ମସ୍କୋ, ୩୦/୬ : ରୁଷ୍‌ରେ ତୃତୀୟ ଲହର ସଂକ୍ରମଣ ଭୟ ବଢ଼ା‌ଇଛି। ଡେଲ୍‌ଟା ପ୍ରଜାତି ପାଇଁ ରୁଷ୍‌ରେ ୯୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି। ରୁଷ୍‌ ସ୍ବାସ୍ଥ୍ୟ ମନ୍ତ୍ରୀ ମିଖାଇଲ୍‌ ମୁରା‌ସ୍କୋର କହିଛନ୍ତି, ରୁଷ୍‌ରେ ୧୫୧,୦୦୦ ଲୋକ ଏବେ କରୋନା ସଂକ୍ରମିତ ହୋଇ ହସ୍ପିଟାଲ୍‌ରେ ଅଛନ୍ତି। ସଂକ୍ରମଣ ମୁଖ୍ୟତଃ ମସ୍କୋ ଏବଂ ସେଣ୍ଟ୍‌ ପିଟର୍ସବର୍ଗ‌୍‌ରେ ବୃଦ୍ଧି ହୋଇଛି। ରୁଷ୍‌ କରୋନାଭାଇରସ୍‌ ଟାସ୍କଫୋର୍ସ‌୍‌ର ଏକ ବୈଠକରେ ମୁରାସ୍କୋ କହିଛନ୍ତି, ପରିସ୍ଥିତି ବହୁତ ଗମ୍ଭୀର ରହିଛି। ବିଶେଷ କରି ବଡ଼ ରାଷ୍ଟ୍ରମାନଙ୍କରେ ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି। କୋଭିଡ୍‌ ପାଇଁ ଦିଆଯାଇଥିବା ୧୮୨,୦୦୦ ବେଡ୍‌ରୁ ୧୫୧,୦୦୦ ବେଡ୍‌ ଏବେ ପର୍ଯ୍ୟନ୍ତ ଭର୍ତ୍ତି ହୋଇସାରିଛି।

ମସ୍କୋରେ ସ୍ଥିତି ବହୁତ ଖରାପ୍‌ ‌ରହିଛି ବୋଲି ସେ କହିଛନ୍ତି। ଗତ ୨୪ ଘଣ୍ଟାରେ ମସ୍କୋ‌ରେ ୧୪୪ କରୋନା ମୃତ୍ୟୁ ହୋଇଛି। ମହାମାରୀ ଆରମ୍ଭରୁ ଏଯାବତ୍‌ ଏହା ସବୁଠୁ ଅଧିକ କରୋନା ମୃତ୍ୟୁ। ତେବେ ଡେଲ୍‌ଟା ପ୍ରଜାତି ପାଇଁ ରୁଷ୍‌ରେ ସଂକ୍ରମଣ ବୃଦ୍ଧି ହୋଇଛି। ଡେଲ୍‌ଟା ପ୍ରଜାତି ପାଇଁ ଫ୍ରାନ୍ସରେ ମଧ୍ୟ ନୂଆ ସଂକ୍ରମଣ ମାମଲାରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି। ଫ୍ରାନ୍ସ ସ୍ବାସ୍ଥ୍ୟ ମନ୍ତ୍ରୀ ଓଲିଭିୟର ଭେରାନ୍‌ କହିଛନ୍ତି, ଅନ୍ୟ ରାଷ୍ଟ୍ରମାନଙ୍କ ପରି ଫ୍ରାନ୍ସରେ ମଧ୍ୟ ଡେଲ୍‌ଟା ପ୍ରଜାତି ଧୀରେଧୀରେ କାୟା ବିସ୍ତାର କରିଛି।

The post ରୁଷ୍‌ରେ ତୃତୀୟ ଲହର: ଡେଲ୍‌ଟା ପ୍ରଜାତି ପାଇଁ ୯୦% ସଂକ୍ରମଣ ବୃଦ୍ଧି first appeared on Sambad.

from କରୋନା | Sambad https://ift.tt/3jrAHr3