
ନୂଆଦିଲ୍ଲୀ: ସେପ୍ଟେମ୍ବର ସୁଦ୍ଧା ୨ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ପିଲାଙ୍କ ନିମନ୍ତେ ‘କୋଭାକ୍ସିନ୍’ ଟିକା ମିଳିଯିବ ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ‘ଏମ୍ସ୍’ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଗଣମାଧ୍ୟମକୁ କହିଛନ୍ତି।
ଫୁସ୍ଫୁସ୍ ଏବଂ ଶ୍ବାସପ୍ରଶ୍ବାସ ରୋଗ ସମ୍ବନ୍ଧୀୟ ପ୍ରବୀଣ ବିଶେଷଜ୍ଞ ତଥା ଭାରତ ସରକାରଙ୍କ କୋଭିଡ୍-୧୯ ଟାସ୍କ୍ ଫୋର୍ସର ବିଶିଷ୍ଟ ସଦସ୍ୟ ଡାକ୍ତର ଗୁଲେରିଆ ଗଣମାଧ୍ୟମକୁ କହିଛନ୍ତି ଯେ, ୨ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ପରେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ‘କୋଭାକ୍ସିନ୍’ର ତଥ୍ୟାବଳୀ ମିଳିଯିବ ଏବଂ ସେହି ମାସରେ ହିଁ ଟିକା ପ୍ରୟୋଗ ପାଇଁ ଅନୁମୋଦନ ଦିଆଯିବ ବୋଲି ମନେହେଉଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ଯଦି ‘ଫାଇଜର୍-ବାୟୋଏନ୍ଟେକ୍’ ଟିକାକୁ ଅନୁମୋଦନ ମିଳିଯାଏ, ତେବେ ତାହା ପିଲାମାନଙ୍କ ପାଇଁ ବିକଳ୍ପ ହୋଇପାରିବ।
ଟିକା ପରୀକ୍ଷା ନିମନ୍ତେ ଦିଲ୍ଲୀ ‘ଏମ୍ସ୍’ ପିଲାମାନଙ୍କୁ ଚୟନ କରି ସାରିଛି। ଜୁନ୍ ୭ ରୁ ଆରମ୍ଭ ହୋଇଥିବା ଏହି ଚୟନ ପ୍ରକ୍ରିୟାରେ ୨ ରୁ ୧୭ ବର୍ଷ ବୟସ୍କ ପିଲାଏ ଅନ୍ତର୍ଭୁକ୍ତ ଅଛନ୍ତି।
ସର୍ବନିମ୍ନ ଦୁଇ ବର୍ଷ ବୟସ୍କ ଶିଶୁଙ୍କ କ୍ଷେତ୍ରରେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ‘କୋଭାକ୍ସିନ୍’ ପରୀକ୍ଷା ନିମନ୍ତେ ‘ଡିସିଜିଆଇ’ ମେ ୧୨ ତାରିଖ ଦିନ ‘ଭାରତ ବାୟୋଟେକ୍’କୁ ଅନୁମତି ଦେଇଥିଲେ।
The post ସେପ୍ଟେମ୍ବର ସୁଦ୍ଧା ୨ ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କ ପାଇଁ ମିଳିବ ‘କୋଭାକ୍ସିନ୍’ ଟିକା: ‘ଏମ୍ସ୍’ ମୁଖ୍ୟ first appeared on Sambad.from କରୋନା | Sambad https://ift.tt/35Hg9mm
0 Comments