୁଦ୍ଧା ୧୩ଲକ୍ଷ ୨୬ହଜାର ୬୫୧ଡୋଜ୍ ଦିଆ ସରିଲାଣି। ଅର୍ଥାତ୍ ଆଉ ପ୍ରାୟ ୫ଲକ୍ଷ ୭୪ ହଜାର ଡୋଜ୍ ‌ଦେବା ବାକି ଅଛି। ବିଏମ୍‌ସି ପାଖରେ ଆଜି ଦିନରେ ୪ଲକ୍ଷ ୧୩ହଜାର ୪୨୦ ଡୋଜ୍ ଟିକା ମହଜୁଦ୍ ଥିବାବେଳେ ଖୁବ୍‌ ଶୀଘ୍ର ଆଉ ଟିକା ଆସିବ। ତେଣୁ ରାଜଧାନୀବାସୀଙ୍କ ଟିକାକରଣ ପାଇଁ ଟିକା ଅଭାବ ହେବନି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏପରିକି ଜୁଲାଇ ୧୫ସୁଦ୍ଧା ସମସ୍ତଙ୍କ ପ୍ରଥମ ଡୋଜ୍ ‌ ଏବଂ ଅଗଷ୍ଟ ଶେଷ ସୁଦ୍ଧା ସମସ୍ତଙ୍କୁ ଦୁଇ ଡୋଜ୍ ଟିକା ଦିଅାଯିବ। ଏହାପରେ ଭୁବନେଶ୍ବର ଦେଶର ସମସ୍ତେ ଟିକା ନେଇଥିବା ସହର ପାଲଟିଯିବ।

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଆମେ ଭୁବନେଶ୍ବରବାସୀଙ୍କୁ ଯଥାସମ୍ଭବ ଟିକା ଦେବାକୁ ଯୋଜନା କରିଛୁ। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ସହରରେ ଟିକାକରଣ ବହୁତ କମ୍‌ ହେଉଥିବାବେଳେ ଆମେ ଦିନକୁ ପ୍ରାୟ ୩୦ହଜାର ଲୋକଙ୍କୁ ଟିକା ଦେଉଛୁ। ତେଣୁ ଆମେ ଖୁବ୍‌ ଶୀଘ୍ର ଏକ ରେକର୍ଡ କରିବାକୁ ଯାଉଛୁ। ବିଏମ୍‌ସି କମିସନର ସଂଜୟ ସିଂହଙ୍କ ‌ନିର୍ଦ୍ଦେଶରେ ଏବେ ଟିକାକରଣ ଜୋରଦାର୍ କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଟିକା ଗ୍ରହୀତାଙ୍କ ସଂଖ୍ୟା ଦୁଇ ଗୁଣା ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ୧୩ଲକ୍ଷ ୨୬ହଜାର ୨୫୧ ଡୋଜ୍ ଟିକା ଦିଆସରିଥିବାବେଳେ ଏଥିରେ ୮ଲକ୍ଷ ୪୭ହଜାର ୪ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୪ଲକ୍ଷ ୭୯ହଜାର ୬୪୭ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆ ସରିଲାଣି। ତେଣୁ ଦ୍ବିତୀୟ ଡୋଜ୍‌ ଟିକା ନେଉଥିବା ଲୋକଙ୍କ ସଂଖ୍ୟା ବି ବଢ଼ିଚାଲିଛି। ଏବେ ସ୍ଳଟ୍ ବୁକିଂରେ ବି ସମସ୍ୟା ହେଉନି। ତେଣୁ ଲୋକମାନେ ସ୍ଲଟ୍ ବୁକିଂ କରି ‌ତୁରନ୍ତ ଟିକା ନିଅନ୍ତୁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

The post ସମସ୍ତଙ୍କୁ ଟିକା ଦେବାରେ ଭୁବନେଶ୍ବର ହେବ ପ୍ରଥମ ସହର! first appeared on Sambad.

from କରୋନା | Sambad https://ift.tt/3jppQO6