
ନୂଆଦିଲ୍ଲୀ: ଦେଶରେ ଆଜି ୪୨,୬୪୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୯୧ ଦିନରେ ଏହା ସର୍ବନିମ୍ନ ସଂକ୍ରମଣ। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୯,୯୭୭,୮୬୧ରେ ପହଞ୍ଚିଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୧,୧୬୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୩,୮୯,୩୦୨ରେ ପହଞ୍ଚିଛି। ଲଗାତାର ୪୦ ଦିନ ଧରି ଦେଶରେ ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ମାମଲାଠାରୁ ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ଦେଶରେ ୮୧,୮୩୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ସକ୍ରିୟ ମାମଲା ୭ ଲକ୍ଷ ତଳକୁ ଖସି ଆସିଛି। ସକ୍ରିୟ ମାମଲା ଏବେ ୬,୬୨,୫୨୧ ରହିଛି।
ଲଗାତାର ୧୫ ଦିନ ଧରି ଦେଶରେ ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ରହୁଛି। ଦେଶରେ ଏବେ ଦୈନିକ ପଜିଟିଭ୍ ହାର ୨.୫୬ ପ୍ରତିଶତ ଥିବାବେଳେ ସାପ୍ତାହିକ ପଜିଟିଭ୍ ହାର ୩.୨୧ ପ୍ରତିଶତ ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶ ଅନୁଯାୟୀ ସବୁ ଅଞ୍ଚଳରେ ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ କରାଯିବା ଉଚିତ୍ । ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ରହିଲେ ହିଁ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ଧରାଯିବ। ତେବେ ଦେଶରେ ପଜିଟିଭ୍ ହାର ୧୫ ଦିନ ଧରି ୫ ପ୍ରତିଶତରୁ କମ୍ ରହିବା ଏକ ଭଲ ସଙ୍କେତ। ଏହା ସତ୍ତ୍ବେ କିଛି ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତରୁ ଅଧିକ ରହିଛି। ତେଣୁ ଦ୍ବିତୀୟ ଲହର ସରିଯାଇଛି ବୋଲି କହିହେବନି। ତେବେ ଦ୍ବିତୀୟ ଲହରର ପ୍ରକୋପ କମି ଆସୁଥିବାବେଳେ ଦେଶ ଏବେ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଲାଣି। ଟେଷ୍ଟିଂ ପୁଣି ବଢ଼ିଛି। ସୋମବାର ୧୬,୬୪,୩୬୦ ନମୁନା ପରୀକ୍ଷା ହୋଇଛି। ଗତକାଲି ଗୋଟିଏ ଦିନରେ ଦେଶରେ ୮୬.୧୬ ଲକ୍ଷ ଲୋକ ଟିକା ନେଇଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ଟିକା ନେବା ବିଶ୍ବରେ ପ୍ରଥମ।
The post ଲଗାତାର ୧୫ ଦିନ ହେଲା ପଜିଟିଭ୍ ହାର ୫%ରୁ କମ୍; ୯୧ ଦିନରେ ସର୍ବନିମ୍ନ, ୫୦ ହଜାର ତଳକୁ ଖସିଲା first appeared on Sambad.from କରୋନା | Sambad https://ift.tt/2UuKYID
0 Comments