ନୂଆଦିଲ୍ଲୀ: ପ୍ରଥମେ ଭାରତରେ ଦେଖାଦେଇଥିବା ଅତ୍ୟନ୍ତ ସଂକ୍ରମଣଶୀଳ କୋଭିଡ୍‌-୧୯ର ‘ଡେଲ୍‌ଟା ଭେରିଆଣ୍ଟ୍‌’ ସମ୍ପ୍ରତି ‌‘ଡେଲ୍‌ଟା ପ୍ଲସ୍’ ବା ‘ଏୱାଇ.୧’ ଭେରିଆଣ୍ଟ୍‌ ପାଲଟି ଯାଇଛି। କେତେକ ପ୍ରଦେଶରେ ‘ଡେଲ୍‌ଟା+’ର ଏହି ନୂଆ ସଂକ୍ରମଣ ମାମଲା ଦେଖାଯିବାରୁ ମଙ୍ଗଳବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହାକୁ ‘ଭେରିଆଣ୍ଟ୍‌ ଅଫ୍‌ କନ୍‌ସର୍ଣ୍ଣ’ ବା ‘ଉଦ୍‌ବେଗଜନକ ପରିବର୍ତ୍ତିତ ଭୂତାଣୁ’ ଭାବେ ଚିହ୍ନିତ କରିଛି।

ନିକଟ ଅତୀତରେ ‘ଇଣ୍ଡିଆନ୍‌ ସାର୍ସ-କୋଭ୍-ଟୁ ଜିନୋମିକ୍ କନ୍‌ସର୍ଟିଆ’ (ଇନ୍‌ସାକଗ୍) ବିଶ୍ଳେଷଣରୁ ମିଳିଥିବା ତଥ୍ୟାବଳୀକୁ ଆଧାର କରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶ ପ୍ରତି ସତର୍କ ସୂଚନା ଜାରି କରିଛନ୍ତି। ଉପରୋକ୍ତ ରାଜ୍ୟଗୁଡ଼ିକର କେତୋଟି ଜିଲ୍ଲାରେ କୋଭିଡ୍‌-୧୯ର ‘ଡେଲ୍‌ଟା+ ଭେରିଆଣ୍ଟ୍‌’ର ସନ୍ଧାନ ମିଳିଛି।

Image Courtesy of India.com

ମହାରାଷ୍ଟ୍ରର ରତ୍ନଗିରି ଓ ଜଲଗାଓଁ ଜିଲ୍ଲା, କେରଳର ପଲକଡ଼ ଏବଂ ପତନମତିତ୍ତତ ଜିଲ୍ଲା ଏବଂ ମଧ୍ୟପ୍ରଦେଶର ଭୋପାଳ ଏବଂ ଶିବପୁରୀ ଜିଲ୍ଲାରୁ ସଂଗୃହୀତ ନମୁନାରେ ଥିବା ଭୂତାଣୁର ଗୁଣସୂତ୍ର-କ୍ରମ ବିଶ୍ଳେଷଣ କରିବା ବେଳେ ଏହା ଜଣାପଡ଼ିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉକ୍ତ ତିନି ରାଜ୍ୟଙ୍କୁ ଅବଗତ କରାଇଛନ୍ତି। ସମ୍ପ୍ରତି ଭାରତରେ ସମୁଦାୟ ୨୨ରୁ ଊର୍ଦ୍ଧ୍ବ ଏହି ପ୍ରକାରର ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା କଥା ସେ ସୂଚନା ଦେଇଛନ୍ତି।

ଏହି ଭୂତାଣୁର ବୈଶିଷ୍ଟ୍ୟ ସମ୍ବନ୍ଧରେ ମଧ୍ୟ ‘ଇନ୍‌ସାକୋଗ୍‌’ କିଛି ସୂଚନା ଦେଇଛି। ଏହି ଭୂତାଣୁ ଅତ୍ୟନ୍ତ ସଂକ୍ରମଣଶାଳୀ ଏବଂ ଫୁସ୍‌ଫୁସ୍‌ରେ ଥିବା ଜୀବକୋଷରେ ଦୃଢ଼ଭାବେ ଲାଖି ରହନ୍ତି। ଶରୀରରେ ପ୍ରୟୋଗ କରାଯାଉଥିବା କୃତ୍ରିମ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ଏହାର ଯଥେଷ୍ଟ ମୁକାବିଲା କରି ପାରେ ନାହିଁ।

The post ଭାରତରେ ନୂଆ ଅଡୁଆ କୋଭିଡ୍‌-୧୯ର ‘ଡେଲ୍‌ଟା ପ୍ଲସ୍‌ ଭେରିଆଣ୍ଟ୍‌’ first appeared on Sambad.

from କରୋନା | Sambad https://ift.tt/3gV3nG7